ଲୀଳାମୟ ଶ୍ରୀଜଗନ୍ନାଥଙ୍କ ଦିନଚର୍ଯ୍ୟା
ଅଜୟ କୁମାର ବେହେରା : ମହାପ୍ରଭୁ ଶ୍ରୀଜଗନ୍ନାଥ ସୌକୁମାର୍ଯ୍ୟର ଦେବତା । ତାଙ୍କର ସୁକୁମାର ପଣ ସବୁଠାରେ ଫୁଟିଉଠେ । ସକାଳର ଦିନଚର୍ଯ୍ୟାରୁ ପହୁଡ଼ ପୂର୍ବର ବଡ଼ସିଂହାର ପର୍ଯ୍ୟନ୍ତ । ଶ୍ରୀଜଗନ୍ନାଥଙ୍କର ସୁକୁମାରପଣ ବାରିହୁଏ ତାଙ୍କର ସକାଳୁ ରାତି, ଋତୁରୁ ଅନ୍ୟ ଋତୁଯାଏ । ତାଙ୍କର ରୀତି ନୀତିରୁ ସ୍ପଷ୍ଟ ଜଣାପଡେ଼ ତାଙ୍କର ସଜବାଜର ମାନବୀୟ ସ୍ୱରୂପକୁ । ପ୍ରତିଦିନ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଖୋଲିବା ମାତ୍ରେ ହିଁ ଆରମ୍ଭ ହୋଇଯାଏ ମହାପ୍ରଭୁଙ୍କ ଯାବତୀୟ ନୀତି ସହିତ ଦିନଚର୍ଯ୍ୟା । ପ୍ରଥମ ରୀତି ହେଲା, ମଙ୍ଗଳ ଆରତୀ । ତାପରେ ଗତରାତିରେ ତିନି ଦିଅଁ ସୁବେଶିତ ହୋଇଥିବା ବଡସିଂହାର ବେଶ ଓହ୍ଲାଇ ଦିଆଯାଇ ଠାକୁରମାନଙ୍କୁ ପ୍ରସ୍ତୁତ କରାଯାଏ ସ୍ନାନ ରୀତି ପାଇଁ ଯାହା ଶ୍ରୀମନ୍ଦିର ସତ୍ତ୍ୱଲିପିର ବର୍ଣ୍ଣିତ ଭାଷା ଅବକାଶ ନୀତି ନାମରେ ପରିଚିତ । ପାଠକେ ଜାଣି ଆଶ୍ଚର୍ଯ୍ୟ ହେବେ ମହାପ୍ରଭୁ ମଣିଷ ପରି ଦୈନିକ ଦାନ୍ତ ବି ଘଷନ୍ତି । ପ୍ରକୃତରେ ଏହି ଦନ୍ତମାର୍ଜନ କାର୍ଯ୍ୟଟି ଚମକ୍ରାରୀ ଦେବତା ଶ୍ରୀଜଗନ୍ନାଥଙ୍କର ଗୋଟିଏ ଅଦ୍ଭୁତ ରୀତି । ଦାନ୍ତଘଷା ପରେ ଠାକୁରମାନେ ସ୍ନାନ କରିଥାନ୍ତି । ଗାଧୋଇବା ବେଳେ ଠାକୁରମାନେ ଯେଉଁ ଲୁଗା ପିନ୍ଧନ୍ତି ସେଗୁଡ଼ିକ ତଡ଼ପ ଓ ଉତ୍ତରୀୟ ଭାବେ ପରିଚିତ । ଶ୍ରୀମନ୍ଦିର ସମ୍ପର୍କୀୟ ବିବରଣୀ ପୁସ୍ତିକା ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଉଲ୍ଲେଖ ରହିଛି, ପାଣିଆଘଟ ପାଣି ଆଣନ୍ତି । ଜିଭଛେଲା ଓ ଅନ୍ୟାନ୍ୟ ବାସନ ଦିଅଁଙ୍କ ଭଣ୍ଡାରରୁ ସୁଆରବଡ଼ୁ ଆଣି ଯୋଗାନ୍ତି । ଖଟୁଳି ସେବକ ଖଟୁଳି ଯୋଗାନ୍ତି । ଦର୍ପଣିଆ ଦର୍ପଣ ଆଣେ, ମୁଖରୁଚି ଅଁଏଳା ଘଟୁଆରୀ ଅଁଳା ଯୋଗାଏ । ଦାନ୍ତକାଠି, ମୁହଁ ଧୋଇବାକୁ ମୁଖ ପଖାଳ ପଢ଼ିଆରୀ ଦିଏ ।
ସ୍ନାନପରେ ମହାପ୍ରଭୁଙ୍କୁ ଅନ୍ୟ ଠାକୁର ମାନଙ୍କ ସହିତ ଦିବସର ପ୍ରଥମ ବେଶ କରାଯାଏ । ମଥାରେ ସୁନାର ରାହୁ ରେଖା ସହ ରତ୍ନ ଖଚିତ ଚିତାରେ ପରିଶୋଭିତ ହୁଅନ୍ତି । ଠାକୁରମାନେ ଯେଉଁ ବସ୍ତ୍ରରେ ପରିଶୋଭିତ ହୁଅନ୍ତି ସେଗୁଡ଼ିକୁ ଶାଢ଼ି ଖଣ୍ଟୁଆ ଓ ଶ୍ରୀକପଡ଼ା କୁହାଯାଏ । ଖଣ୍ଡେ ଖଣ୍ଡେ ୧୨ ହାତିଆ ଶାଢ଼ି ଦିଅଁମାନଙ୍କର ଅନ୍ତର୍ବାସ ରୂପେ ରହିଥାଏ । ଦିଅଁମାନଙ୍କ ମସ୍ତକ ଆବୃତ୍ତ କରୁଥିବା ବସ୍ତ୍ରର ନାମ ଶ୍ରୀକପଡ଼ା । ତିନି ଦେବତାଙ୍କୁ ଶୋଭିତ କରେ ମାତ୍ର ତିନୋଟି ଫୁଲ ଅଳଙ୍କାର ସେଗୁଡ଼ିକ ହେଲା ଗୁଣା, ଚିତା ଓ ଅଧରମାଳା । ବେଶ ପରେ ଆସ ସାହାଣମେଲା । ଏହି ଚର୍ଚ୍ଚିତ ସାହାଣ ମେଲା ନିର୍ଘଣ୍ଟ ସମୟରେ ଭକ୍ତମାନେ ମହାପ୍ରଭୁଙ୍କର ରତ୍ନସିଂହାସନ ନିକଟକୁ ଯାଇ ମହାପ୍ରଭୁଙ୍କର ଅପୂର୍ବ ମାନବୀୟ ରସିକମୟ ସୌକୁମାର୍ଯ୍ୟ ରାଜକୀୟ ଠାଣିକୁ ଉପଭୋଗ କରି ନିଜକୁ ଧନ୍ୟ ମନେ କରିଥାନ୍ତି । ଶ୍ରୀଅଙ୍ଗରେ ସୁବାସିତ ଚନ୍ଦନଲେପ ପରେ ଆରମ୍ଭ ହୁଏ ସବୁଠାରୁ ଆକର୍ଷଣୀୟ ବେଶ ବଡ଼ସିଂହାର ବେଶ । ବଡ଼ସିଂହାର ବେଶରେ ମହାପ୍ରଭୁ ବିଭିନ୍ନ ପ୍ରକାରର ଫୁଲ ପତ୍ରର ଅଳଙ୍କାରରେ ଖୁବ୍ ମନଲୋଭା ଲାଗନ୍ତି । ବଡ଼ସିଂହାର ବେଶ ପରେ ଆସ ଶ୍ରୀଜଗନ୍ନାଥଙ୍କର ରାତ୍ରୀଯାପନର ସମୟ । ଯାମର ତୃତୀୟ ବା ଚତୁର୍ଥ ପ୍ରହରରେ ପାଳିତ ହୁଏ ପୁରୀ ଶ୍ରୀମନ୍ଦିରରେ ପହୁଡ଼ ରୀତି । ଶ୍ରୀଲକ୍ଷ୍ମୀ-ନାରାୟଣଙ୍କ ରୂପା ନିର୍ମିତ ୧୦ ଇଞ୍ଚ ଉଚ୍ଚ ଶୟନବିଗ୍ରହ ଠାକୁରଙ୍କ ଶୟନ ସମୟରେ ବ୍ୟବହୃତ ହୋଇଥାନ୍ତି । ତିନୋଟି ସୁଶୋଭିତ ପଲଙ୍କ ପହୁଡ଼ ପାଇଁ ବ୍ୟବହୃତ ହୁଏ । ଅଦ୍ଭୁତ ପଲଙ୍କ ତିନୋଟି ରୂପା, ଗଜଦନ୍ତ, ସିଲକ ଓ କାଠରେ ତିଆରି ହୋଇଥାଏ । ମେକାପ ସେବକମାନେ ତିନୋଟି ପଲଙ୍କ ସହ ଖଟଶେଯ ତିନି ଠାକୁରଙ୍କ ସମ୍ମୁଖରେ ରଖିଦେବା ପରେ ପଢ଼ିଆରୀ ସେବକମାନେ ରତ୍ନସିଂହାସନ ଉପରେ ପାଞ୍ଚଗୋଟି ପଇଡ ରଖିଦେଇଥାନ୍ତି ।
ପୁଷ୍ପାଳକମାନେ ସେହି ପଇଡ଼କୁ ଭକ୍ତିର ସହିତ ଦିଅଁଙ୍କୁ ସମର୍ପଣ କରନ୍ତି । ତାପରେ ହଡ଼ପନାୟକ ବିଡ଼ିଆ ପାନ ଠାକୁରମାନଙ୍କୁ ମଣୋହି କରିଥାନ୍ତି । ମହାପ୍ରଭୁ ସୁମଧୁର ପଇଡ଼ ଓ ସୁଆଦିଆ ବିଡ଼ିଆ ପାନ ଖାଇ ସାରିଲା ପରେ ପରେ ଲିଭାଇ ଦିଆଯାଏ ଗର୍ଭଗୃହ ଓ ଜଗମୋହନର ସମସ୍ତ ବତି । ବନ୍ଦ ହୁଏ ଦକ୍ଷିଣପଟ ବେହରଣ ଦ୍ୱାର ଓ ଆଉଜାଇ ଦିଆଯାଏ ଜୟ ବିଜୟ ଦ୍ୱାର । ଶ୍ରୀମନ୍ଦିର ବାହାରେ ଭଜନମଣ୍ଡଳୀ ତଥା ଭକ୍ତମାନଙ୍କର ମହାପ୍ରଭୁଙ୍କର ଜୟ ଜୟକାରର ପ୍ରତିଧ୍ୱନି ପୁରୀ ଆକାଶକୁ ପ୍ରକମ୍ପିତ କରୁଥାଏ । ଅଳ୍ପଦୂରରେ ମହୋଦଧିରେ ଅବିରତ ଲହରିତ ହେଉଥିବା ଢେ଼ଉର ମୂର୍ଚ୍ଛନା ଗଭୀରତର ହେଉଥାଏ । ଠିକ୍ ଏହି ସମୟରେ ପଢ଼ିଆରୀ ସେବକ ଖୁବ୍ ଉଚ୍ଚ ପାଟିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଡାକ ଦିଅନ୍ତି ମଣିମା! ମଣିମା!....ରତ୍ନସିଂହାସନ ଛାଡ଼ି ରତ୍ନ ପଲଙ୍କରେ ବିଜେ ହୁଅନ୍ତୁ । ମହାପ୍ରଭୁଙ୍କର ଶୟନ ନୀତି ପରେ ଶ୍ରୀମନ୍ଦିର ତଥା ସମଗ୍ର ଶ୍ରୀକ୍ଷେତ୍ର ନିସ୍ତବ୍ଧ ତଥା ଶୂନଶାନ ହୋଇପଡେ଼ । ସକାଳ ହେବାପରେ କଳାହାଟ ଦ୍ୱାରରେ ପୂର୍ବରାତ୍ରିରେ ଦିଆଯାଇଥିବା ମାଟିମୁଦ ଓ ମୋହରକୁ ତନଖି କରି ଦ୍ୱାର ଖୋଲାଯିବା ସଙ୍ଗେ ପ୍ରତିହାରୀ ମଣିମା, ମଣିମା ଡାକଦେଇ ଦିଅଁମାନଙ୍କ ନିଦ୍ରାଭଙ୍ଗ କରନ୍ତି । ପୁନର୍ବାର ଆରମ୍ଭ ହୁଏ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଜଗତରନାଥ ଶ୍ରୀଜଗନ୍ନାଥଙ୍କର ଦୈନିକ ରୀତି ଓ ନୀତି ସଂପୂର୍ଣ୍ଣ ମାନବୀୟ ଠାଣିରେ ।
ମୋ: ୯୪୩୭୦୩୧୨୫୩