ଅଶାନ୍ତ ଇରାନ

ଅଶାନ୍ତ ଇରାନ

ସୌଭାଗ୍ୟ ରଂଜନ ମହାନ୍ତି : ଗଲା ମାସ ୨୮ତାରିଖ ଦିନ ଇରାନର ରାଜଧାନୀ ତେହେରାନର ଗ୍ରାଣ୍ଡ ବଜାରରେ ଡଲାର ତୁଳନାରେ ଇରାନୀୟ ମୁଦ୍ରା ‘ରିୟାଲ’ର ମୂଲ୍ୟ ହ୍ରାସ ଓ ଆକାଶଛୁଅାଁ ଦରଦାମ ତଥା ମୁଦ୍ରାସ୍ଫୀତି ବୃଦ୍ଧି ବିରୁଦ୍ଧରେ କେତେକ ଦୋକାନୀ ଆରମ୍ଭ କରିଥିବା ଆନ୍ଦୋଳନ ଏତେ ତୀବ୍ରତର ଓ ଉଗ୍ର ଆକାର ଧାରଣ କରିଛି ଯେ, ୧୯୭୯ରେ ଏହାର ପ୍ରତିଷ୍ଠା ପରଠାରୁ ଇସଲାମିକ୍‌ ରିପ୍ଲବିକ୍‌ ଗୁରୁତର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଦେଶର ଧାର୍ମିକ  ଶାସନ ବ୍ୟବସ୍ଥାର ନଗ୍ନରୂପ ବିଶ୍ୱବାସୀଙ୍କ ନିକଟରେ ପଦାରେ ପକାଇବା ସହ ଗୃହ ଯୁଦ୍ଧର ସଂକେତ ଦେଇଛି । ଦେଶବ୍ୟାପୀ ଆନ୍ଦୋଳନରେ ଯୁବକ, ଛାତ୍ର, ମହିଳାଙ୍କ ଠାରୁ ଆରମ୍ଭ କରି ୫୦ ନିୟୁତରୁ ଅଧିକ ଲୋକ ସାମିଲ ହୋଇଥିବାବେଳେ ଏହାକୁ ଦମନ କରିବା ପାଇଁ ଇସଲାମିକ୍‌ ସରକାର ସାମରିକ ଆଇନ ଲାଗୁ କରିବା ସହ ଆନ୍ଦୋଳନକାରୀଙ୍କୁ ଦେଖିବା ମାତ୍ରେ, ଗୁଳି ନିର୍ଦ୍ଦେଶ ଦେବା ଯୋଗୁଁ ସରକାରୀ ରିପୋର୍ଟରେ ୩୦୦୦ରୁ ଉଦ୍ଧ୍ୱର୍ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବା କୁହାଯାଏ । ବେସରକାରୀ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । କେବଳ ଏତକିି ନୁହେଁ, ବହୁ ଆନ୍ଦୋଳନକାରୀଙ୍କୁ ବିନା ବିଚାରରେ ପ୍ରକାଶ୍ୟରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ରିପୋର୍ଟ ପ୍ରକାଶ ପାଇଛି ।  


 ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘକାଳ ଧରି କଠୋର ପାଶ୍ଚାତ୍ୟ କଟକଣାର ସମ୍ମୁଖୀନ ହୋଇ ଇରାନର ଅର୍ଥନୀତି ଦୁର୍ବଳ ହୋଇପଡିଥିବାବେଳେ ଗତ ବର୍ଷ ଜୁନରେ ଇସ୍ରାଏଲର ବୋମା ବର୍ଷଣ ଅଭିଯାନରେ ଆର୍ôଥକ ବ୍ୟବସ୍ଥା ଆହୁରି ବିପର୍ଯ୍ୟସ୍ତ ହୋଇପଡିଛି । ଯାହାର ପରିଣତି ସହ ‘ରିୟାଲ’ର ମୂଲ୍ୟ ହ୍ରାସ ସହ ଦରଦାମ ଆକାଶଛୁଅାଁ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଇରାନ ସରକାର ତୈଳ ଦର ବୃଦ୍ଧି କରିବା ସହ କେତେକ ଖାଦ୍ୟ ସାମଗ୍ରୀ ଉପରୁ ସବସିଡି ପ୍ରତ୍ୟାହାର କରି ନେବା ଯୋଗୁଁ ଦରଦାମ ବୃଦ୍ଧି ଆହୁରି ଉପରମୁହାଁ ହୋଇଥିଲା । ଯାହାକି ଜନସାଧାରଣଙ୍କ ଅସନ୍ତୋଷକୁ ଆହୁରି ଘନୀଭୂତ କରିବା ସହ ଶେଷରେ ଉଗ୍ର ଆନ୍ଦୋଳନର ରୂପ ନେଇଥିଲା । ଆନ୍ଦୋଳନ, ପ୍ରତିବାଦ ଗତ ସପ୍ତାହରେ ହିଂସାରେ ପରିଣତ ହୋଇଥିବାବେଳେ ସରକାରଙ୍କ ନୃଶଂସ ଦମନ ନୀତିରେ ୩ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଆମେରିକା ଓ ନରୱେର  ଗ୍ରୃପ ପକ୍ଷରୁ କୁହାଯାଇଛି । ଇରାନରେ ଆଭ୍ୟନ୍ତରୀଣ ଅସନ୍ତୋଷ ଆନ୍ଦୋଳନ ପୂର୍ବରୁ ବାରମ୍ବାର ବୈଦେଶିକ ଆକ୍ରମଣ ଧମକର ସମ୍ମୁଖୀନ ହୋଇଥିବାବେଳେ ଗତ ଜୁନ ମାସରେ ଆମେରିକା-ଇସ୍ରାଏଲ ପକ୍ଷରୁ ବୋମା, କ୍ଷେପଣାସ୍ତ୍ର ଆକ୍ରମଣରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା ।  ନିଅାଁରେ ଘିଅ ଢାଳିବା ପରି ଗତ ୧୩ତାରିଖ ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ଖୋଲାଖୋଲି ଭାବେ ଆନ୍ଦୋଳନକାରୀଙ୍କୁ ଉସୁକାଇଛନ୍ତି । ଟ୍ରମ୍ପ ଆନ୍ଦୋଳନକାରୀଙ୍କୁ କହିଛନ୍ତି ଯେ, ‘ତୁମେମାନେ ଶାସନ ବ୍ୟବସ୍ଥାକୁ ଦଖଲ କର’- ‘ସହାୟତା ବାଟରେ ରହିଛି’ । କହିବା ବାହୁଲ୍ୟ ଯେ, ଇରାନର ରାଜନୈତିକ ଓ ଅର୍ଥନୈତିକ ବ୍ୟବସ୍ଥା ହେଉଛି କରିବା ସମ୍ଭବ ହେଉନଥିବା ପରି ବାରମ୍ବାର ଆନ୍ଦୋଳନ, ପ୍ରତିବାଦ ଦେଶର ଢାଂଚାଗତ ବ୍ୟବସ୍ଥାକୁ ଦୁର୍ବଳ କରିଦେଇଥିବାବେଳେ ସରକାର ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ସମାଧାନ କରିବାରେ ସମ୍ପୂର୍ଣ୍ଣ ବ୍ୟର୍ଥ ହୋଇଛନ୍ତି ।  ସେହିପରି ସ୍ୱେଚ୍ଛାଚାରୀ ଧର୍ମାନ୍ଧ ଶ।।ସନ ଲୋକଙ୍କ ପାଇଁ ଅଧିକ ଦୁଃଖ, ନିର୍ଯାତନାର କାରଣ ଭାବେ ଉଭା ହୋଇଛି ।

 
ମୋ:୭୯୭୮୬୬୬୪୦୩