ଦାଦନ ଶ୍ରମିକ ଉଦ୍ଧାର,ଦଲାଲ ଗିରଫ
ନୂଆପଡା :ନୂଆପଡ଼ା ଥାନା ପୁଲିସ ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ ହେଉଥିବା ସୂଚନା ପାଇଁ ଚଢ଼ଉ କରିଛି । ଚଢ଼ଉରେ ପୁଲିସ ୨୦ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ୫ ଦଲାଲଙ୍କୁ ଗିରଫ କରିଥିଲା । ଏଥିସହ ଏହି ଚାଲାଣରେ ବ୍ୟବହୃତ ୩ଟି ଚାରିଚକିଆ ଗାଡ଼ି ଜବତ କରିଛି । ଗିରଫ ଦଲାଲମାନେ ହେଲେ ଲଖନା ଥାନା ବଙ୍ଗୋମୁଣ୍ଡା ଗାଁର ତିନି ଭାଇ ଲୋକେଶ ସାହୁ, ମୁକେଶ ସାହୁ, ଦିନେଶ ସାହୁ, କୋମନା ଥାନା ସେମେଲପାଲି ଗାଁର ନରେନ୍ଦ୍ର ରଣା ଓ କାର୍ତ୍ତିକ ମହତୋ । ନୂଆପଡ଼ା ଜିଲ୍ଲାରେ ବେଆଇନ ଦାଦନ ଚାଲାଣ ଜୋରସୋରରେ ଚାଲିଛି । ଗତ କିଛିଦିନ ହେଲା ନୂଆପଡ଼ା ରେଲୱେ ଷ୍ଟେସନରୁ ଟ୍ରେନ ଯୋଗେ ବିଶାଖାପାଟଣା ଓ ରାୟପୁରକୁ ଶ୍ରମିକ ଚାଲାଣ ହେଉଛି । ଗତକାଲି ବିଳମ୍ବିତ ରାତିରେ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେର ନିଦେ୍ର୍ଦଶକ୍ରମେ ଏସଆଇ ଜ୍ୟୋତିରଞ୍ଜନ ସେନାପତୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ନୂଆପଡ଼ା ରେଲୱେ ସେଷ୍ଟସନରେ ଚଢ଼ଉ କରିଥିଲା । ସେଠାରେ ଦୁଇଟି ଶ୍ରମିକ ଗୋଷ୍ଠୀରେ ୨୦ ଜଣ ଶ୍ରମିକଙ୍କ ଆବଶ୍ୟକ କାଗଜପତ୍ର ଯାଞ୍ଚ କରିଥିଲା । ବେଆଇନ ଶ୍ରମିକ ଚାଲାଣ କରାଯାଉଥିବା ସ୍ପଷ୍ଟ ହେବାରୁ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା ଓ ଶ୍ରମିକମାନେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଭେଲୁଆଖୋଲ, ଲଖନା ଥାନା ଡୋଙ୍ଗରପଡ଼ା, କୋମନା ଥାନା ସେମେଲପାଲି ଅଞ୍ଚଳର ବୋଲିଜଣାପଡ଼ିଛି । ଏମାନେ ଆନ୍ଧ୍ରପ୍ରଦେଶ ରାଜ୍ୟ ହାଇଦ୍ରାବାଦ କରିମନଗର ଅଞ୍ଚଳକୁ ଇଟା ତିଆରି କରିବାକୁ ଯାଉଥିଲେ । ଶ୍ରମିକମାନଙ୍କୁ ସେମେଲପାଲି ଗାଁର ଜନୈକ ସର୍ଦ୍ଦାର ନେଇ ଚାଲାଣ କରୁଥିଲେ ।ବେଆଇନ ଦାଦନ ଚାଲାଣ ଅଭିଯୋଗରେ ଲଖନା ଥାନା ବଙ୍ଗୋମୁଣ୍ଡା ଗାଁର ତିନି ଭାଇ ଲୋକେଶ, ମୁକେଶ, ଦିନେଶ, କୋମନା ଥାନା ସେମେଲପାଲି ଗାଁର ନରେନ୍ଦ୍ର ଓ କାର୍ଭିକ ଭଳି ୫ଜଣ ଦଲାଲଙ୍କୁ ପୁଲିସ ଗିରଫ କରିଥିଲା ।ସେହିପରି ୩ଟି ଚାରିଚକିଆ ଗାଡି ଓଡି ୨୬ଡି ୪୩୮୪, ଓଡି ୦୩ଏସି ୭୧୬୮ ଏବଂ ଓଡି ୨୬ଇ ୯୩୪୫ ସହ ୫ଟି ମୋବାଇଲକୁ ଜବତ କରିଛି । ରାତିରେ ସମସ୍ତ ଉଦ୍ଧାର କରି ଶ୍ରମିକଙ୍କୁ ପୁଲିସ ସ୍ୱତନ୍ତ୍ର ଗାଡ଼ିରେ ସୁରକ୍ଷିତ ଘରେ ଛାଡ଼ି ଦେଇଥିଲା । ମଙ୍ଗଳବାର ଦିନ ତମାମ ଶ୍ରମିକ ଦଲାଲଙ୍କୁ ପଚରାଉଚୁରା କରିବା ସହ ପୁଲିସ ଅଧୂକ ତଦନ୍ତ କରିଥିଲା । ଅପରାହ୍ନରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବା ଆଇଆଇସି ଶ୍ରୀ ମେହେର ସୂଚନା ଦେଇଛନ୍ତି ।ଏବେ ନୂଆପଡ଼ା ଜିଲ୍ଲାରେ ଦାଦନ ଋତୁ ଆରମ୍ଭବହୋଇଛି । ନୂଆପଡ଼ା, ଖରିଆରରୋଡ଼ ଓ ଲଖନା ଭଳି ରେଲୱେ ଷ୍ଟେସନରୁ ବେଧଡ଼କ ବେଆଇନ ଭାବେ ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ ହେଉଛି । ଏହାକୁ ରୋକିବା ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।