ଇରାନ କରୁଛି ‘ପରମାଣୁ ବୋମା’ : ୪ କ୍ୱିଣ୍ଟାଲ ୟୁରାନିୟମ୍ କେଉଁଠି?
ନୂଆଦିଲ୍ଲୀ: ଇରାନକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏକ ବଡ଼ ଖବର ପ୍ରକାଶ ପାଇଛି । ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ପୂର୍ବରୁ ଇରାନ୍ ୪ ଶହ କିଲୋଗ୍ରାମର ୟୁରାନିୟମ୍ ଏକ ଗୁପ୍ତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲା । ଏହି ୟୁରାନିୟମରେ ଇରାନ୍ ଆଣବିକ ବୋମା ପ୍ରସ୍ତୁତ କରିବ ବୋଲି କୁହାଯାଉଛି । ଯେଉଁଥିରେକି ୯ରୁ ୧୦ଟି ପରମାଣୁ ବୋମା ହୋଇପାରିବ ।
ଇରାନର ଫୋରଡୋରେ ୧୬ଟି ଟ୍ରକ ରହିଥିବା ସାଟେଲାଇଟ୍ ଇମେଜରେ ଜଣାପଡ଼ିବା ପରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି । ଆମେରିକା ଉପ ରାଷ୍ଟ୍ରପତି ଜେଡ଼ି ଭାନ୍ସ ଓ ଇଣ୍ଟରନାସନାଲ ଆଟୋମିକ୍ ଏନର୍ଜି ଏଜେନ୍ସୀ (ଆଇଏଇଏ) ମୁଖ୍ୟ ରାଫେଲ ମାରିଆନୋ ଗ୍ରୋସି ମଧ୍ୟ ଏହାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି । ଯଦି ଇରାନ୍ ଓ ଇସ୍ରାଏଲ ମଧ୍ୟରେ ଶାନ୍ତି ଆଲୋଚନା ହୁଏ ତେବେ ଏହି କଥା ମଧ୍ୟ ଉଠିବ । ଅପରପକ୍ଷରେ ଆଣବିକ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣକୁ ଆମେରିକା ସଫଳ ବୋଲି ଦର୍ଶାଇଛି । ଏହାଦ୍ୱାରା ଇରାନର ଆଣବିକ ବୋମା ପ୍ରସ୍ତୁତକାରୀ ଯନ୍ତ୍ରାଂଶ ଧ୍ୱଂସ ହୋଇଯାଇଛି । ଇନ୍ଧନକୁ ପରମାଣୁ ବୋମାରେ ରୂପାନ୍ତରିତ କରିବା ପାଇଁ ଇରାନ୍ ପାଖରେ ଯନ୍ତ୍ରାଂଶ ନାହିଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।
ସେହିପରି ଆମେରିକା ଆକ୍ରମଣ କରିବା ପରର ଦୃଶ୍ୟ ମଧ୍ୟ ସାଟେଲାଇଟ୍ ଦ୍ୱାରା କଏଦ ହୋଇଛି । ଇରାନ୍ର ତିନି ଆଣବିକ କେନ୍ଦ୍ର ଧୂଳିରେ ପରିଣତ ହୋଇଯାଇଛି । ଅନେକ ବଡ଼ ବଡ଼ ଗର୍ତ୍ତ ବି ସୃଷ୍ଟିହୋଇଛି । ଆମେରିକା ୩୦ ହଜାର ପାଉଣ୍ଡର ବୋମା ମାଡ଼ କରିଥିବା ଦାବି କରିଛି ।