ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା


ଡକ୍ଟର ଲକ୍ଷ୍ମଣ ସାହୁ  : ଶ୍ରୀକ୍ଷେତ୍ର ଧାମରେ ପାଳିତ ହେଉଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ତଥା ପାଳନ ବିଧିର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ପୁରାଣ ଓ ଉପପୁରାଣମାନଙ୍କରେ ଉଲ୍ଲେଖ ରହିଛି  । ବିଶେଷ ଭାବେ ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମ ପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା, ଶାରଦା ପୁରାଣ ପ୍ରଭୃତି ଉଲ୍ଲେଖଯୋଗ୍ୟ  । ଶ୍ରୀମନ୍ଦିରରେ ପାଳିତ ମୁଖ୍ୟ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ  । ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ସମ୍ବନ୍ଧରେ ଯେଉଁ ଶ୍ଳୋକଟି ସର୍ବ ମୁଖ ନିଃସୃତ, ତାହା ହେଉଛି -
" ମଞ୍ଚ ସ୍ନାନଂ ରଥବରଗତିଃ ଶାୟନଂ ଚାୟନେ ଦ୍ୱ୍ୱେପାର୍ଶ୍ୱ ବୃତ୍ତିଃ ଶୟନ ନିବୃତ୍ତି ପାବୃତ୍ତ? ପୁଷ୍ୟପୂଜା ଦୋଳଯାତ୍ରା ଦମନକମହୋତାକ୍ଷ ପୂଜା ତୃତୀୟାଚୈକଂ ଯାତ୍ରା ବିଧନିଗଦିତା ଦ୍ୱାଦଶୈତା ନରେନ୍ଦ୍ର  ।’
 ମହାପ୍ରଭୁମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋସôବ ହିଁ ଶ୍ରେଷ୍ଠ ବୋଲି ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି  । ଏପରିକି ଏହି ମହାବେଦୀ ମହୋସôବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ ବୋଲି ବିଶ୍ୱାସ ରହିଛି  । ଶ୍ରୀଜଗନ୍ନାଥଙ୍କର ଉସôବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ୱର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି  । ରଥଉପରେ ପ୍ରଭୁଙ୍କ ଦର୍ଶନ ଏକ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ  । ତେଣୁ ପୁରାଣମାନଙ୍କରେ କୁହାଯାଇଛି - " ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ମିଳିଥାଏ  । "  ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିଅଁ ଗଢ଼ା ହୋଇଥିବାରୁ ଏହାକୁ ଜୀଉମାନଙ୍କ ଜନ୍ମସ୍ଥାନ ବୋଲି କୁହାଯାଇଥାଏ  । ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଏଠାରେ ସାତଦିନ ଅବସ୍ଥାନ କରନ୍ତି  । ଶ୍ରୀଗୁଣ୍ଡିଚା ମନ୍ଦିରର ଯେଉଁ ସିଂହାସନରେ ତିନି ଠାକୁର ବିଜେ କରନ୍ତି , ତାକୁ ଆଡ଼ପମଣ୍ଡପ ବୋଲି କୁହାଯାଏ  । ଏହାର ଅର୍ଥ ଆଡ଼ମ୍ବରପୂର୍ଣ୍ଣ ମଣ୍ଡପ, ଏହାକୁ ମହାବେଦୀ ବା ଯଜ୍ଞବେଦୀ ମଧ୍ୟ କୁହାଯାଏ  । ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଆଡ଼ପ ମଣ୍ଡପକୁ ଠାକୁରମାନଙ୍କର ପହଣ୍ଡି ବିଜେ ହୁଏ  । ଗୁଣ୍ଡିଚା ମନ୍ଦିର ପ୍ରବେଶ ଠାରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ମନ୍ଦିରରେ ଯେଉଁ ପ୍ରସାଦ ହୁଏ, ତାକୁ ଆଡ଼ପ ଅବଢ଼ା କୁହାଯାଏ  ।
 ଶ୍ରୀଗୁଣ୍ଡିଚା ମନ୍ଦିରକୁ ମନ୍ଦିର ବୋଲି କେତେକ ଗ୍ରହଣ ନ କରି ଗୁଣ୍ଡିଚାଘର ଭାବେ ମାନନ୍ତି  ।  କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟାୟିକା ଅନୁଯାୟୀ,  ଦ୍ୱାରରେ ଜାରା ଶବର ଶରରେ ଦ୍ୱାରକାଧିପତି ଶ୍ରୀକୃଷ୍ଣ ପ୍ରାଣ ଛାଡ଼ିଲେ  । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ  । କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନ ଥିଲା  । ଶୂନ୍ୟବାଣୀ ହେଲା-  କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ  । ପାଣ୍ଡବମାନେ ତାହାହିଁ କଲେ  ।
 ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା  । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦୁ୍ୟମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ  । ସ୍ୱୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ  । ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏ ଦ୍ୱାର ଖୋଲାଯିବ ନାହିଁ  । ମାତ୍ର ପନ୍ଦର ଦିନ ପରେ ଦ୍ୱାର ଖୋଲାଗଲା  । ମୂର୍ତ୍ତି ଗଢୁଥିବା ବୃଦ୍ଧ ଉଭାନ ହୋଇଗଲେ  । କେବଳ ଅଧାଗଢା ମୂର୍ତ୍ତି ରହିଗଲା  । ଅଧାଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା  । ସେହି ସମୟରେ ମହାପ୍ରଭୁ କହିଥିଲେ ‘ହେ ରାଜା, ବର୍ଷକୁ ଥରେ ଜନ୍ମଭୂମିକୁ ଆଣିବ ’  । ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚାଘରକୁ ବୁଲି ଯାଆନ୍ତି  ।
 ତେଣୁ ପବିତ୍ର ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ, ଚକ୍ରରାଜ ଶ୍ରୀସୁଦର୍ଶନ ଓ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରଥାରୂଢ ହୋଇ କର୍ମବେଦୀ ଶ୍ରୀମନ୍ଦିରରୁ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି  । ଦାରୁ ବିଗ୍ରହମାନେ ନବଦିନାତ୍ମକ ଯାତ୍ରାରେ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ସାତଦିନ ଅବସ୍ଥାନ କରିଥାନ୍ତି  । ମହାପ୍ରଭୁଙ୍କ ଏହି ଶ୍ରୀଗୁଣ୍ଡିଚା ଯାତ୍ରାକୁ ନବଦିନାତ୍ମକ ଯାତ୍ରା ବା ଘୋଷଯାତ୍ରା ମଧ୍ୟ କୁହାଯାଇଥାଏ  । ଶ୍ରୀବିଗ୍ରହମାନେ ଶ୍ରୀଗୁଣ୍ଡିଚା ମନ୍ଦିରର ଯେଉଁ ସିଂହାସନରେ ବିଜେ କରିଥାନ୍ତି, ତାହାକୁ ଆଡପ ମଣ୍ଡପ, ଯଜ୍ଞବେଦୀ ବା ମହାବେଦୀ କୁହାଯାଏ  । ମହାପ୍ରଭୁଙ୍କ ନିକଟରେ ଯେଉଁ ମହାପ୍ରସାଦ ଲାଗି କରାଯାଏ ତାହା ହେଉଛି ଆଡ଼ପ ଅବଢ଼ା  । ଏହି ଆଡ଼ପ ମହାପ୍ରସାଦକୁ ପାଇବା ପାଇଁ ରାଜ୍ୟ ତଥା ବାହାରୁ ଭକ୍ତ, ସାଧୁସନ୍ଥ ଆସିଥାନ୍ତି  ।   ପୌରାଣିକ ମତବାଦ ଅନୁଯାୟୀ ମହାରାଜା ଇନ୍ଦ୍ରଦୁ୍ୟମ୍ନ ମହାପ୍ରଭୁଙ୍କୁ ପ୍ରାପ୍ତ କରିବା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଥିବା ନୃସିଂହ ମନ୍ଦିରରେ ଯଜ୍ଞ କରିଥିଲେ  । ସେହି ସମୟରେ ମହୋଦଧିରେ ଭାସି ଆସି ଏକ ଦାରୁ ବାଙ୍କୀ ମୁହାଣରେ ଲାଗିଥିଲା  । ଇନ୍ଦ୍ରଦୁ୍ୟମ୍ନ ଉକ୍ତ ଦାରୁକୁ ସମୁଦ୍ରରୁ ଆଣି ଶ୍ରୀଗୁଣ୍ଡିଚା ମନ୍ଦିରରେ ସ୍ଥାପନ କରିଥିଲେ  । ଭାବର ଠାକୁର ମହାପ୍ରଭୁ ନିଜେ ଅନନ୍ତ ମହାରଣା ବା ବୁଢା ମହାରଣା ରୂପରେ ଆସି ନିଜ ବିଗ୍ରହକୁ ନିଜେ ନିର୍ମାଣ କରିଥିଲେ  । ପବିତ୍ର ଆଷାଢ ଶୁକ୍ଳ ନବମୀ ତିଥିରେ ଶ୍ରୀବିଗ୍ରହମାନେ ଇନ୍ଦ୍ରଦୁ୍ୟମ୍ନ ଓ ମହାରାଣୀ ଗୁଣ୍ଡିଚାଙ୍କୁ ଦର୍ଶନ ଦେଇଥିଲେ  ।  ପ୍ରତ୍ୟେକ ବର୍ଷ ଦାରୁବିଗ୍ରହମାନଙ୍କୁ ସାତଦିନ ନିମନ୍ତେ ନିଜ ଜନ୍ମବେଦୀ ବା ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଇବା ପାଇଁ ମହାପ୍ରଭୁ ଇନ୍ଦ୍ରଦୁ୍ୟମ୍ନଙ୍କୁ କହିଥିଲେ  । ସେହି ଅନୁଯାୟୀ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥାରୂଢ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥାନ୍ତି  । ସେଠାରେ ସାତଦିନ ଅବସ୍ଥାନ କରି ଦଶମୀ ତିଥିରେ ଶ୍ରୀମନ୍ଦିରକୁ ବାହୁଡ଼ିଥାନ୍ତି  । ତେଣୁ କଥିତ ଅଛି ଜନ୍ମବେଦୀରେ ଶ୍ରୀବିଗ୍ରହମାନଙ୍କୁ ବିଶେଷ କରି ଆଷାଢ ଶୁକ୍ଳ ନବମୀ ତିଥିରେ ଯେଉଁ ଭକ୍ତ ଆଡ଼ପ ମଣ୍ଡପରେ ଦର୍ଶନ କରେ ସେ କୋଟି ଜନ୍ମର ପୁଣ୍ୟ ଲାଭ କରିବା ସହ ମର୍ତ୍ତ୍ୟ ମଣ୍ଡଳରେ ପୁନର୍ବାର ଜନ୍ମଲାଭ କରି ନ ଥାଏ ବୋଲି ଲୋକ ବିଶ୍ୱାସ ରହିଛି  । ଏ ସଂକ୍ରାନ୍ତରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି,  "ମହାରାଜା ଇନ୍ଦ୍ରଦୁ୍ୟମ୍ନ ଶରଧା ବାଲି ନିକଟରେ ଥିବା ନୃସିଂହଙ୍କ ଯଜ୍ଞ କରିବା ପରେ ମହାପ୍ରଭୁ ଦାରୁ ଭାବରେ ବାଙ୍କୀ ମୁହାଣ ନିକଟରେ ଆବିର୍ଭାବ ହୋଇଥିଲେ  । ପରେ ମହାପ୍ରଭୁ ନିଜେ ବୁଢା ମହାରଣା ବା ଅନନ୍ତ ମହାରଣା ରୂପରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଦାରୁ ବିଗ୍ରହ ନିର୍ମାଣ କରିଥିଲେ  । ପୂର୍ବରୁ ଆଡ଼ପ ମଣ୍ଡପ ଚାରିପାଖରେ କୌଣସି ପାଚେରି ବା ମନ୍ଦିର ନ ଥିଲା  । ପରବର୍ତ୍ତୀ ସମୟରେ ଆଡ଼ପ ମଣ୍ଡପ ଚାରିପାଖରେ ମେଘନାଦ ପାଚେରି ଓ ମନ୍ଦିର ନିର୍ମାଣ କରାଯାଇଛି  । ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଜନ୍ମଲାଭ କରିଥିବାରୁ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଡ଼ପ ଅବଢା ସେବନ କରିବାକୁ ଇଛା କରିଥାଏ ବୋଲି ଡ. ମିଶ୍ର କହିଛନ୍ତି  । ଏହି ଦୃଷ୍ଟିରୁ ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଭିନ୍ନ ଫୁଲ ଓ ରଙ୍ଗିନ ଆଲୋକ ମାଳାରେ ସଜାଯାଇଥାଏ  ।  ବିଶେଷ କରି ଶ୍ରୀଗୁଣ୍ଡିଚାର ଠିକ୍ ପୂର୍ବ ଦିନ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ସମ୍ମୁଖସ୍ଥ ରଥଖଳାଠାରେ ଥିବା ତିନିରଥ ସୁସଜ୍ଜିତ ପୂର୍ବକ ଶ୍ରୀବିଗ୍ରହମାନଙ୍କ ଆଜ୍ଞାମାଳ ଆସି ଲାଗି ହେବା ପରେ ରଥଗୁଡିÿକ ଅପରାହ୍ନରେ ଟଣା ହୋଇ ସିଂହଦ୍ୱାରଠାରେ ରଖାଯାଇଥାଏ  । ଉଲ୍ଲେଖଯୋଗ୍ୟ ଯେ ରଥଖଳାର ପରମ୍ପରା ଅନୁଯାୟୀ ପ୍ରଥମେ ଜଗନ୍ନାଥ, ସୁଭଦ୍ରା ଓ ଶେଷରେ ବଳଭଦ୍ରଙ୍କ ରଥ ଟଣା ହୋଇଥାଏ  । ନେତ୍ରୋସôବ ଦିନ ବିଳମ୍ବିତ ରାତ୍ରରେ ଅଣସର ପିଣ୍ଡିରେ ବିରାଜମାନ କରିଥିବା ଶ୍ରୀବିଗ୍ରହମାନଙ୍କ କେତେକ ଗୁପ୍ତ ନୀତି ଯଥା ବାହୁଟକଣ୍ଟ, ସେନାପଟା, ଶୁକ୍ଳ ସଜ ଲାଗି ଇତ୍ୟାଦି କାର୍ଯ୍ୟ ଶେଷ ହୋଇଥାଏ । ଶ୍ରୀଗୁଣ୍ଡିଚା ଦିନ ପ୍ରତୁ୍ୟଷରୁ ଠାକୁରମାନଙ୍କର ମଙ୍ଗଳ ଆଳତି, ମଇଲମ, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଲ ପୂଜା, ବେଶ ଇତ୍ୟାଦି ନୀତି ଉକ୍ତ ଦିନର ପାଳିଆ ସେବକମାନଙ୍କ ଦ୍ୱାରା ସମାପିତ ହୋଇଥାଏ । ଏହାପରେ ଏକାଠି ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚେଡିÿ ଭୋଗ) ପୂଜା ଅନୁଷ୍ଠିତ ହୋଇଥାଏ  । ଅପରପକ୍ଷରେ ଶ୍ରୀମନ୍ଦିର ପୁରୋହିତ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କ ଦ୍ୱାରା ରଥ ପ୍ରତିଷ୍ଠା  ହୋଇଥାଏ  । ତତ୍ପରେ ଠାକୁରମାନଙ୍କ ମନମୁଗ୍ଧକର ପହଣ୍ଡି ନୀତି ଅନୁଷ୍ଠିତ ହେବା ପୂର୍ବରୁ ବିଜେ କାହାଳି ବାଜି ମଙ୍ଗଳାପର୍ଣ ନୀତି ବଢ଼ିÿଥାଏ  । ଏହି ପହଣ୍ଡି ସମୟରେ ପ୍ରଥମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ବିଜେ ହୋଇଥାନ୍ତି  । ଜଗମୋହନଠାରେ ଘଣ୍ଟ , ପଖାଉଜ ଇତ୍ୟାଦି ବାଦ୍ୟ ବାଜିଥାଏ  । ବିଭିନ୍ନ ମଠର ମଠାଧୀଶ, ବ୍ୟକ୍ତି ବିଶେଷମାନେ ଚାମର, ଆଲଟ ସେବା କରିବା କରିଥାନ୍ତି  । କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ  । ଠାକୁରମାନେ ଜଗମୋହନର ସାତ ପାହଚ ଉପରେ ପହଞ୍ଚିବା ମାତ୍ରାରେ ରାଘବ ଦାସ ମଠ ପ୍ରଦତ୍ତ ଟାହିୟା' ଶ୍ରୀମସ୍ତକରେ ଲଗାଯାଇଥାଏ  । 
 ପହଣ୍ଡି ସମୟରେ ବେହେରା ଖୁଣ୍ଟିଆ ମଣିମା ଡାÿକ ଦେଇଥାନ୍ତି  । ସମଗ୍ର ବଡ଼ ଦେଉଳ ଓ ସିଂହଦ୍ୱାର ଅଞ୍ଚଳ ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ ଓ ଦେବ ଧ୍ୱନି ଶବ୍ଦରେ ପ୍ରକମ୍ପିତ ହୋଇଥାଏ  । ଶ୍ରୀବିଗ୍ରହମାନେ ରଥାରୂଢ଼ ହେବାପରେ ପୁଷ୍ପାଳକ ମହାଜନମାନେ ଶ୍ରୀମଦନମୋହନଙ୍କୁ ନନ୍ଦିଘୋଷ ରଥରେ ଓ ରାମ, କୃଷ୍ଣ ବିଗ୍ରହଙ୍କୁ ତାଳଧ୍ୱଜ ରଥ ଉପରେ ଅଧିଷ୍ଠିତ କରାଇଥାନ୍ତି । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ଘସା (ତେଲିଙ୍ଗି) ଓ କାହାଳି ବାଦ୍ୟ ସହ ବଣିଆ ସେବକମାନଙ୍କଠାରୁ ସୋଲ ଚିତା ତିନୋଟି ଅଣାଯାଇ ସିଂହଦ୍ୱାର ସଂଲଗ୍ନ ଛାଉଣି ମଠରେ ରଖାଯାଇଥାଏ  । ରଥ ଉପରେ ବନ୍ଧା ଫୁଲମାଳ, ବେଶ, ଶୋଲ ଚିତା ଲାଗି ଆଦି ନୀତି ବଢ଼ିବା ସଙ୍ଗେ ସଙ୍ଗେ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଥାନ୍ତି  । ତାପରେ ପାରମ୍ପରିକ ନୀତିରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା ନୀତି ସମାହିତ ହୋଇଥାଏ  । ପୂର୍ବରୁ ଶ୍ରୀବିଗ୍ରହମାନଙ୍କ ନୀତି ପାଇଁ ଆବଶ୍ୟକ ଥିବା ଦୈନନ୍ଦିନ ସାଜ ବସ୍ତ୍ର ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଥିବା ସିନ୍ଦୁକକୁ କୋଠ ସୁଆଁସିଆ ସେବକମାନେ ରଥ ଉପରେ ଆଣି ରଖିଥାନ୍ତି  । ଛେରା ପହଁରା ନୀତି ଶେଷ ହେବା ପରେ ରଥରେ ସାରଥୀଙ୍କୁ ଅଧିଷ୍ଠିତ କରାଯାଏ  । ରଥରୁ ଚାରମାଳ ଖୋଲାଯିବା ପରେ ଘୋଡ଼ାÿ ବନ୍ଧାଯାଏ  । ଏସବୁ କାର୍ଯ୍ୟ ସରିବା ପରେ ରଥରେ ଦଉଡିÿ ଲଗାଯାଇ ଶ୍ରୀଗୁଣ୍ଡିଚା ଅଭିମୁଖେ ରଥଟଣା ହୋଇଥାଏ  ।
 କିମ୍ବଦନ୍ତୀ ଅନୁସାରେ ରାଜା ଇନ୍ଦ୍ରଦୁ୍ୟମ୍ନଙ୍କ ପନôୀଙ୍କ ନାମ ଥିଲା ଗୁଣ୍ଡିଚା  । ରାଣୀ ଗୁଣ୍ଡିଚାଙ୍କ ନାମରେ ଗୁଣ୍ଡିଚା ମନ୍ଦିର ନାମକରଣ ହୋଇଥିବା ଶ୍ରୀମନ୍ଦିର ସେବାୟତମାନେ କୁହନ୍ତି  । ମହାପ୍ରଭୁ ଯେତେବେଳେ ରାଣୀ ଗୁଣ୍ଡିଚାଙ୍କୁ ବର ପ୍ରଦାନ ପାଇଁ କହିଥିଲେ, ରାଣୀ ତାଙ୍କୁ ପ୍ରତିବର୍ଷ ଏହି ସ୍ଥାନକୁ ଆସିବା ପାଇଁ କହିଥିଲେ  । ମହାପ୍ରଭୁ ମଧ୍ୟ ତାଙ୍କୁ ଏହି ବଚନ ଦେଇଥିଲେ  । ନିଜର ବଚନକୁ ରକ୍ଷା କରି ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ମହାପ୍ରଭୁ ନିଜ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯାତ୍ରା କରିଥାନ୍ତି  ।       
 ମହାପ୍ରଭୁଙ୍କ ଏହି ମାଉସୀ ମା’ ମନ୍ଦିର ବଡଦାଣ୍ଡର ବଳଗଣ୍ଡି ଛକରେ ରହିଛି  । ଏହାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଉସୀ ଘର ବୋଲି କୁହାଯାଏ  । ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବା ବେଳେ ତାଙ୍କର ନନ୍ଦିଘୋଷ ରଥ ସହ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଏଠାରେ କିଛି ସମୟ ଅଟକିଥାଏ  । ପରମ୍ପରା ଅନୁଯାୟୀ ମାଉସୀ ମା'ଙ୍କ ହାତରେ ତିଆରି ଦିବ୍ୟ ପୋଡ ପିଠା ଖାଇ ମହାପ୍ରଭୁ ଭାଈଭଉଣୀଙ୍କ ସହ ଶ୍ରୀମନ୍ଦିର ଅଭିମୁଖେ ବାହୁଡାÿ ଯାତ୍ରା କରନ୍ତି  । ଲୋକକଥା  ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହା ମାଉସୀ ଘର ବୋଲି କିମ୍ବଦନ୍ତୀ ରହିଛି  । ଯେତେବେଳେ ପୃଥିବୀରେ ଜଳପ୍ରଳୟ ହେଇଥିଲା ଶ୍ରୀକ୍ଷେତ୍ର ମଧ୍ୟ ଜଳାର୍ଣ୍ଣବ ହୋଇଥିଲା  । ଦେବୀ ଅର୍ଦ୍ଧାସୀନି ଶ୍ରୀକ୍ଷେତ୍ରରୁ ଜଳ ଅଧା ଶୋଷଣ କରି ଶ୍ରୀକ୍ଷେତ୍ରକୁ ଜଳପ୍ରଳୟରୁ ରକ୍ଷା କରିଥିଲେ  । ଦେବୀ ଅର୍ଦ୍ଧାସୀନି ଅଧା ଜଳ ଶୋଷି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥବାରୁ ସେ ସମସ୍ତଙ୍କର ମାତୃତୁଲ୍ୟ  । ଏଣୁ ମାତୃତୁଲ୍ୟ ହୋଇଥିବାରୁ ଦେବୀ ଅର୍ଦ୍ଧାସିନିଙ୍କୁ ମହାପ୍ରଭୁଙ୍କ ମାଉସୀ ବୋଲି କୁହାଯାଏ  । ତେବେ ମା' ସବୁବେଳେ ନିଜ ପୁଅକୁ ବହୁତ ଭଲ ପାଇଥାଏ  । ବହୁ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ନିଜ ପୁଅକୁ ପଠେଇ ଦେଇଥାଏ  । ଏହା ମା'ର ଆନନ୍ଦର କଥା  । 
 ଯେହେତୁ ନିଜ ପୁଅ ତଥା ପୁତୁରା କାଳିଆ, ବଳିଆ ଶ୍ରୀମନ୍ଦିରରୁ ବାହାରି ରଥଯାତ୍ରାରେ ଯାଇଥାନ୍ତି ବାହୁଡାରେ ଫେରିଲା ବେଳେ ମାଉସୀ ମା' ସୁସ୍ୱାଦୁ ପୋଡ଼ ପିଠା ଖୋଇ ଦେଇଥାଏ ନିଜ ପ୍ରିୟ କାଳିଆ, ବଳିଆ ଓ ସୁଭଦ୍ରାଙ୍କୁ  । ମାଉସୀ ମା'ଙ୍କ ପୂଜକ ଏହି ସୁସ୍ୱାଦୁ ପୋଡ଼ ପିଠା ସ୍ୱତନ୍ତ୍ର ଭାବେ ଘିଅରେ ପ୍ରସ୍ତୁତ କରି ମହାପ୍ରଭୁଙ୍କ ଉଦେ୍ଦଶ୍ୟରେ ଲାଗି କରିଥାନ୍ତି  । ବୈଷ୍ଣବୀ ନୀତି କାନ୍ତିରେ ମାଉସୀ ମା’ଙ୍କୁ ପୂଜା କରାଯାଏ  । ଷୋଡ଼ଶ ଉପଚାରରେ ମା'ଙ୍କୁ ପୂଜା କରାଯାଏ  । ନୃସିଂହ ଚତୁର୍ଦ୍ଦଶୀରେ ମା'ଙ୍କ ସ୍ୱତନ୍ତ୍ର ଜଳାଶୟୀ ନୀତି ଅନୁଷ୍ଠିତ ହୋଇଥାଏ  । ରଥ ଯାତ୍ରାରୁ ବାହୁଡ଼ା ଯାତ୍ରା ଯାଏଁ ନଅ ଦିନ ଧରି ଏଠାରେ ଯାତ୍ରା ଚାଲେ । ଶହ ଶହ ଭକ୍ତ ଆସି ମା’’ ଙ୍କୁ ଦର୍ଶନ କରନ୍ତି  । ତେବେ ମା’ ଙ୍କୁ ଯିଏ ନିଷ୍ଠାର ସହ ଡାକିଛି ତାହାର ସବୁ ମନସ୍କାମନା ସେ ପୂର୍ଣ୍ଣ କରନ୍ତି  ।
  ଅଧ୍ୟକ୍ଷ , ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪, ମୋ: ୯୦୪୦ ୧୫୧୪୭୫