ଆକାଶଙ୍କ ବିଶ୍ୱ ରେକର୍ଡ : ୧୧ ବଲ୍‌ରେ ୫୦

ଆକାଶଙ୍କ ବିଶ୍ୱ ରେକର୍ଡ : ୧୧ ବଲ୍‌ରେ ୫୦

ନୂଆଦିଲ୍ଲୀ : ମେଘାଳୟର ବ୍ୟାଟସମ୍ୟାନ ଆକାଶ ଚୌଧୁରୀ ରଣଜୀ ଟ୍ରଫିରେ ଇତିହାସ ରଚିଛନ୍ତି । ଆକାଶ ମାତ୍ର ୧୧ ବଲରେ ଅର୍ଦ୍ଧଶତକ ହାସଲ କରି ବିଶ୍ୱ ରେକର୍ଡ କରିଛନ୍ତି । ପ୍ରଥମ ବଲରେ ସେ କିଛି ରନ୍‌ କରିନଥିବାବେଳେ ପରବର୍ତ୍ତୀ ଦୁଇଟି ବଲରେ ସେ ସିଙ୍ଗଲ ରନ୍‌ କରିଥିଲେ । ହେଲେ ପରବର୍ତ୍ତୀ ୮ ବଲରେ ସେ ୮ ଛକା ମାରି ରେକଡର଼୍ କରିଥିଲେ । ସୁରଟ କେସିକେ ପିଥୱାଲା ଗ୍ରାଉଣ୍ଡରେ ଅରୁଣାଚଳ ପ୍ରଦେଶ ବିପକ୍ଷ ଚଳିତ ରଣଜୀ ସିଜିନର ଏକ ମ୍ୟାଚରେ ଆକାଶ ମାତ୍ର ୧୧ ବଲ୍‌ରୁ ୫୦ ରନ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏହା ପୂର୍ବରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଦ୍ରୁତତମ ଅର୍ଦ୍ଧଶତକ ମାରିବାର ରେକର୍ଡ ୱାନ ହ୍ୱାଇଟ୍‌ଙ୍କ ନାମରେ ଥିଲା । ସେ ମାତ୍ର ୧୨ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ।

     ଖାଲି ସେତିକିନୁହେଁ, ଆକାଶ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଗୋଟିଏ ଓଭରରେ ଛଟି ଛକା ମାରିଛନ୍ତି । ଏହି କୀର୍ତ୍ତିମାନ ସ୍ଥାପନ କରିବାରେ ସେ ହେଉଛନ୍ତି ତୃତୀୟ ଖେଳାଳି । ଏହାବ୍ୟତୀତ ଏହି ଫର୍ମାଟ୍‌ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ବି କରିଛନ୍ତି । ସେ ଲଗାତାର ୮ ବଲରେ ୮ ଛକା ମାରିଥିଲେ । ଗୋଟିଏ ଓଭରରେ ଛଅ ଛକା ମାରିବା ସହ ଆକାଶ ଚୌଧୁରୀ ରବି ଶାସ୍ତ୍ରୀଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ରବି ଶାସ୍ତ୍ରୀ ୧୯୮୪-୮୫ରେ ବରୋଦା ବିପକ୍ଷରେ ଗୋଟିଏ ଓଭରରେ ଛଅ ଛକା ମାରିଥିଲେ । ହେଲେ ଆକାଶ ଲଗାତାର ୮ ବଲରେ ୮ ଛକା ମାରିବାରେ ପ୍ରଥମ ବ୍ୟାଟର ହୋଇଛନ୍ତି । ଅନ୍ତର୍ଜାତୀୟ ଟି-୨୦ରେ ଯୁବରାଜ ୧୨ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ମୋଟାମୋଟି କ୍ରିକେଟ୍‌ରେ ଆକାଶ ଚୌଧୁରୀ ଯୁବରାଜଙ୍କ ଏହି ମହାରେକର୍ଡ ବି ଭାଙ୍ଗିଛନ୍ତି ।

      ଆଠ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଆକାଶ ନିଜ ଇନିଂସର ଆରମ୍ଭ ଡଟ୍‌ ବଲରୁ ଏବଂ ଦୁଇଟି ସିଙ୍ଗଲ ରନରୁ କରିଥିଲେ । ଏହା ପରେ ପରବର୍ତ୍ତୀ ଆଠଟି ବଲରେ ସେ ଆଠ ଛକା ମାରି ନିଜର ଅର୍ଦ୍ଧଶତକ ପୂରା କରିଛନ୍ତି । ତାଙ୍କର ଏହି ଦମଦାର ଇନିଂସ ବଳରେ ମେଘାଳୟ ନିଜର ପ୍ରଥମ ଇନିଂସ ୬ ୱିକେଟ୍‌ ହରାଇ ୬୨୮ ରନର ବିଶାଳ ସ୍କୋର କରିଛି ।