ବାହାର ରୋଗୀଙ୍କ ରହିବ ତାଲିକା


କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବରେ ଲୋକମାନଙ୍କର ଚିକିତ୍ସା କ୍ଷେତ୍ରରେ ସ୍ୱାସ୍ଥ୍ୟକାର୍ଡ୍ ମାଧ୍ୟମରେ ସହାୟତା ପ୍ରଦାନ କରୁଛନ୍ତି । ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଉତ୍ତମ ସ୍ୱାସ୍ଥ୍ୟସେବା ମିଳୁଥିବାରୁ ପଡ଼ୋଶୀ ରାଜ୍ୟର ରୋଗୀମାନେ ବହୁସଂଖ୍ୟାରେ ଓଡ଼ିଶାକୁ ଆସି ଚିକିତ୍ସିତ ହେଉଥିବା ଦେଖାଯାଉଛି । ଏ କ୍ଷେତ୍ରରେ ଭୁବନେଶ୍ୱର ଏମ୍ସ ଓ କଟକର ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ୍ କଲେଜ୍ ସବୁଠାରୁ ଆଗରେ ରହିଛି । ତାହା ତଳକୁ ରହିଛି ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସାଳୟ । ଏମ୍ସକୁ ବାଦ୍ ଦେଲେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କଟକ ବଡ଼ ମେଡ଼ିକାଲ୍ ଓ ଆଚାର୍ଯ୍ୟ ହରିହର-ଏହି ଦୁଇ ଚିକିତ୍ସାଳୟକୁ ପ୍ରତିଦିନ ରାଜ୍ୟ ବାହାରୁ ଶହ ଶହ ରୋଗୀ ଉତ୍ତମ ଚିକିତ୍ସା ପାଇବା ପାଇଁ ଆସୁଛନ୍ତି । ଏହା ସରକାରୀ ଡ଼ାକ୍ତରଖାନା ହୋଇଥିବାରୁ ଏଠାରେ ଚିକିତ୍ସା ଖର୍ଚ୍ଚ ମଧ୍ୟ ସରକାର ବହନ କରୁଛନ୍ତି । ତେଣୁ ଏ ଦୃଷ୍ଟିରୁ ରାଜ୍ୟରେ ରୋଗୀଙ୍କ ଅପେକ୍ଷା ରାଜ୍ୟ ବାହାରର ରୋଗୀଙ୍କ ସଂଖ୍ୟା କେତେ ତାହା ଜାଣିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ରାଜ୍ୟ ବାହାରୁ ଆସୁଥିବା ରୋଗୀମାନଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ଜନହିତାଧିକାରୀ କାର୍ଡ୍ ରହିଛି କି ନାହିଁ ସେ ସମ୍ପର୍କରେ ଜାଣିବା ପାଇଁ ଏବଂ ସେହି କାର୍ଡ୍କୁ ବିନିଯୋଗ କରିବା ପାଇଁ ଏସ୍ସିବି ମେଡ଼ିକାଲ୍ କଲେଜ୍ ପକ୍ଷରୁ ଏକଟିମ ଗଠନ କରାଯାଇଛି । "ଆୟୁଷ୍ମାନ୍ ଭାରତ' ଯୋଜନାରେ ପ୍ରତିଦିନ ରାଜ୍ୟ ବାହାରୁ କେତେ ରୋଗୀ କେଉଁ ବିଭାଗକୁ ଆସୁଛନ୍ତି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । ଏଥିପାଇଁ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଛି । ବର୍ତ୍ତମାନ ୨୭ଟି ବିଭାଗରେ ଏହି ୧୦ ଜଣିଆ ଟିମ୍ ରାଜ୍ୟ ବାହାରର ରୋଗୀମାନଙ୍କ ସମ୍ପର୍କରେ ତଥ୍ୟ ହାସଲ କରି ସରକାରଙ୍କୁ ଏକ ରିପୋର୍ଟ୍ ଦେବ । 
ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବାହାର ରାଜ୍ୟରୁ ରୋଗୀ ଆସୁଥିବାରୁ ରାଜ୍ୟର ରୋଗୀମାନେ ଅସୁବିଧାରେ ପଡୁଥିବାର ଅଭିଯୋଗ ମଧ୍ୟ କରି ଆସୁଛନ୍ତି । ତେବେ ରକ୍ତ, କିଡ୍ନୀ, ହୃଦ୍ରୋଗ, ଛାତି ଓ ଯକ୍ଷ୍ମା, କର୍କଟ ଭଳି କେତେକ ରୋଗ କ୍ଷେତ୍ରରେ ପଶ୍ଚିମବଙ୍ଗ, ଝାରଖଣ୍ଡ, ଛତିଶଗଡ଼ ଓ ବିହାରର ରୋଗୀ ଏଠାକୁ ଆସୁଛନ୍ତି । ଏଠାରୁ ଉତ୍ତମମାନର ଚିକିତ୍ସା ପାଇ ସୁସ୍ଥ ହୋଇ ନିଜ ରାଜ୍ୟକୁ ଫେରୁଛନ୍ତି । ଏଭଳି ଚିକିତ୍ସାପାଇଁ ଗରିବ ଲୋକଙ୍କୁ ମଧ୍ୟ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ କାର୍ଡ୍ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ "ଆୟୁଷ୍ମାନ ଭାରତ', "ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା' ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ "ଗୋପବନ୍ଧୁ ଜନ ଆରୋଗ୍ୟ' ଯୋଜନା କାର୍ଯ୍ୟକାରୀ ହେଉଛି । ବର୍ତ୍ତମାନ ଏ ପ୍ରକାରର ଏକ ସର୍ଭେ ଏବଂ ତାଲିକା ପ୍ରସ୍ତୁତି କେବଳ କଟକ ମେଡ଼ିକାଲ୍ କଲେଜ୍ରେ ନହୋଇ ଭୁବନେଶ୍ୱର ଏମ୍ସରେ ମଧ୍ୟ ହେବା ଆବଶ୍ୟକ । କାରଣ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି ଯେ ଦଲାଲ୍ମାନେ ବାହାର ରାଜ୍ୟର ରୋଗୀମାନଙ୍କୁ ଶୋଷଣ କରି ସେମାନଙ୍କୁ ଚିକିତ୍ସା କରାଇ ଦେବା କ୍ଷେତ୍ରରେ ଅର୍ଥ ଆଦାୟ କରୁଛନ୍ତି । ଏପରିକି କିଛି ରୋଗୀ ସରକାରୀ ଡ଼ାକ୍ତରଖାନାରୁ ଘରୋଇ ଡ଼ାକ୍ତରଖାନାକୁ ନେଇ ଯାଇ ସେଠାରେ ବିପୁଳ ପରିମାଣର ଅର୍ଥ ରୋଜଗାର କରୁଛନ୍ତି । ସରକାରଙ୍କ ଯୋଜନା ଭିତରେ ରୋଗୀମାନଙ୍କର ସ୍ୱାସ୍ଥ୍ୟସେବା ସରକାରୀ ଖର୍ଚ୍ଚରେ ହେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ସେମାନଙ୍କୁ ଘରୋଇ ଚିକିତ୍ସାଳୟକୁ ନେଇ ବିପୁଳ ପରିମାଣର ଅର୍ଥ ରୋଜଗାର କରାଯାଉଛି । ଏ କ୍ଷେତ୍ରରେ ଏକ ର୍ୟାକେଟ୍ କାମ କରୁଛି ଏବଂ ରୋଗୀମାନଙ୍କୁ ମଧ୍ୟ ବିଭିନ୍ନ ସମୟରେ ବିଭ୍ରାନ୍ତ କରାଯାଉଥିବାର ଅଭିଯୋଗମାନ ଆସୁଛି । ମୋଟ୍ ଉପରେ ରାଜ୍ୟର ରୋଗୀମାନଙ୍କୁ ଚିକିତ୍ସା କ୍ଷେତ୍ରରେ ପ୍ରାଥମିକତା ଦିଆଗଲେ ହୁଏତ ଆଉ କୌଣସି ମହଲରୁ କୌଣସି ପ୍ରକାରର ଅଭିଯୋଗ ଆସିବ ନାହିଁ । ହେଲେ ରୋଗୀମାନଙ୍କୁ ପଞ୍ଜୀକରଣ କରାଇ ଡ଼ାକ୍ତରଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା କ୍ଷେତ୍ରରେ ଅନେକ ଦଲାଲ୍ କାମ କରୁଛନ୍ତି ଏବେଂ ସେଥିପାଇଁ ସେମାନେ ରୋଗୀମାନଙ୍କ ଠାରୁ ଅର୍ଥ ଆଦାୟ କରି ସାମଗ୍ରିକ ଭାବରେ ଚିକିତ୍ସାଳୟଗୁଡ଼ିକୁ ବଦନାମ୍ କରିଦେଉଛନ୍ତି ।  ରାଜ୍ୟର ଚିକିତ୍ସାଳୟଗୁଡ଼ିକୁ ଦଲାଲ୍ମୁକ୍ତ କରିବା ସହିତ ରାଜ୍ୟ ବାହାରର ରୋଗୀମାନଙ୍କ ଉପରେ ବିସ୍ତୃତ ବିବରଣୀ ସଂଗ୍ରହ କରି ରଖାଗଲେ ସ୍ୱାସ୍ଥ୍ୟସେବାର ମାନ ଆହୁରି ଉନ୍ନତ ହୋଇପାରିବ ।