ଆଜ୍ଞାନୁବର୍ତ୍ତିତା
ମୋର ଅଫିସରେ ଜଣେ ଖ୍ରୀଷ୍ଟିଆନ ବନ୍ଧୁ ଥିଲେ । ତାଙ୍କର ନାମ ଥିଲା ଜନ । ଜନ ଅଫିସରେ କର୍ମଚାରୀ ମାନଙ୍କୁ ସବୁବେଳେ ଆଜ୍ଞାନୁବର୍ତ୍ତୀ ହେବାକୁ ଶିକ୍ଷା ଦେଉଥିଲେ । ମୁଁ ତାଙ୍କୁ ପଚାରିଲି ତୁମେ ଆଜ୍ଞାନୁବର୍ତ୍ତିତାକୁ କାହିଁକି ଏତେ ଗୁରୁତ୍ୱ ଦେଉଛ? ସେ କହିଲେ ଆଜ୍ଞାନୁବର୍ତ୍ତିତା ଧର୍ମର ଏକ ଉପମୂଲ୍ୟବୋଧ । ଅବଜ୍ଞାରୁ ଏ ମାନବ ସମାଜର ସୃଷ୍ଟି । ଏତେ ଦୁଃଖ ଯନ୍ତ୍ରଣାର ଆରମ୍ଭ । ମୁଁ ତାଙ୍କ କଥା କିଛି ବୁଝି ପାରିଲି ନାହିଁ । ମୁଁ ପଚାରିଲି ତୁମେ ଏପରି କାହିଁକି କହୁଛ? ସେ କହିଲେ ଆଦାମ ଓ ଇଭଙ୍କୁ ଭଗବାନ ଏକ ନିଷିଦ୍ଧ ଫଳ ଖାଇବାକୁ ମନା କରିଥିଲେ । ସେମାନେ ଆଜ୍ଞାନୁବର୍ତ୍ତିତା କ'ଣ ବୁଝି ପାରିନଥିଲେ । ତାପରେ ଯାହା ହେଲା ଯାହା ହେଉଛି ତାହା ତୁମ ଆଗରେ ଅଛି ।
ମୁଁ କହିଲି ସନାତନ ଧର୍ମରେ ଭଗବାନଙ୍କୁ ଚିହ୍ନିବା ପାଇଁ ଭଗବାନ ପ୍ରତ୍ୟେକ ମଣିଷକୁ ଦୁଇଟି ଆଖି ଦେଇଛନ୍ତି ସେ ଦୁଇଟି ଆଖି ହେଉଛି ଧର୍ମ ଓ ଜ୍ଞାନ । ଜନ ପଚାରିଲେ ଧର୍ମ କ'ଣ? ମୁଁ କହିଲି ସତ୍ୟ ଯେତେବେଳେ କର୍ମରେ ପରିଣତ ହୁଏ ତାହାକୁ ସଦାଚାର ବା ଧର୍ମ କୁହାଯାଏ । ସର୍ବଦା ସତ୍କର୍ମ କରିବା ପାଇଁ ଓ ମନୁଷ୍ୟର ଇଚ୍ଛାଶକ୍ତିକୁ ଶୃଙ୍ଖଳିତ କରିବା ପାଇଁ ଚେଷ୍ଟା କରିବା ଉଚିତ । ପ୍ରେମପୂର୍ଣ୍ଣ କାର୍ଯ୍ୟ ହିଁ ଧର୍ମ । ଧର୍ମ ମାର୍ଗ ଆମକୁ ବ୍ରହ୍ମମାର୍ଗକୁ ନେଇଯାଇଥାଏ । ଆଦାମ ଓ ଇଭ ଯଦି ଭଗବାନଙ୍କର କଥା ଅବମାନନା କରିନଥାନ୍ତେ, ଆଜ୍ଞାନୁବର୍ତ୍ତୀ ହୋଇଥାନ୍ତେ ଧର୍ମ ଓ ଜ୍ଞାନର ଚକ୍ଷୁକୁ ବ୍ୟବହାର କରିଥାନ୍ତେ ତେବେ ସେମାନେ ବ୍ରହ୍ମଜ୍ଞାନୀ ହୋଇପାରିଥାନ୍ତେ ।
ଜନ୍ ମତେ ବୁଝାଇବାକୁ ଯାଇ କହିଲେ, ଏଇ ଆଦାମ ଓ ଇଭଙ୍କର ଅବୈଧ ମିଳନ ଫଳରେ ଧର୍ମ ଓ ଅଧର୍ମର ସନ୍ତାନମାନେ ଜନ୍ମ ହୋଇ ପଡ଼ିଛନ୍ତି । ଅଧର୍ମ ମିଥ୍ୟାକୁ ବିବାହ କରିବାକୁ ଲାଗିଲା ସେମାନଙ୍କର କନ୍ୟା ଅହଂକାର ଓ ପୁତ୍ର ମୋହ ଜନ୍ମ ହେଲେ । ସେମାନଙ୍କର ଅପବିତ୍ର ମିଳନ ଫଳରେ ପୁତ୍ର ଲୋଭ ଓ କନ୍ୟା କାମନା ଜନ୍ମ ନେଲେ । ମୁଁ ଜନ୍କୁ ବୁଝାଇବାକୁ ଯାଇ କହିଲି, ଏଇ ଧର୍ମ ଓ ଅଧର୍ମର ମାର୍ଗକୁ ବୁଝାଇବା ପାଇଁ ଭଗବାନ ବା ପରମପିତାଙ୍କୁ ବାରମ୍ବାର ପୃଥିବୀକୁ ଆସିବାକୁ ପଡ଼ୁଛି । ଜନ୍ ପଚାରିଲେ ତୁମେ ଅଧର୍ମ କହିଲେ କ'ଣ ବୁଝ? ମୁଁ ତାଙ୍କୁ ବୁଝାଇବାକୁ ଯାଇ କହିଲି "ପ୍ରବୃତ୍ତି ସର୍ବସ୍ୱ ଜୀବନ ହିଁ ଅଧର୍ମ' ଓ "ଆତ୍ମ ସର୍ବସ୍ୱ ଜୀବନ ହେଉଛି ଧର୍ମ' । ଅବତାର ପୁରୁଷମାନେ ଜନ୍ମ ନେଇ ଧର୍ମର ସଂସ୍ଥାପନ କରନ୍ତି । ଆମ ଧର୍ମରେ ସତ୍ୟ ଆତ୍ମାକୁ ବିବାହ କରେ । ସେମାନଙ୍କର ସନ୍ତାନ ସନ୍ତତି ଜନ୍ମ ହୁଅନ୍ତି ।
ଏକଥା ଶୁଣି ଜନ୍ଙ୍କର ଆଗ୍ରହ ବଢ଼ିଗଲା । ସେ କହିଲେ ସତ୍ୟ ଓ ଧର୍ମର ମିଳନ ଫଳରେ କେଉଁ କେଉଁ ସନ୍ତାନ ଜନ୍ମ ହେଲେ? ମୁଁ କହିଲି ସେମାନଙ୍କ ସନ୍ତାନମାନେ ହେଲେ "ଶ୍ରଦ୍ଧା', "ଦୟା', "ସନ୍ତୁଷ୍ଟି', "ବୃଦ୍ଧି', "ଲଜ୍ଜା', "ତୁଷ୍ଟି', "ଶାନ୍ତି', "ଗୌରବ ଓ ମୁକ୍ତି' । ଜନ୍ କହିଲା ତୁମେ ଠିକ କହିଛ । ବର୍ତ୍ତମାନ ଆମକୁ ବିଚାର କରିବାକୁ ହେବ ଆମେ କେଉଁ ବଂଶର ଅର୍ନ୍ତଭୁକ୍ତ? ଧର୍ମ ନା ଅଧର୍ମ । ମୁଁ କହିଲି ବର୍ତ୍ତମାନ ୯୦ଭାଗ ଲୋକ ଅଧର୍ମ ମାର୍ଗର ଅନ୍ତର୍ଭୁକ୍ତ । ଧର୍ମକୁ କେବଳ ବାକ୍ୟରେ ସୀମିତ ରଖିଛନ୍ତି । ମନୁଷ୍ୟ ସଦାଚାରର ପ୍ରତିମୂର୍ତ୍ତି ହୋଇଥିଲେ ମଧ୍ୟ ସେ ଧାର୍ମିକ ଜୀବନ ଯାପନ ଓ ଦୈବତ୍ୱ ସହିତ ସଂପର୍କ ରଖିଥାଏ । ବିଶ୍ୱାସ, ସତ୍ୟ ଓ ଧର୍ମ ନୀତିରେ ଅନୁରକ୍ତ ହୋଇପାରୁନାହିଁ । ଏହିପରି ଲୋକମାନଙ୍କର ବୋଝରେ ପୃଥିବୀ ଭାରାକ୍ରାନ୍ତ ହୋଇଛି । ସେ ଧନ ସଞ୍ଚୟ କରିବା ଅପେକ୍ଷା ଭଗବାନଙ୍କର କରୁଣା ଉପାର୍ଜନ କରିପାରି ନାହିଁ । ମୁଁ ମୋର ଅଫିସର ଲୋକମାନଙ୍କୁ ଆଜ୍ଞାନୁବର୍ତ୍ତିତା ହେବା ପାଇଁ ଯେତେ କହିଲେ ମଧ୍ୟ ସେମାନେ ଶୁଣୁ ନାହାଁନ୍ତି । ଜନ୍ କହିଲେ ବନ୍ଧୁ ମୋର ଗୀର୍ଜାକୁ ଯିବାର ସମୟ ହେଲାଣି । ମୁଁ କହିଲି ମୋର ମଧ୍ୟ ମନ୍ଦିରକୁ ଯାଇ ପ୍ରାର୍ଥନା କରିବାର ସମୟ ହେଲାଣି ଚାଲ ବିଦାୟ ।
ଅନୀତା ପଟ୍ଟନାୟକ,ମୋ : ୯୬୯୨୯୮୦୦୨୬