‘ହିନ୍ଦୁ ସୋସାଇଟିରେ ମୁସଲିମ ରହିପାରିବେନି’

ଲକ୍ଷ୍ନୌ: ‘ଏହା ଏକ ହିନ୍ଦୁ ସୋସାଇଟି । ଏହି ହତା ମଧ୍ୟରେ ମୁସଲିମ୍ ଧର୍ମର ଲୋକେ ରହିଲେ ଏଠାରେ ରହୁଥିବା ୪୦୦ ହିନ୍ଦୁ ପରିବାର ମଧ୍ୟରେ ଅସନ୍ତୋଷ ମନୋଭାବ ଜାଗ୍ରତ ହେବ । ଏହାସହ ଯଦି ଏହି ସୋସାଇଟି ପରିସରରେ କୌଣସି ମୁସଲିମ ଧର୍ମର ଲୋକେ ବସବାସ କରନ୍ତି, ତେବେ ଏଠାରେ ରହୁଥିବା ହିନ୍ଦୁଙ୍କ ଧର୍ମୀୟ ଭାବନା ପ୍ରତି ଏହା କୁଠାରଘାତ ସଦୃଶ ହେବ ।’ ଉତ୍ତରପ୍ରଦେଶ ରାଜ୍ୟ ମୋରାଦାବାଦର ଟିଡିଆଇ ସିଟି ସୋସାଇଟିରେ ଜଣେ ବ୍ୟକ୍ତି (ହିନ୍ଦୁ) ତାଙ୍କ ଫ୍ଲାଟ୍କୁ ଜଣେ ମୁସଲିମ୍ ବ୍ୟକ୍ତିଙ୍କୁ ବିକ୍ରି କରିଥିବାରୁ ଏହାକୁ ବିରୋଧ କରି ସେହି ସୋସାଇଟିର ବାସିନ୍ଦା ଉପରୋକ୍ତ ବିରୋଧାଭାଷ କରିଛନ୍ତି ।
ପିଟିଆଇ ନୁ୍ୟଜ୍ ଏଜେନ୍ସି ଅନୁସାରେ ଟିଡିଆଇ ସିଟି ସୋସାଇଟିରେ ବିକ୍ରି ହୋଇଥିବା ଘରର ପୂର୍ବ ମାଲିକ ଥିଲେ ଡଃ ଅଶୋକ ବଜାଜ । କିନ୍ତୁ ଏବେ ସେହି ଘରର ମାଲିକ ହେଉଛନ୍ତି ଡଃ ଇକ୍ରା ଚୌଧୁରୀ (ମୁସଲିମ) । ସୋସାଇଟି ବାସିନ୍ଦା ଏ ସମ୍ପର୍କରେ ଜାଣିବା ପରେ ଏହାକୁ ଦୃଢ଼ ବିରୋଧ କରିବା ସହ ଡଃ ଅଶୋକ ବଜାଜଙ୍କୁ ‘ମକାନ୍ ୱାପସ୍ ଲୋ’ ନାଁରେ ସ୍ଲୋଗାନ୍ ଦେଇଥିଲେ । ଏହାସହ ‘ମକାନ୍ ୱାପସ୍ ଲୋ’ ଲିଖିତ ଏକ ବ୍ୟାନର୍ ତାଙ୍କ ଘର ଆଗରେ ଟଙ୍ଗାଇ ଧାରଣା ଦେଇଥିଲେ । ତେବେ ଧାରଣାସ୍ଥଳରେ ଉଭୟ କ୍ରେତା ଓ ବିକ୍ରେତା ଉପସ୍ଥିତ ନ ଥିବାରୁ ସେମାନଙ୍କ ପ୍ରତିକ୍ରିୟା ଜଣାପଡ଼ି ନାହିଁ ।
ଧାରଣାକାରୀଙ୍କ ମଧ୍ୟରୁ ଜଣେ ପ୍ରକାଶ କରିଛନ୍ତି ଯେ, ଡଃ ଅଶୋକ ଏ ଘର ଜଣେ ମୁସଲିମ୍ ବ୍ୟକ୍ତି ବିଶେଷଙ୍କୁ ବିକ୍ରି କରିବା ପରେ ସୋସାଇଟିରେ ରହୁଥିବା ହିନ୍ଦୁ ପରିବାର ଆଗାମୀ ଦିନରେ ଅଶାନ୍ତ ପରିବେଶ ଆଶଙ୍କା କରି ଭୟଭୀତ ହୋଇଛନ୍ତି । ଆମେ ଚାହୁଁନୁ ଯେ, ଧର୍ମୀୟ ମନୋଭାବକୁ ନେଇ ସୋସାଇଟି ମଧ୍ୟରେ ଆଗାମୀ ଦିନରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉ । ଏଣୁ ଡଃ ଅଶୋକ ତାଙ୍କ ଘରକୁ ଫେରାଇ ନିଅନ୍ତୁ ବୋଲି ସୋସାଇଟି ବାସିନ୍ଦା ଦାବି କରିଛନ୍ତି ।