ଭାରତ-ପାକିସ୍ତାନ ଲିଜେଣ୍ଡସ୍ କ୍ରିକେଟ୍ ହେବନି
ରଦ୍ଦ ହେଲା ଡବ୍ଲୁସିଏଲରେ ଖେଳା ଯିବାକୁ ଥିବା ଭାରତ- ପାକିସ୍ତାନ ମ୍ୟାଚ୍ । ବିଧିବଦ୍ଧ ଭାବେ ଡବ୍ଲୁସିଏଲ୍ ଏନେଇ ସୋସିଆଲ୍ ମିଡିଆରେ ଘୋଷଣା କରିଛି । ଇଂଲଣ୍ଡର ବର୍ମିଂହାମ୍ଠାରେ ହେବାକୁ ଥିବା ହାଇ-ଭୋଲଟେଜ୍ ଭାରତ-ପାକିସ୍ତାନ ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ମ୍ୟାଚକୁ ବାତିଲ କରିଦିଆଯାଇଛି । କିଛି ଭାରତୀୟ ଖେଳାଳି ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିଦେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ଇଣ୍ଡିଆ ଲିଜେଣ୍ଡସ୍ ଟିମ୍ ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ -ଡବ୍ଲୁସିଏଲ୍ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଓହରି ଯାଇଛି । ହରଭଜନ ସିଂ, ଇରଫାନ୍ ୟୁସୁଫ, ଧୱନ ପ୍ରମୁଖ ପହଲଗାମ୍ ଆକ୍ରମଣର ପ୍ରତିବାଦ ସ୍ୱରୂପ ମ୍ୟାଚ୍ ଖେଳିବାକୁ ମନା କରିଛନ୍ତି । ପହଲଗାମ୍ ଆକ୍ରମଣରେ ଅନେକ ନିରୀହ ଲୋକଙ୍କ ଜୀବନ ହାନି ହୋଇଥିବାରୁ ଏହା ଏକ ସମ୍ବେଦନଶୀଳ ପ୍ରତିବାଦ ବୋଲି କୁହାଯାଉଛି । ଡବ୍ଲୁସିଏଲ୍ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍କୁ ନେଇ ଉତ୍ସାହ ଥିଲା । କିନ୍ତୁ ବର୍ତ୍ତମାନର ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟ ଉପରେ ପ୍ରଭାବ ପକାଇପାରେ । ଏଠି ପ୍ରଶ୍ନ ଉଠୁଛି, ରାତାରାତି କେମିତି ନିଷ୍ପତ୍ତି ନେଲେ ଖେଳାଳି ? ଚୁକ୍ତିପତ୍ର କଲା ବେଳକୁ ପାକିସ୍ତାନ କଥା କାହିଁକି ଭାବିନଥିଲେ ?