ସୋମନାଥ ବ୍ରତ
ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଠାରୁ ଆଶ୍ୱୀନ ଶୁକ୍ଳ ଦଶମୀ ମଧ୍ୟରେ ସୋମନାଥ ବ୍ରତ ପାଳନ କରାଯାଇଥାଏ । ଏହି ବ୍ରତରେ ଦେବ ଦେବ ମହାଦେବଙ୍କୁ ପୂଜା କରାଯାଇଥାଏ । ମହାଦେବଙ୍କ କୃପାରୁ ବ୍ରତଧାରୀ ଧନଧାନ୍ୟ, ସୁଖଶାନ୍ତି,ଐଶ୍ୱର୍ଯ୍ୟ ଲାଭ କରିଥାଏ । ଏହି ବ୍ରତ ସମ୍ପର୍କରେ ସ୍କନ୍ଧ ପୁରାଣରେ ବର୍ଣ୍ଣନା ରହିଛି । ଭଗବାନ ଶିବ ଦେବୀ ପାର୍ବତୀଙ୍କୁ ଏହି ବ୍ରତ ସମ୍ପର୍କରେ କହିଛନ୍ତି ବେଦବ୍ୟାସୀ ନାମକ ଜଣେ ବ୍ରାହ୍ମଣ ଦ୍ୱାରା ମର୍ତ୍ତ୍ୟଲୋକରେ ଏହି ବ୍ରତ ଆରମ୍ଭ ହୋଇଥିଲା । ବେଦବ୍ୟାସୀ ପୂର୍ବ ଜନ୍ମରେ ଜଣେ ଶିବ ଭକ୍ତ ଥିଲା । ମାତ୍ର ଏ ଜନ୍ମରେ ସେ ଦରିଦ୍ର ହୋଇ ଜନ୍ମ ହୋଇଥିଲା । ଥରେ ସେ ଭଗବାନ ସୋମନାଥଙ୍କ ଦର୍ଶନ ନିମନ୍ତେ ଘରୁ ବାହାରିଥିଲା । କ୍ଷୁଧା, ତୃଷ୍ଣାରେ ଅତି କଷ୍ଟ ସହି ଦୁର୍ଗମ ପଥ ଅତିକ୍ରମ କରି ସେ ସୋମନାଥ ଭଗବାନଙ୍କ ଦର୍ଶନ ଲାଭ କରିବାରେ ସୌଭାଗ୍ୟ ପ୍ରାପ୍ତି କରିଥିଲା । ଏହି ପୁଣ୍ୟ ବଳରେ ସେ ରାଜା ହେବାର ସୌଭାଗ୍ୟ ଲାଭ କରିଥିଲା । ଭଗବାନ ସୋମନାଥ ତାକୁ ଦର୍ଶନ ଦେବା ସହ ତା ଦ୍ୱାରା ମର୍ତ୍ତ୍ୟରେ ସୋମନାଥ ବ୍ରତର ମହିମା ପ୍ରସାର କରାଇଥିଲେ । ଏହି ବ୍ରତରେ ମହାଦେବଙ୍କୁ ଦଶ ପ୍ରକାର ଫୁଲ, ଦଶ ପ୍ରକାର ଫଳ ଆଦି ମହାଦେବଙ୍କୁ ଅର୍ପଣ କରି ପୂଜା କରିବାର ବିଧି ରହିଛି । ଭାଦ୍ରବ ମାସ ଶୁକ୍ଳ ଷଷ୍ଠୀରେ ପ୍ରଥମେ ବ୍ରତ ଧାରଣ କରି ବିଧି ମୁତାବକ ଶିବ ପୂଜା କରାଯାଇଥାଏ । ଏହି ଦିନରେ ଶିବଙ୍କୁ ସୁବର୍ଣ୍ଣ, ରୌପ୍ୟ, ସ୍ପଟିକ କିମ୍ବା ପିତ୍ତଳ ଆଦି ଧାତୁରେ ନିର୍ମିତ ଶିବ ପ୍ରତିମା ପ୍ରତିଷ୍ଠାକରି ପୂଜା କଲେ ଉତ୍ତମ ଫଳ ଲାଭ ହୋଇଥାଏ । ଏହାପରେ ଆଶ୍ୱୀନ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ବ୍ରତଧାରୀମାନେ ସାତ୍ତ୍ୱିକ ଜୀବନଯାପନ ପୂର୍ବକ ଶିବ ଆରାଧନା କଲେ ସମ୍ପୂର୍ଣ୍ଣ ସୋମନାଥ ବ୍ରତର ପୁଣ୍ୟ ଲାଭ କରିଥାନ୍ତି । ଏହି ଦିବସଟିକୁ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଆଧ୍ୟାତ୍ମିକ ଭାବଧାରର ବିଚାର ଓ ଚିନ୍ତନ ସହ ପାଳନ କରିଥାନ୍ତି । କେହି କେହି ବେଲପତ୍ର ସମର୍ପଣ ସହ କେହି କେହି ନାରାୟଣ ସେବାର ଆୟୋଜନ କରିଥାନ୍ତି । ଏହି ଦିନ ଭୋଳାଶଙ୍କର ହର ହର ମହାଦେବଙ୍କୁ ପୂଜା କଲେ ସେ ସମସ୍ତଙ୍କର ଇପ୍ସିତ ସଂକଳ୍ପକୁ ଗ୍ରହଣ କରିଥାନ୍ତି ବୋଲି ଲୋକ ବିଶ୍ୱାସ ରହିଛି ।
ଅଜୟ କୁମାର ବେହେରା,ମୋ : ୯୪୩୭୦୩୧୨୫୩