ଉଦୀୟମାନ ବଜାର ସୂଚକାଙ୍କରେ ଚୀନକୁ ଟପିଲା ଭାରତ
(ଏଜେନ୍ସି) ନୂଆଦିଲ୍ଲୀ : ଏମଏସସିଆଇ ଉଦୀୟମାନ ବଜାର ଓ ନିବେଶଯୋଗ୍ୟ ବଜାର ସୂଚକାଙ୍କରେ ଭାରତ ଗୁରୁତ୍ୱ ଦୃଷ୍ଟିରୁ ଚୀନକୁ ପଛରେ ପକାଇ ଦେଇଥିବା ମୋର୍ଗାନ ଷ୍ଟାନଲି ଘୋଷଣା କରିଛି । ଏମଏସସିଆଇ ଇଏମ ଆଇଏମଆଇରେ ଭାରତର ଗୁରୁତ୍ୱ ୨୨.୨୭ ପ୍ରତିଶତ ଥିବାବେଳେ ଚୀନର ୨୧.୫୮ ପ୍ରତିଶତ ରହିଛି ।
ଏମଏସସିଆଇ ଆଇଏମଆଇରେ ୩,୩୫୫ ଷ୍ଟକ ରହିଛି ଏବଂ ଏଥିରେ ବଡ଼, ମଧ୍ୟମ ଓ କ୍ଷୁଦ୍ର କ୍ୟାପ୍ କମ୍ପାନୀ ଅନ୍ତର୍ଭୁକ୍ତ । ଏହା ଉଦୀୟମାନ ବଜାର ରୂପେ ବିବେଚିତ ହେଉଥିବା ୨୪ଟି ଦେଶର ଷ୍ଟକକୁ ସାମିଲ କରିବା ସହିତ ପ୍ରତ୍ୟେକ ଦେଶରେ ଫ୍ରି ଫ୍ଲୋଟ ଆଡଜଷ୍ଟେଡ୍ ମାର୍କେଟ କ୍ୟାପିଟାଲାଇଜେସନର ପ୍ରାୟ ୮୫% କଭରେଜକୁ ଲକ୍ଷ୍ୟ ରଖି ଅଧ୍ୟୟନ କରିଥାଏ । ଚୀନ୍ରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ସେଠାକାର ବଜାର ସଂଘର୍ଷ କରୁଥିବା ବେଳେ ଅନୁକୂଳ ଆର୍ଥିକ ସ୍ଥିତିରୁ ଭାରତର ବଜାର ଲାଭବାନ ହୋଇଛି । ନିକଟ ଅତୀତରେ ଭାରତ ଭାରତୀୟ ଅର୍ଥବ୍ୟବସ୍ଥାର ସୁଦୃଢ଼ ଆର୍ଥିକ ଭିତ୍ତିଭୂମି ଓ ଭାରତୀୟ କର୍ପୋରେଟ୍ଗୁଡ଼ିକର ଦୃଢ଼ ପ୍ରଦର୍ଶନ ଦ୍ୱାରା ପରିଚାଳିତ ଇକ୍ୱିଟି ବଜାର ପ୍ରଦର୍ଶନରେ ବହୁତ ଉନ୍ନତ ପ୍ରଦର୍ଶନ କରିଛି । ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ)ରେ ୪୭% ବୃଦ୍ଧି, ବ୍ରେଣ୍ଟ ଅଶୋଧିତ ତୈଳ ଦର ହ୍ରାସ ଓ ଭାରତୀୟ ଋଣ ବଜାରରେ ଯଥେଷ୍ଟ ବିଦେଶୀ ପୋର୍ଟଫୋଲିଓ ନିବେଶ (ଏଫପିଆଇ) ରହିଛି । ଏହି କାରଣରୁ ଏମଏସସିଆଇ ନିଜର ସୂଚକାଙ୍କରେ ଭାରତୀୟ ଷ୍ଟକଗୁଡ଼ିକର ତୁଳନାତ୍ମକ ଗୁରୁତ୍ୱ ବଢ଼ାଉଛି । ଏମଏସସିଆଇ ଇଏମ ଆଇଏମଆଇ ବ୍ୟତୀତ ଭାରତର ଗୁରୁତ୍ୱ ବୃଦ୍ଧି ଏବଂ ଏମଏସସିଆଇ ଇଏମ ଇଣ୍ଡେକ୍ସରେ ଚୀନର ଗୁରୁତ୍ୱରେ ତୁଳନାତ୍ମକ ହ୍ରାସରୁ ମଧ୍ୟ ଏହା ସ୍ପଷ୍ଟ ହୋଇଛି ।
ବିଶ୍ଳେଷକଙ୍କ ଆକଳନ ଅନୁଯାୟୀ, ଏମଏସସିଆଇ ଇଏମ ଆଇଏମଆଇରେ ଏହି ପରିବର୍ତ୍ତନ ପରେ ଭାରତୀୟ ଇକ୍ୱିଟିରେ ପ୍ରାୟ ୪ରୁ ୪.୫ ବିଲିୟନ ଆମେରିକୀୟ ଡଲାର ପୁଞ୍ଜିପ୍ରବାହ ହୋଇପାରେ । ଆର୍ଥିକ ଅଭିବୃଦ୍ଧି ଓ ବିକାଶ ପାଇଁ ଆଶାନୁରୂପ ପୁଞ୍ଜିନିବେଶର ଗତି ବଜାୟ ରଖିବା ଲାଗି ଭାରତକୁ ଉଭୟ ଦେଶୀ ଓ ବିଦେଶୀ ଉସôରୁ ପୁଞ୍ଜିର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ବୈଶ୍ୱିକ ଇଏମ୍ ସୂଚକାଙ୍କରେ ଭାରତର ଗୁରୁତ୍ୱ ବୃଦ୍ଧି ସକାରାତ୍ମକ ଗୁରୁତ୍ୱ ବହନ କରୁଛି ।