ଆସାମ ସରକାରଙ୍କ କଡା ଆଭିମୁଖ୍ୟ , ଏନଆରସି ନାହିଁ ତ ଆଧାର ନାହିଁ


ାା ଏଜେନ୍ସି ।ା ଗୌହାଟୀ : ଏଣିକି ଆଧାର କାର୍ଡ କରିବା ଆଉ ହେବନି ସହଜ । ଏନ୍ଆର୍ସି ନମ୍ବର ନ ଦେଲେ ଆଉ ମିଳିବନି ଆଧାର କାର୍ଡ । ଆଧାର କାର୍ଡ ପାଇବାକୁ ହେଲେ ସମସ୍ତ ଆବେଦନକାରୀଙ୍କୁ ନିଜର ଏନ୍ଆର୍ସି ନମ୍ବର ବା ରସିଦ ନମ୍ବର ଜମା କରିବାକୁ ହେବ । ଏଭଳି କିଛି ବଡ ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ରାଜ୍ୟରେ ବେଆଇନ ଅନୁପ୍ରବେଶକୁ ରୋକିବା ପାଇଁ ଏଭଳି କିଛି ନୂଆ ନିୟମ ଆଣିଛନ୍ତି ସରକାର । ଏଥିପାଇଁ ଆଧାର କାର୍ଡ ଜାରି କରିବା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଥିପାଇଁ ଏକ ଏସ୍ଓପି ପ୍ରସ୍ତୁତ ହେବ ଓ ଅକ୍ଟୋବର ୧ରୁ ଏହା ଲାଗୁ ହେବ । 
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ଆଧାର କାର୍ଡ ପାଇଁ ଆବେଦନ ସଂଖ୍ୟା ଜନସଂଖ୍ୟାଠୁ ଅଧିକ । ଏହା ଦର୍ଶାଉଛି ଯେ ସନ୍ଦିଗ୍ଧ ନାଗରିକ ଅଛନ୍ତି । ଏଥିପାଇଁ ନୂଆ ଆବେଦନକାରୀଙ୍କୁ ନିଜ ଏନଆରସି ଆବେଦନ ରସିଦ ସଂଖ୍ୟା ଜମା କରିବାକୁ ପଡ଼ିବ ବୋଲି ଆମେ ନିଷ୍ପତ୍ତି ନେଇଛୁ । ରାଜ୍ୟର ଏପରି ଚାରୋଟି ଜିଲ୍ଲା ଅଛି, ଯେଉଁଠାରୁ ଆନୁମାନିକ ଜନସଂଖ୍ୟା ଅପେକ୍ଷା ଆଧାରକାର୍ଡ ପାଇଁ ଅଧିକ ଆବେଦନ ଆସିଛି । ଏହି ୪ ଜିଲ୍ଲା ବାରପେଟାରେ ୧୦୩.୭୪ ପ୍ରତିଶତ, ଧୁବ୍ରିରେ ୧୦୩ ପ୍ରତିଶତ, ଉଭୟ ମୋରିଗାଓଁ ଏବଂ ନାଗାଓଁରେ ୧୦୧ ପ୍ରତିଶତ ଆବେଦନ ରହିଛି । ସେଥିପାଇଁ ଯେଉଁମାନଙ୍କର ଏନ୍ଆର୍ସି ନମ୍ବର ଅଛି, ସେମାନଙ୍କୁ ଆଧାରକାର୍ଡ ଦିଆଯିବ, ଯାହା ଦ୍ୱାରା ଅନୁପ୍ରବେଶକାରୀମାନେ ନାଗରିକତ୍ୱ ପାଇବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଆସାମରେ ଆଧାରକାର୍ଡ ପାଇବା ସହଜ ହେବ ନାହିଁ । ଆଧାରକାର୍ଡ ପ୍ରଦାନରେ ଅନ୍ୟ ରାଜ୍ୟ ମଧ୍ୟ କଡ଼ା କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି । ୯.୫୫ ଲକ୍ଷ ଲୋକଙ୍କ ପାଇଁ ଏନ୍ଆର୍ସି ଆବେଦନ ରସିଦ ନମ୍ବର (ଏଆର୍ଏନ୍) ଦାଖଲ ହେବ ନାହିଁ, ଯାହାର ବାୟୋମେଟ୍ରିକ୍ସ ଏନ୍ଆର୍ସି ପ୍ରକ୍ରିୟା ସମୟରେ କରାଯାଇଥିଲା । ସେହିମାନେ ସେମାନଙ୍କ କାର୍ଡ ପାଇବେ ।
ଚା’ ବଗିଚା ଚାଷ କ୍ଷେତ୍ରରେ ମଧ୍ୟ ଏହି ପ୍ରକ୍ରିୟା ପ୍ରଯୁଜ୍ୟ ହେବ ନାହିଁ । କାରଣ ପର୍ଯ୍ୟାପ୍ତ ବାୟୋମେଟ୍ରିକ ମେସିନ ଉପଲବ୍ଧ ନ ହେବା ଭଳି କିଛି ଅସୁବିଧା ହେତୁ ସେଠାରେ ଥିବା ଲୋକମାନେ ଆଧାର କାର୍ଡ ପାଇନାହାନ୍ତି ବୋଲି ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ।