ଅନିଶ୍ଚିତତାକୁ ଠେଲି ହେଲା ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ
ଭୁବନେଶ୍ୱର : ଦୀର୍ଘଦିନ ଧରି ଭୁବନେଶ୍ୱରରେ ବନ୍ଦ ପଡ଼ିଥିବା ମେଟ୍ରୋ ପ୍ରକଳ୍ପ ଏବେ ପୁଣି ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି । ଏ ପ୍ରକଳ୍ପ କେବେ ଆରମ୍ଭ ହେବ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଦାୟିତ୍ୱରେ ଥିବା ଦିଲ୍ଲୀ ମେଟ୍ରୋ ରେଳ ନିଗମ ଜୁଲାଇ ୨୫ତାରିଖରେ ସମସ୍ତ ଟେଣ୍ଡରକୁ ବାତିଲ କରିଦେବା ପରେ ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ । ପ୍ରକଳ୍ପ କାର୍ଯ୍ୟ ଆରମ୍ଭରେ ବିଳମ୍ବ ଦର୍ଶାଇ ଏହି ଟେଣ୍ଡରଗୁଡିକୁ ବାତିଲ କରାଯାଇଥିବାବେଳେ ପ୍ରକଳ୍ପ କାର୍ଯ୍ୟ କରୁଥିବା କମ୍ପାନୀ ‘ସୈଗଲ୍ ଇଣ୍ଡିଆ’ ଓ ରଞ୍ଜିତ୍ ବିଲଡନ୍ ସମେତ ଅନ୍ୟ କମ୍ପାନୀଗୁଡିକ ମଧ୍ୟ ନିଜର କ୍ଷତି ଭରଣା ପାଇଁ ଆଇନଗତ ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି ।
ପ୍ରାୟ ୬୨୫୬ କୋଟି ଟଙ୍କାର ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଫେଜ-୧ କାର୍ଯ୍ୟ ସମ୍ପାଦନ ନିମନ୍ତେ ଚୁକ୍ତିବଦ୍ଧ ହୋଇଥିବା ଦିଲ୍ଲୀ ମେଟ୍ରୋ ରେଳ ନିଗମ ଜୁଲାଇ ୨୫ତାରିଖରେ ସମସ୍ତ ଟେଣ୍ଡର ବାତିଲ କରିଦେଇଛି । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ୨୦୨୪ ଜୁନରୁ ଅଗଷ୍ଟ ମଧ୍ୟରେ ଟେଣ୍ଡର ହାସଲ କରିଥିବା ସୈଗଲ ଇଣ୍ଡିଆ,ରଞ୍ଜିତ ବିଲଡକନ୍ , ସାଇଷ୍ଟ୍ରା ଏମଭିଏ କନସଲଟାଂଟ ଇଣ୍ଡିଆ, ଆଇସିଟି, ଏମଆଇଏ କନଷ୍ଟ୍ରକସନ ପ୍ରାଇଭେଟ୍ ଲିମିଟେଡକୁ ଦିଆଯାଇଥିବା କାର୍ଯ୍ୟାଦେଶକୁ ରଦ୍ଦ କରିଦିଆଯାଇଛି । ରଞ୍ଜିତ ବିଲଡକନ୍ ସଂସ୍ଥାକୁ କ୍ୟାପିଟାଲ ହସ୍ପିଟାଲ ଛକରୁ କିଟ୍ ଛକ ପର୍ଯ୍ୟନ୍ତ କାର୍ଯ୍ୟକୁ ୨ଟି ପର୍ଯ୍ୟାୟରେ ୧୧୮୭ କୋଟି ଟଙ୍କାର ଟେଣ୍ଡରର କାର୍ଯ୍ୟାଦେଶ ଦିଆଯାଇଥିବାବେଳେ ସୈଗଲ ଇଣ୍ଡିଆକୁ କିଟ୍ ଛକରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ୮୯୯କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା । ସେହିପରି ସାଇଷ୍ଟ୍ରା ଏମଭିଏ କନସଲଟିଂ ଇଣ୍ଡିଆକୁ ୧୦୧୨କୋଟି ଟଙ୍କାର, ଏମଆଇଏ କନଷ୍ଟ୍ରକ୍ସନକୁ ୭୯.୭୫କୋଟି ଟଙ୍କାର ଓ ଆଇସିଟିକୁ ୧୩.୦୪କୋଟି ଟଙ୍କାର ଟେଣ୍ଡର କାର୍ଯ୍ୟାଦେଶ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଦ୍ୱାରା ପ୍ରଦାନ କରାଯାଇଥିଲା । ସୈଗଲ ଇଣ୍ଡିଆ ନିଜଆଡୁ ସବଲେଟ୍ ମାଧ୍ୟମରେ ସିଭିଲ୍ ୱାର୍କ ନିମନ୍ତେ ୩୦୨.୮୨କୋଟି ଟଙ୍କାର ଟେଣ୍ଡର ଆଇଏଲଆଣ୍ଡଏଫଏସ୍ ଇଞ୍ଜିନିୟରିଂ ନାମକ ସଂସ୍ଥାକୁ ମଧ୍ୟ ଦେଇଥିଲା । ତେଣୁ ଅଚାନକ ଏହି ଟେଣ୍ଡରଗୁଡିକ ବାତିଲ ହେବାପରେ ସମ୍ପୃକ୍ତ କମ୍ପାନୀଗୁଡିକର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।