ପୂଜା ପାର୍ବଣ ଓ ମାନବୀୟ ଆଚରଣ
ଡ.ମନୋଜ କୁମାର ମହାନ୍ତି : ଆର୍ଯ୍ୟଭୂମି ଭାରତବର୍ଷ ତାର ପ୍ରାଚୀନ ପରମ୍ପରା ସଂସ୍କୃତି ଓ ଆଧ୍ୟାତ୍ମିକତାକୁ ନେଇ ସମଗ୍ର ବିଶ୍ୱରେ ପରିଚିତ । ଚାରିଧାମରୁ ଓଡିଶାଧାମ ଅନନ୍ୟ । ବାରମାସ ତେରପର୍ବ ଆମ ଉତ୍କଲୀୟ ପରମ୍ପରା । ସାମାଜିକ ସୌହାର୍ଦ୍ଦ୍ୟ ସହ ପରମ୍ପରାକୁ ବଜାୟ ରଖିବା ଲକ୍ଷ୍ୟରେ ସମସ୍ତ ପର୍ବପର୍ବାଣି । ଉଭୟ ଆଧ୍ୟାତ୍ମିକ ଓ ସାମାଜିକ ଚେତନାର ଜାଗରଣ ପାଇଁ ସମସ୍ତ ପ୍ରାଚୀନ ପରମ୍ପରାର ଅଭ୍ୟୁଦୟ । ଆମ ବିଶ୍ୱାସ, ପୂଜାପଦ୍ଧତି ଏବଂ ଆରାଧନା ଅନ୍ୟ ସଂସ୍କୃତିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଉତ୍କଳୀୟ ପରମ୍ପରାର ଅକ୍ଷୁର୍ଣ୍ଣତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆମ ଆରାଧ୍ୟମାନଙ୍କୁ ପାରମ୍ପାରିକ ଢ଼ଙ୍ଗରେ ପୂଜାର୍ଚ୍ଚନା କରିଥାଉ । ସେଥିପାଇଁ ଓଡ଼ିଶାର ପୂରପଲ୍ଲୀରେ ମନ୍ଦିର, ପୁଜାସ୍ଥଳୀ ଓ ଉପାସନା ପୀଠରେ ଲାଗେ ପ୍ରବଳ ଭିଡ଼ ।
ଈଶ୍ୱରୀୟ ବିଶ୍ୱାସରେ ନିମଗ୍ନ ଓଡ଼ିଶାବାସୀ ସେମାନଙ୍କ ଇଷ୍ଟକୁ ପାଣି, ପବନ, ବୃକ୍ଷ, ଅଗ୍ନୀ ଓ ମାଟିପଥରରେ ନିର୍ମିତ ଭିନ୍ନଭିନ୍ନ ଦେବତାଙ୍କ ପ୍ରତିମା ମଧ୍ୟରେ ଅନୁଭବ କରୁଥିବାରୁ ତାଙ୍କ ଆଶିଷପାଇଁ ଏକ ନିର୍ଦ୍ଧିଷ୍ଟତିଥିର ଆବଶ୍ୟକତା ରହିଛି । ଯେମିତିକି ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷରେ ଦ୍ୱିତୀୟା ତିଥିରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଳନ କରାଯାଇଥାଏ । କିଛି ପର୍ବ ଆମର ନିଜସ୍ୱ ଯାହା ଆଞ୍ଚଳିକ ଓ ଆଉ କିଛି ଜାତୀୟ ପର୍ବରେ ଆମେ ନିଜକୁ ସାମିଲ କରିଥାଉ । ପୂଜାର୍ଚ୍ଚନା, ଓଷାବ୍ରତ, ପର୍ବପର୍ବାଣି ଆମ ଆଶାବିଶ୍ୱାସର ସମର୍ପିତ ଭାବ । ପ୍ରାଥମିକ ଅବସ୍ଥାରେ ପୂଜାର୍ଚ୍ଚନା ଥିଲା ସାତ୍ତ୍ୱିକ ଶ୍ରଦ୍ଧା, ଭକ୍ତି ଏବଂ ନିଷ୍ଠାପୂର୍ଣ୍ଣ । କିନ୍ତୁ ସମୟକ୍ରମେ ତାହା ତାମସିକ ରୂପରେ ରୂପାନ୍ତରିତ ହେବାରେ ଲାଗିଛି । ପରିବର୍ତ୍ତନ ତଥା ଆଧୁନିକତାର ଦ୍ୱାହିଦେଇ ପୂଜାପଦ୍ଧତି ବ୍ୟୟବହୁଳ ସହ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଚାଲିଛି ।
ରଜ ସଂକ୍ରାନ୍ତି ପରେ ଆସେ ଆଷାଢ଼ ମାସ । ଆଷାଢ଼ର ରଥଯାତ୍ରା, ଶ୍ରାବଣର କାଉଡ଼ିଯାତ୍ରା ପରେପରେ ଆରମ୍ବ ହୁଏ ମୂର୍ତ୍ତିପୂଜାର ପର୍ବ ସିଦ୍ଧି ବିନାୟକ ଗଣେଶ ଚତୁର୍ଥୀ ଭିନ୍ନ ଭିନ୍ନ ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ ଓ କ୍ଲବ ପକ୍ଷରୁ ଆୟୋଜନ କରାଯାଇଥାଏ । ଖୁଦୁରୁକୁଣୀ ପୂଜା ଗାଁସହର ଯୁବତୀମାନଙ୍କର ଓ ବିଶ୍ୱକର୍ମା ପୂଜାର ଅୟୋଜନ ସମସ୍ତ ବେସରକାରୀ ଗାଡ଼ି ମାଲିକଙ୍କ ଦ୍ୱାରା । ଅଶିଣ ଆରମ୍ଭରେ କାଶତଣ୍ଡୀର ଶୁଭାରମ୍ଭ ସହ ପାର୍ବଣଋତୁର ହୁଏ ଆଗମନ । ସହରର ବିଭିନ୍ନ ପୁଜାକମିଟି ପକ୍ଷରୁ ଆୟୋଜିତ ହୁଏ ମୂର୍ତ୍ତିପୂଜାର ସମ୍ଭାର । ସବୁ ପୂଜାପାର୍ବଣରେ ଯୁବସମାଜ ଚାକଚକ୍ୟକୁ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୂପେ ମାନସିକ ସ୍ତରରେ ଗ୍ରହଣ କରିସାରିଛି । ରୁପଚର୍ଯ୍ୟା ଯେମିତି ଆଧୁନିକତାକୁ ଗ୍ରାସ କରିସାରିଛି ସେମିତି ପାରମ୍ପରିକ ପୂଜାର୍ଚ୍ଚନା ମଧ୍ୟ ଚାକଚକ୍ୟ ଓ ଆଡ଼ମ୍ବରତା ମଧ୍ୟରେ ନିଜର ପରିଚୟ ଥାପିଛି । ବୈଷୟିକ ଜ୍ଞାନକୌଶଳ ମଣିଷର ରୁଚିକୁ ସତରେ ବହୁଗୁଣିତ କରିଛି । ଦୁନିଆ ସାଜିଛି ରଙ୍ଗୀନ ରଙ୍ଗମଞ୍ଚ । ଅନ୍ୟର ଦୃଷ୍ଟି ଆକର୍ଷଣ ସହ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଏ ପାର୍ବଣ ସାଜସଜ୍ଜା । ଇନ୍ଦ୍ରିୟ ଭୋଗବିଳାସ ହିଁ ମଣିଷର ସର୍ବଶ୍ରେଷ୍ଠ ସୁଖ ।ଯାହାକିଛି ସେ କରୁଛି ସବୁତ ଇନ୍ଦ୍ରିୟ ସୁଖପାଇଁ । ଆଖିକୁ ସୁନ୍ଦର ସହ ଅନ୍ୟକୁ ଦେଖେଇ ହେବାରେ ସେ ବେଶୀ ଖୁସି ।
ଆଜିର ଅଧିକାଂଶ ପର୍ବପର୍ବାଣି ତିନୋଟି ପ୍ରମୁଖ ବିଷୟ ଉପରେ ଧ୍ୟାନ ରଖେ । ଆକର୍ଷଣୀୟ ଦେବାଦେବୀଙ୍କ ପ୍ରତିମୂର୍ତ୍ତି, ଅତ୍ୟାଧୁନିକ ବାହ୍ୟ ସାଜସଜ୍ଜା ଓ ଭିଡ଼ପୂର୍ଣ୍ଣ ଭସାଣୀଯାତ୍ରାରେ ମୂର୍ତ୍ତି ବିସର୍ଜନ । ଏସବୁର କେନ୍ଦ୍ରବିନ୍ଦୁରେ ଯୁବସମାଜ । ପାଠୁଆ, ଅପାଠୁଆ, କର୍ମଠ ଓ ବେକାର ଯୁବକ ସମସ୍ତେ ଏକାକାର । ପର୍ବପର୍ବାଣି ଅନୁଷ୍ଠିତ ହେବାର ବହୁଆଗରୁ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ଆଜିକାଲି ବାରମାସ ତେରପର୍ବ ସବୁକିଛି ସାଧାରଣ ଜନତାଙ୍କ ଚାନ୍ଦାରେ ଆୟୋଜନ ହୁଏ । ସହର ଭଡ଼ାଟିଆଙ୍କଠୁ ଆରମ୍ଭ କରି ଉଭୟ ସ୍ଥାୟୀ ଓ ଉଠାଦୋକାନଙ୍କ ପାଖରୁ ଏକ ନିର୍ଦ୍ଧିଷ୍ଟ ଅଙ୍କର ଚାନ୍ଦା ଆଦାୟର ଯୋଜନା ହୋଇଥାଏ । ନିପଟ ମଫସଲ ଗାଁରେ ଘର ଘର ବୁଲି, ରାସ୍ତାରେ ଯାତାୟାତ ଲୋକ, ବୁଲା ବେପାରୀମାନଙ୍କୁ ରାସ୍ତା ମଝିରେ ଅଟକାଇ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ ଏବେକା ଯୁବଗୋଷ୍ଠୀଙ୍କ ଚିରାଚରିତ ଅଭ୍ୟାସ ପାଲଟିଯାଇଛି । ସହରରେ ଭଡ଼ାରେ ରହୁଥିବା ଲୋକମାନେ ସ୍ୱାଭାବିକ ସ୍ଥାନୀୟ ଲୋକଙ୍କ ପ୍ରତି ଭୟପ୍ରକଟ କରି ଚାନ୍ଦା ଦେବାକୁ ବାଧ୍ୟ ହୁଅନ୍ତି । କେହି ଯଦି ନଦିଏ ତାକୁ ନାଲି ଆଖିର ଭୟ ଦେଖାନ୍ତି । ଚାନ୍ଦାଟଙ୍କାରେ ହୁଏ ମଦ ମାଂସର ଆସର ।
ପ୍ରାୟ ଅଧିକାଂଶ ଦେବାଦେବୀମଣ୍ଡପ ରାସ୍ତାପାର୍ଶ୍ୱରେ ।ମଣ୍ଡପରେ ଦେବାଦେବୀଙ୍କୁ ସାଧାରଣ ଜନତାଙ୍କ ଦର୍ଶନ ଓ ଆକର୍ଷଣ କରିବା ଲକ୍ଷ୍ୟରେ ରାସ୍ତାରେ ତୋରଣଠାରୁ ଆରମ୍ଭକରି ଫାଟକ ସବୁକିଛି ମଝିରାସ୍ତାରେ । ସେଥିପାଇଁ ପର୍ବପର୍ବାଣି ସମୟରେ ରାସ୍ତାରେ ଯାତାୟାତରେ ବହୁମାତ୍ରାରେ ବ୍ୟାଘାତ ଘଟେ । ପର୍ବପର୍ବାଣି ସମୟରେ ରାସ୍ତା ଅବରୋଧ କିଛି ନୂଆକଥା ନୁହେଁ । କେବେ କେବେ ବର୍ଷା ଓ ପବନ ପ୍ରଭାବରେ ତୋରଣ ଭାଙ୍ଗି ରାସ୍ତା ଅବରୋଧ ସହ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳେ । ଏସବୁ ସତ୍ତେ୍ୱ୍ୱ ସାଧାରଣ ଜନତା ପରମ୍ପରାକୁ ବଜାୟ ରଖନ୍ତି । ଆଜିର ଆନୁଷ୍ଠାନିକ ପୁଜାପର୍ବାଣି ନାଁରେ ଚାଲିଛି ତାମସା । ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ଗଣେଶ ପୂଜା ଅନୁଷ୍ଠିତ ସହ ବିଗତ କେତେ ବର୍ଷହେବ ଯୁବକ୍ଲବ୍ ଦ୍ୱାରା ମଧ୍ୟ ବିନାୟକ ପୂଜା ଅୟୋଜନ କରାଯାଉଛି । ପୂଜାଦିନ ସବୁକିଛି ଠିକ୍-ଠାକ୍ କିନ୍ତୁ ପ୍ରତିମୂର୍ତ୍ତିକୁ ୨୦ରୁ ୩୦ଦିନ ପର୍ଯ୍ୟନ୍ତ ରଖି ମୂର୍ତ୍ତି ପ୍ରତି ଯେଉଁ ହତାଦାର ତାହା କେଉଁ ଭକ୍ତିଶ୍ରଦ୍ଧାର ପରିଭାଷା । ପୂଜା ପେଣ୍ଡାଲରେ ବୁଲା କୁକୁର ଓ ବୁଲା ଷଣ୍ଢ ମଳତ୍ୟାଗ ଭଳି ଅଶୋଭନୀୟ ଘଟଣା ଦେଖିବାକୁ ମିଳୁଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଭସାଣୀ ଉତ୍ସବ ପ୍ରକୃତରେ ପ୍ରତ୍ୟେକ ମୂର୍ତ୍ତିପୂଜାର ଏକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମୁଖ୍ୟକାର୍ଯ୍ୟ, ଏକ ଅବିଛେଦ୍ୟ ଅଙ୍ଗ ।
ଭୋଗରାଗ ତେଣିକି ପଚା କଦଳୀରେ ସମ୍ପୂର୍ଣ୍ଣ ହେଉ, ପୂଜାର୍ଚ୍ଚନା ଯେମିତି ହେଉନା କାହିଁକି କିନ୍ତୁ ଭସାଣୀ ହେବ ଜୋରଦାର । ଭସାଣୀ ଦିନ ଚକାଜାମ । ଭେଳିକିଭେଳି ବାଜା, ରଙ୍ଗବେରଙ୍ଗର ଉଜ୍ଜ୍ୱଳ ଜିକ୍ ମିକ୍ ଆଲୋକ, ଡାକବାଜି ଯନ୍ତ୍ରର ବିକଟାଳ ରଡ଼ି, ଡିଜେର ଛାତିଥରା ଶବ୍ଦ, ବିଭିନ୍ନପ୍ରକାରର ବାଣ ଓ ଆତସବାଜିର ଢୋଢା ସହ କେଉଁଠି ବାଳକ ବାଳିକାଙ୍କ ଆଧୁନିକ ନୃତ୍ୟ ତ ପୁଣି କେଉଁଠି ମହିଳାବେଶରେ ପୁରୁଷର ଛାତିପେଟ ଦର୍ଶନ । ମଦନିଶାରେ ଚୂର୍ ବୁଢ଼ାଭେଣ୍ଡିଆ ସହ ନବ ଯୌବନଧାରୀ ବାଳକଗଣ । ଖାଲି ସେତିକିନୁହେଁ ଉଭୟ ଦେଶୀ, ମହୁଲୀ, ବିଦେଶୀ ନଂ୧ ସହ ଭାଙ୍ଗମିଶା ସର୍ବତ ନିଶାରେ ସଭିଁଏ ମସଗୁଲ । ବିନା ମଦରେ ଭସାଣୀ ଅଧୁରା । ବାପପୁଅ, ଦାଦାପୁତୁରା, ଜେଜେନାତିଙ୍କ ଆଧୁନିକ ଗୀତର ତାଳେତାଳେ ନୃତ୍ୟରେ ସମସ୍ତେ ବିଭୋର । ଭସାଣୀ ସମୟରେ ସାହି-ସାହି ମଧ୍ୟରେ ଗୋଷ୍ଠୀଗତ ବିବାଦ ବିଶୃଙ୍ଖଳା ଓ ଦ୍ୱନ୍ଦ୍ୱ ସୃଷ୍ଟି କରିବା ଆଜିର ଯୁବକମାନଙ୍କ ପୁରୁଣାରୋଗ । ଆମ ମେଢ଼ ଆଗରେ ତା ପରେ ଯାଇ ଆଉ କାହାର । ପରସ୍ପର ମଧ୍ୟରେ କଟାକ୍ଷ ଅଶ୍ଳୀଳ ଶବ୍ଦ ପ୍ରୟୋଗରୂପକ ବିବାଦ ପହଞ୍ଚେ ଥାନା କୋର୍ଟକଚେରି ପର୍ଯ୍ୟନ୍ତ ।
ଭାରତର ପ୍ରମୁଖ ସହରଗୁଡିକରେ ବର୍ଷସାରା ହେଉଥିବା ପର୍ବପର୍ବାଣିର ଭବ୍ୟତା, ବର୍ଣ୍ଣାଢ଼୍ୟ ସାଜସଜ୍ଜା, ଆଡମ୍ବରପୂର୍ଣ୍ଣ ରୋଶଣିରେ ଡାକବାଜି ଯନ୍ତ୍ରର ଉଚ୍ଚଶବ୍ଦ ସହ ଆତସବାଜି ସାଧାରଣ ଜନତାଙ୍କୁ ଆକୃଷ୍ଟ କରୁଛି ସତ କିନ୍ତୁ ପରିବେଶ ଓ ପାରିପାର୍ଶିକ ବ୍ୟବସ୍ଥାକୁ ପରୋକ୍ଷରେ କେତେମାତ୍ରାରେ ପ୍ରଭାବିତ କରୁଛି ତାହା ହିଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ସମୟେ ସମୟେ ମୂର୍ତ୍ତିକୁ ବିକୃତଭାବେ ନିର୍ମାଣକରି ଭକ୍ତି ନୁହେଁ ବରଂ ମନୋରଞ୍ଜନର ଉପାଦାନରୂପେ ପରିବେଶିତ କରାଯାଉଛି । ଆଜିକାଲି ମାଟି ଅପେକ୍ଷା ପ୍ଲାଷ୍ଟର ଅଫ ପ୍ୟାରିସ ଓ ଫାଇବରନିର୍ମିତ ମୂର୍ତ୍ତି, ପ୍ଲାଷ୍ଟିକ ଓ ଜରି ଫୁଲମାଳ, ଥର୍ମୋକୁଲ, ତଥା ଅନ୍ୟାନ୍ୟ କୃତ୍ରିମ ପୁଜା ଉପକରଣ ନଦୀଘାଟରେ ଜମିରହି ଅଳିଆ ଆବର୍ଜନା ସୃଷ୍ଟିକରିବା ସ୍ୱାଭାବିକ କଥା । ସମୂଦ୍ରକୂଳରେ ଅବସ୍ଥିତ ମହାରାଷ୍ଟ୍ର ସହରରେ ମୂର୍ତ୍ତି ବିସର୍ଜନ ଏକ ପ୍ରମୁଖ ସମସ୍ୟା ।
ସମୁଦ୍ର କୂଳରେ ବିସର୍ଜିତ୍ ପ୍ଲାଷ୍ଟର ଅଫ ପ୍ୟାରିସରେ ନିର୍ମିତ ବିନାୟକ ମୂର୍ତ୍ତି ସମୂଦ୍ର ତରଙ୍ଗରେ ଭାସିଆସି ସମୁଦ୍ରବେଳାରେ ମାଳମାଳ ବର୍ଷବର୍ଷ ପଡିରହି ମନରେ ଯେଉଁ ଦୁଃଖଦ ପରିସ୍ଥିତି ସୃଷ୍ଟିକରେ ତାହା ବେଳେବେଳେ ପର୍ବପାର୍ବଣ ପ୍ରତି ଆନ୍ତରିକ ସ୍ପୃହା କମେଇ ଦେଉଛି । ଈଶ୍ୱରଙ୍କ ଅସ୍ତିତ୍ୱକୁ ଉପଲବ୍ଧି କରିବା, ତାଙ୍କ ପ୍ରେମରେ ନିଜକୁ ଉତ୍ସର୍ଗ କରିବା, ତାଙ୍କ ଆଶିଷପ୍ରାପ୍ତି ହିଁ ମୂର୍ତ୍ତି ପୂଜାର ବିଶେଷତ୍ୱ । କିନ୍ତୁ ଆଜିର ଏ ମହାଆଡମ୍ବରପୂର୍ଣ୍ଣ ବିଳାସବ୍ୟସନ ମାନବୀୟ ଆଚରଣ ଆମ ଭକ୍ତିଭାବନାକୁ କେଉଁ ଆଡ଼କୁ ନେଇଯାଉଛି ତାହାହିଁ ଆଜିର ପ୍ରଶ୍ନବାଚୀ । ଯେଉଁ ପ୍ରତିମୂର୍ତ୍ତିକୁ ସାକ୍ଷାତ ପରମବ୍ରହ୍ମ ରୂପେ ଗ୍ରହଣ କରନ୍ତି ପୁଣି ପରବର୍ତ୍ତୀ ସମୟରେ ତାହା ଅଳିଆ ଆବର୍ଜନା କିପରି ପାଲଟି ଯାଏ? ଏହା ଆମ ମାନବୀୟ ଆଚରଣବିଧିରେ କେଉଁଠି ନା କେଉଁଠି ତ୍ରୁଟି ରହିଛି ।
ଭଦ୍ରକ
ମୋ: ୮୮୯୫୩୪୧୦୩୩