ଅବସରପ୍ରାପ୍ତ ଡାକ୍ତରଙ୍କୁ ଲୁଟ୍ ଅଭିଯୋଗ

 ହିଞ୍ଜିଳିକାଟୁ:  ସାଇବର ଠକଙ୍କ ଠାରୁ ସଜାଗ ରହିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଜନସଚେତନତା ଜାରି ରହିଛି । ହେଲେ ଦିନକୁ ଦିନ ସାଇବର ଠକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । ଦିନକୁ ଦିନ ସାଇବର ଠକ ମାନେ ନୂତନ ଜ୍ଞାନକୌଶଳ ଗ୍ରହଣ କରି ଲୋକଙ୍କୁ ଭିନ୍ନ ଭିନ୍ନ ଉପାୟରେ ଲୁଟି ନେଉଥିବା ନିତିଦିନିଆ ଘଟଣା ପାଲଟିଛି । ଉଚ୍ଚତମ ନ୍ୟାୟାଳୟ ଓ ମୁଖ୍ୟ ବିଚାରପତିଙ୍କ ଅବିକଳ କାର୍ଯ୍ୟାଳୟ ଭିଡିଓ ପ୍ରସାରିତ କରି ପରିବାରର ସମସ୍ତ ସଦସ୍ୟଙ୍କୁ ଜେଲ ଦଣ୍ଡ ଭୋଗିବାର ଭୟ ଦେଖାଇ ଜୈନିକ ଅବସରପ୍ରାପ୍ତ ଡାକ୍ତରଙ୍କ ଠାରୁ ସାଇବର ଠକ ସାଢେ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏଭଳି ଏକ ଘଟଣା ମଙ୍ଗଳବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ଗ୍ରାମରେ ଘଟିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ମହାରାଷ୍ଟ୍ର ମୁମ୍ବାଇ ଅଞ୍ଚଳର ଜୈନିକ ସାଇବର ଠକ ସୋମବାର ରାତିରେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ଅବସରପ୍ରାପ୍ତ ଡାକ୍ତର ନରେନ୍ଦ୍ର କୁମାର ମହାନ୍ତିଙ୍କ ମୋବାଇଲ ଫୋନକୁ ଏକ ଅଜଣା ୱାଟସଅପ୍ ଅଡିଓ କଲ୍ ଆସିଥିଲା । ଡାକ୍ତର ମହାନ୍ତି କଲ୍ ରିସିଭ୍ କରିବା ପରେ ସାଇବର ଠକ ଜଣଙ୍କ ନିଜକୁ ଜଣେ ଉଚ୍ଚତମ ନ୍ୟାୟାଳୟର ବରିଷ୍ଠ ଆଇନଜୀବି ବୋଲି ପରିଚୟ ଦେଇଥିଲେ । ମୁମ୍ବାଇ ଏୟାର୍ ଲାଇନ୍ ମନି ଲେଡିଙ୍ଗ୍ ଠାରେ ଜମିଜମା ସମ୍ବନ୍ଧୀୟ ଠକେଇରେ ସଂପୃକ୍ତି ଥିବା ନେଇ ସାଇବର ଠକ ଜଣଙ୍କ ଅବସରପ୍ରାପ୍ତ ଡାକ୍ତରଙ୍କୁ କହିଥିଲେ । ପରେ ଭିଡିଓ କଲ୍ ରିସିଭ କରିବାକୁ କହି ଭିଡିଓ କଲ୍ ମାଧ୍ୟମରେ ଉଚ୍ଚତମ ନ୍ୟାୟାଳୟ ଓ ମୁଖ୍ୟ ବିଚାରପତିଙ୍କ ଅବିକଳ କାର୍ଯ୍ୟାଳୟ ରହିଥିବା ଭଳି ଏକ ଭିଡିଓ ପ୍ରଦର୍ଶିତ କରିଥିଲେ । ଦଣ୍ଡ ସ୍ୱରୁପ ଅବସରପ୍ରାପ୍ତ ଡାକ୍ତରଙ୍କୁ ସାଢେ ୬ ଲକ୍ଷ ଟଙ୍କା ଦାବି କରିଥିଲେ । ଦାବି ମୁତାବକ ଅର୍ଥ ରାଶି ଜମାନକଲେ ପରିବାରର ସମସ୍ତ ସଦସ୍ୟଙ୍କୁ ଜେଲ ଦଣ୍ଡ ଭୋଗିବାର ଭୟ ଦେଖାଇଥିଲେ । ଅବସରପ୍ରାପ୍ତ ଡାକ୍ତର ଜଣଙ୍କ ଉଚ୍ଚତମ ନ୍ୟାୟାଳୟକୁ ଦେଖି ଭୟଭୀତ ହୋଇପଡିଲେ । ସାଇବର ଠକ ଜଣଙ୍କ ପଠାଇଥିବା ଏକାଉଣ୍ଟ୍ ନମ୍ବରରେ ବ୍ରହ୍ମପୁର ଷ୍ଟେଟ ବ୍ୟାଙ୍କରେ ସାଢେ ୫ ଲକ୍ଷ ଟଙ୍କା ଜମା କରିଥିଲେ । ପରବର୍ତ୍ତୀ ସମୟରେ ସାଇବର ଠକ ଜଣଙ୍କ ପୁର୍ନବାର ଅଧିକ ଟଙ୍କା ଜମା କରିବାକୁ ନିଦେ୍ର୍ଦଶ ଦେଇଥିଲେ । ନଚେତ୍ ପରିବାର ବର୍ଗଙ୍କୁ ଜେଲ୍ ଦଣ୍ଡାଦେଶର ଭୟ ଦେଖାଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଅବସରପ୍ରାପ୍ତ ଡାକ୍ତରଙ୍କ ପୁଅ ଗାଁକୁ ଆସି ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣା ନେଇ ଅବସରପ୍ରାପ୍ତ ଡାକ୍ତର ମହାନ୍ତି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ - ୧୦୦୫/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ହିଞ୍ଜିଳି ପୁଲିସ ସାଇବର ଥାନା ସହିତ ଯୋଗାଯୋଗ କରି ଘଟଣାର ଖୋଳତାଡ ଆରମ୍ଭ କରିଛି ବୋଲି ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି  ।