ମହାପାତ୍ର ନୀଳମଣି ସାହୁ

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ପ୍ରଭାବଶାଳୀ ସ୍ରଷ୍ଟା ମହାପାତ୍ର ନୀଳମଣି ସାହୁ । ସେ ଏକଧାରରେ ଔପନ୍ୟାସିକ, ଗାଳ୍ପିକ ଓ ପ୍ରାବନ୍ଧିକ । ସମାଲୋଚନା, ରମ୍ୟ ରଚନା, ଶିଶୁ ସାହିତ୍ୟ, କବିତା, ଅନୁବାଦ, ଆଧ୍ୟାତ୍ମିକ ରଚନା ଓ ସଂପାଦନ କ୍ଷେତ୍ରରେ ମଧ୍ୟ ତାଙ୍କର ଶକ୍ତିଶାଳୀ ଉପସ୍ଥିତି ସ୍ପଷ୍ଟ ଅନୁଭବ କରାଯାଏ । ତାଙ୍କ ଗଳ୍ପର ଭାଷା ଚିତ୍ରମୟ, ବର୍ଣ୍ଣମୟ ଓ ମନନଧର୍ମୀ । ତାଙ୍କ ଗଳ୍ପଗୁଡ଼ିକର କଥାବସ୍ତୁର ବ୍ୟାପକତା ଦେଖିଲେ, ବିସ୍ମିତ ହେବାକୁ ହୁଏ । ସେ ବାସ୍ତବବାଦୀ ସାହିତି୍ୟକ । ତାଙ୍କ ନିଜ ଭାଷାରେ "ମୋର ବିଶ୍ୱାସ, ମୁଁ ମୋର ଜୀବନରେ ଯାହା କିଛି ଲେଖେଁ କିଛି ମିଛ ଲେଖେନାହିଁ । ମୋ ମନରୁ ଗୋଟେ କିଛି ଫାନ୍ଦିକରି ଲେଖେନାହିଁ । ଜଗତ୍ରେ ଯାହାଘଟେ, ତାହା ମୁଁ ନିଜେ ଅନୁଭବ ନକରି ଲେଖେନାହିଁ । ଆଉ ମଧ୍ୟ ଆମର ଏ ଜଗତରେ ଯାହା କିଛି ଘଟିବା ଉଚିତ ବୋଲି ମୁଁ ମନେକର, ତାହା ବି ମୁଁ ନିଜେ ମୋ ଜୀବନରେ ପ୍ରଥମେ ପ୍ରୟୋଗ ନ କରି ଲେଖେନାହିଁ । ମୁଁ ମୋ ଜୀବନରେ ଅନେକ ମିଛ କଥା ପାଟିରେ କହିଛି । କିନ୍ତୁ ଗୋଟିଏ ହେଲେ ବି ମିଛ ଶବ୍ଦ ମୋ ଲେଖନୀରୁ ବାହାରିନାହିଁ ।' ମହାପାତ୍ର ନୀଳମଣି ଲେଖୁଥିଲେ ଓଡ଼ିଆ ଭାଷାଭାଷୀଙ୍କ ପାଇଁ । ନିଜ ଲେଖାଗୁଡ଼ିକର ହିନ୍ଦୀ ବା ଇଂରେଜୀ ଅନୁବାଦ ପାଇଁ ତାଙ୍କର ଆଗ୍ରହ ନଥିଲା ।
    କେବଳ ଓଡ଼ିଆ ପାଠକ ପାଠିକାଙ୍କର ଅଭିମତ ଶୁଣିବା ଲାଗି ସେ ସର୍ବଦା ବ୍ୟଗ୍ର ଥିଲେ । ସେ ସମାଜ ସଚେତନ ଲେଖକ । ସତ୍ୟ ପଛରେ ଧାଇଁଲା ବେଳେ ସେ ଦାର୍ଶନିକ ଓ ଯୋଗୀ । ଶିବ ବା ମଙ୍ଗଳ ପଛରେ ଧାଇଁଲା ବେଳେ ସେ କର୍ମୀ । ସୁନ୍ଦର ପଛରେ ଧାଇଁଲା ବେଳେ ପ୍ରେମୀ ଏବଂ ମହତ୍ ପଛରେ ଧାଇଁଲା ବେଳେ ଭକ୍ତ । ତାଙ୍କ ରଚନାରେ ମିଳେ ଜ୍ଞାନ, କର୍ମ, ପ୍ରେମ ଓ ଭକ୍ତିର ଉପାଦାନ ଏବଂ ସେଥି ଲାଗି ପ୍ରେରଣା । ୧୯୮୧ରେ ଆକାଶ ପାତାଳ ପାଇଁ ସେ ଲାଭ କରିଥିଲେ ଓଡ଼ିଶା ସାହିତ୍ୟ ଏକାଡ଼େମି ପୁରସ୍କାର ଏବଂ ୧୯୮୪ରେ ଅଭିଶପ୍ତ ଗନ୍ଧର୍ବ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମି ପୁରସ୍କାର । ୧୯୬୫-୧୯୬୯ ଝଙ୍କାର ପତ୍ରିକାର ସଂପାଦକ ଦାୟିତ୍ୱ ତୁଲାଇଥିଲେ । ଅଧ୍ୟାପନା ଥିଲା ତାଙ୍କର ବୃତ୍ତି । ରାଜ୍ୟର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରି ୧୯୮୪ରେ ବିଜେବିରୁ ଉପାଧ୍ୟକ୍ଷ ଭାବେ ଅବସର ନେଇଥିଲେ । ଧରା ଓ ଧାରା, ତାମସୀ ରାଧା, ରାନୁ ଅପାଠାରୁ ପୁଷି ପର୍ଯ୍ୟନ୍ତ, ସୁମିତ୍ରାର ହସ, ଆମେ ଓଡ଼ିଆ, ଯାଆ ନିଶା ସର୍ବଭୂତେଷୁ ଆଦି ତାଙ୍କର ଶ୍ରେଷ୍ଠ କୃତି ତାଲିକା ଅନ୍ତର୍ଭୁକ୍ତ । ୧୯୨୬ ଡିସେମ୍ବର ୨୨ ତାରିଖରେ ନିଆଳିରେ ସେ ଜନ୍ମ ହୋଇଥିଲେ । 
 ବିପିନ ବିହାରୀ ରାଉତ