ରଥଯାତ୍ରାକୁ ଦୁଇଦିନ ... ରଥ-ପଥ, ଭକ୍ତ ଓ ପ୍ରଶାସନ ପ୍ରସ୍ତୁତ

 ପୁରୀ :  ୨୭ ତାରିଖ ଆଷାଢ ଶୁକ୍ଳ ଦ୍ୱିତୀୟାରେ ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ବଡ଼ଦାଣ୍ଡରେ ଗଡ଼ିବ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ । ବଡ଼ଦେଉଳର ରତ୍ନସିଂହାସନ ଛାଡ଼ି ରଥାରୂଢ ହୋଇ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପକୁ ନବଦିନ ଯାତ୍ରାରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରା ପାଇଁ ରହିଲା ଆଉ ମାତ୍ର ୨ଦିନ । ଗୁରୁବାର ଦିନ ନେତ୍ରୋସôବ, ଦର୍ଶନ ଓ ଉଭା ଯାତ୍ରା ଅନୁଷ୍ଠିତ ହେବ । ଘୋଷଯାତ୍ରାରେ ଘରଘର ନାଦ କରି ବଡ଼ଦାଣ୍ଡରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବ ତିନି ରଥ । ଏଥିପାଇଁ ରଥ, ପଥ, ପ୍ରଶାସନ ଓ ଭକ୍ତ ପ୍ରସ୍ତୁତ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତ ଓ ମନ୍ଦିର କର୍ମଚାରୀଙ୍କ ସହ ବାରମ୍ବାର ବୈଠକ ବସି ନୀତିକାନ୍ତି ଓ ବ୍ୟବସ୍ଥାବଳି ଚୂଡ଼ାନ୍ତ ହୋଇଛି । କିଏ କେଉଁ କାର୍ଯ୍ୟ କରିବ ତାହା ମଧ୍ୟ ସ୍ଥିରିକୃତ ହୋଇଛି । ପୁଲିସ ମହାନିଦେ୍ର୍ଦଶକ ପୁଲିସ ବିଭାଗର ଅନ୍ତିମ ବୈଠକ କରି ବିଭିନ୍ନ ପରାମର୍ଶ ଦେଇଛନ୍ତି । ଶ୍ରୀଜୀଉମାନଙ୍କର ରଥ ଗୁଡ଼ିକରେ ଶେଷ ସ୍ପର୍ଶ ଦେଉଛନ୍ତି ମହାରଣା ଓ ଚିତ୍ରକର ସେବକ । ରଥଯାତ୍ରା ପାଇଁ କ୍ରମେ ଉସôବମୁଖର ଓ ଲୋକାରଣ୍ୟ ହୋଇଉଠୁଛି ବଡ଼ଦାଣ୍ଡ ଓ ସମଗ୍ର ସହର । ମଙ୍ଗଳବାର ଦିନ ମହାପ୍ରଭୁ ସୁସ୍ଥ ହୋଇ ବନକଲାଗି ଆରମ୍ଭ ହୋଇଛି । ଦତ୍ତ ମହାପାତ୍ର ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାୟୀ ଗୁରୁବାର ନବଯୌବନ ଦର୍ଶନ ଦିନ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ହେବ । ୯ଟାରୁ ୧୦ଟା ୩୦ମିନିଟ୍ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ । ଏହା ପରେ ଦର୍ଶନ ବନ୍ଦ ରହି ମହାପ୍ରଭୁ ସେନାପଟା ଲାଗି ହେବେ । ତିନି ରଥରେ ପ୍ରଭା ଲାଗି ହୋଇ ମଣ୍ଡଣି ପାଇଁ କନା ପଡ଼ୁଛି । ମହାରଣାମାନେ ସିଂହାସନ କାର୍ଯ୍ୟ ଶେଷ କରିବାକୁ ଲାଗି ପଡ଼ିଛନ୍ତି । ତିନି ରଥକୁ ବ୍ୟାରିକେଡ଼ ଘେରରେ ରଖାଯାଇଛି । ସଶସ୍ତ୍ର ପୁଲିସ ତିନି ରଥକୁ ଜଗି ରହିଛନ୍ତି । ସହରର ବିଭିନ୍ନ ଛକ ସ୍ଥାନମାନଙ୍କରେ ଏବଂ ସାହିର ପ୍ରବେଶ ସ୍ଥଳରେ ଅସ୍ଥାୟୀ ବ୍ୟାରିକେଡ଼ମାନ କରାଯାଇ ପୁଲିସ ମୁତୟନ ହୋଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ରାସ୍ତାକୁ ଝୋଟି ପକାଯାଇ ଚିତ୍ରିତ କରାଯାଇଛି । ପୁରୀ ସହର ବସ୍ତୁତଃ ପୁଲିସ ଛାଉଣୀରେ ପରିଣତ ହୋଇଛି । ସିସି ଟିଭି ନଜରରେ ରହିଛି ଶ୍ରୀକ୍ଷେତ୍ର । ଶୁକ୍ରବାର ରଥଯାତ୍ରାର ଶୁଭ ଦିବସକୁ ଭକ୍ତମାନେ ଆଗ୍ରହର ସହ ପ୍ରତୀକ୍ଷା କରିଛନ୍ତି ।