ଆପଣା ସାମର୍ଥ୍ୟ ଉପରେ ବିଶ୍ୱାସ

ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଜୀବନରେ ଆପଣା ସାମର୍ଥ୍ୟ ଉପରେ କାହିଁକି ବିଶ୍ୱାସ ରଖିବାକୁ ହେବ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ସେଥିପାଇଁ ଆବଶ୍ୟକ ହେଉଥିବା ଶକ୍ତି, ଧୈର୍ଯ୍ୟ, ସମ୍ବଳ ଇତ୍ୟାଦି ରହିଥିବା ଦରକାର । ସମ୍ବଳ ନଥାଇ ଯଦି କେହି ଫଳ ଆଶା କରେ ତାହା ନିଷ୍ଫଳ ହେବା ସ୍ୱାଭାବିକ । 
ମଣିଷ ମନରେ ତ ଆଶା ଆକାଂକ୍ଷାର ସୀମା ନାହିଁ । ମାତ୍ର ସବୁ ଆଶା, ଆକାଂକ୍ଷାକୁ ପୂରଣ କରିବା ସମ୍ଭବ ନୁହେଁ । ଆଶା ହେଉଛି ଏକ ନଦୀ । ନଦୀରେ ବହି ଯାଉଥିବା ଜଳର ଆକଳନ କରିବା ସମ୍ଭବ ନୁହେଁ । ଯଦି ଜଣେ ନଦୀର ଜଳ କେତେ ଲିଟର ବୋହିଗଲା ବୋଲି ଗଣିବାକୁ ବା ମାପିବାକୁ ଇଚ୍ଛା କରିବ ତାହା କେବେ ସମ୍ଭବ ହେବ ନାହିଁ । କେବଳ ଏକ ଅନୁମାନ କରାଯାଇପାରେ, କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ମାପିବା ସମ୍ଭବ ନୁହେଁ । ନଦୀଜଳକୁ ମାପିବାକୁ ଯେତିକି ସାମର୍ଥ୍ୟ ଆବଶ୍ୟକ ତାହା ମନୁଷ୍ୟର ନାହିଁ ।  ଠିକ୍ ସେହିଭଳି ଅନ୍ୟ ସମସ୍ତ ଇଚ୍ଛା ଗୁଡ଼ିକୁ ପୂରଣ କରିବାକୁ ଚାହୁଁଥିଲେ ସେଥିପାଇଁ ସାମର୍ଥ୍ୟ ରହିବା ଦରକାର । ସାମର୍ଥ୍ୟ ନଥାଇ ଆଶା ମଣିଷକୁ ହାସ୍ୟାସ୍ପଦ କରେ । ପ୍ରଥମେ ଦକ୍ଷତା ଓ ସାମର୍ଥ୍ୟ ବଢ଼ାଇ ତା'ପରେ ଯଦି କିଛି ଆଶା କରାଯାଏ ତେବେ ତାହା ପୂରଣ ହୋଇପାରେ । ହେଲେ ସାମର୍ଥ୍ୟ ନଥାଇ ଯଦି ଆଶା କରାଯାଏ ସେଥିରେ ନିଜର ଶ୍ରମ, ସମୟ, ଉଦ୍ୟମ ଏବଂ ସମ୍ବଳ ସବୁକିଛିର ଅପଚୟ ହେବ । ତେଣୁ ବିଚାରବନ୍ତ ହୋଇ ନିଜର ସାମର୍ଥ୍ୟକୁ ନେଇ ଆଶା କରିଲେ ତାହା ସଫଳ ହେବ ।  ନିଜର ଆର୍ଥôକ ସମ୍ବଳ ନଥିବ, ଅଥଚ ବିଶାଳ ରାଜପ୍ରାସାଦ କିଣିବାକୁ ଆଶା ରଖିବା କିମ୍ବା ରଜାଘର ଧଳାହାତୀଟେ ଆଣି ଘରେ ରଖିବା ଭଳି ଆଶାପୋଷଣ କେବଳ ହାସ୍ୟାସ୍ପଦ କଥା । ଏଭଳି କାର୍ଯ୍ୟ ଠାରୁ ଦୂରେଇ ରହିବା ବୁଦ୍ଧିମାନ ବ୍ୟକ୍ତି ପକ୍ଷରେ ଉଚିତ୍ । ପ୍ରତ୍ୟେକ କାର୍ଯ୍ୟ ପଛରେ କିଛିନା କିଛି ଉଦ୍ୟମ ଥାଏ । ସମ୍ବଳ ଏବଂ ଉଦ୍ୟମ ହେଉଛି ମଣିଷର ସଫଳତାର ଦୁଇଟି ବଡ଼ ସ୍ତମ୍ଭ । ତେଣୁ ଏ ଦୁଇଟିକୁ ପ୍ରଥମେ ସୁଦୃଢ଼ କରିବାକୁ ପଡ଼େ । ସମ୍ବଳ ଥିଲେ ମଧ୍ୟ ଯଦି ଉଦ୍ୟମ ନକରିବ ତେବେ ଜୀବନରେ କିଛି ବି ମିଳିବ ନାହିଁ । ଅତଏବ ନିଜର ସାମର୍ଥ୍ୟ ଉପରେ ସର୍ବଦା ବିଶ୍ୱାସ ରଖନ୍ତୁ ଏବଂ ଆପଣା ସାମର୍ଥ୍ୟ ଦୃଷ୍ଟିରୁ ସମ୍ବଳ ଓ ଉଦ୍ୟମର ପରିସୀମା ଭିତରେ ଆଶା କରନ୍ତୁ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।