ଠିକାଦାରଙ୍କ ମନମାନିରେ ଚାଲିଛି ପଥର ବିଛା କାର୍ଯ୍ୟ
ଚାନ୍ଦବାଲିରୁ ଅଭୟ ମହାକୁଡ : ବର୍ଷା ଋତୁ ଆସିଲେ ସରକାରୀ ବାବୁଙ୍କ ମନେ ପଡେ ନଦୀ ବନ୍ଧ ସୁରକ୍ଷା କଥା । ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକୁ ବିନାଶ ଆଡକୁ ଠେଲି ଦେଉଛନ୍ତି ବିଭାଗୀୟ ଯନ୍ତ୍ରୀ ସାଙ୍ଗକୁ ସ୍ଥାନୀୟ କୁଜିନେତା । ନଦୀ କୁଳିଆ ଧୀବର ପରିବାରକୁ ପଥର ବିଛାଣ ନାମରେ ଭୁଆଁ ବୁଲାଉଛନ୍ତି ଜଳସମ୍ପଦ ବିଭାଗର ଅଫିସର ମାନେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଳ ସମ୍ପଦ ବିଭାଗ ପକ୍ଷରୁ ବାଲିଆପାଳ ମନ୍ତେଇ ନଦୀରେ ପାର୍ଶ୍ୱରେ ପଥର ବିଛାଣ କାର୍ଯ୍ୟ ଆରମ୍ଭକୁ ୩ବର୍ଷରୁ ଅଧିକ ହୋଇ ସାରିଥିଲେ ମଧ୍ୟ କାର୍ଯ୍ୟ ସରିବାରେ ନାଁ ଧରୁନି । ଅନ୍ୟପଟେ ନଦୀରେ ଉଛୁଳା ଜୁଆର ଆସିଲେ ବଉଳା କୁମ୍ଭୀର ଗର୍ଜନରେ ନଦୀ କୁଳିଆ ବାସୀଙ୍କ ମନରେ ଛନକା ପଶିଯାଏ । ପ୍ରତିବର୍ଷ ବର୍ଷା ଋତୁ ଆସିଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କର ଏହି ପଥର ବିଛାଣ କାର୍ଯ୍ୟ କଥା ମନେପଡେ । ଗଛିତ ଥିବା ପୁରୁଣା ପଥରକୁ ପୁନର୍ବାର ବିଛାଇ କାର୍ଯ୍ୟ ଚାଲୁ କରିବା ଦର୍ଶାଇ ରାଜ୍ୟ ସରକାରଙ୍କ ପାଖରୁ ବକେୟା ବିଲ ଉଠାଉ ନେଉଥିବା ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଚାନ୍ଦବାଲି ଜଳ ସମ୍ପଦ ବିଭାଗ ପକ୍ଷରୁ ବାଲିଆପାଳ ମନ୍ତେଇ ନଦୀ ପାର୍ଶ୍ୱରେ କୋଟି କୋଟି ଟଙ୍କାରେ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ହେଲେ ଦୁଃଖ ଓ ପରିତାପର ବିଷୟ କାର୍ଯ୍ୟ ଆରମ୍ଭ କୁ ୩ବର୍ଷରୁ ଅଧିକ ପୁରି ସାରିଥିଲେ ମଧ୍ୟ୍ୟ କାର୍ଯ୍ୟ ସମ୍ପୂର୍ଣ ହେବାରେ ନାଁ ଧରୁନି । କାର୍ଯ୍ୟ ବିଳମ୍ବ ଏବଂ ନିମ୍ନ ମାନର କାର୍ଯ୍ୟପାଇଁ ଉକ୍ତ ଠିକାଦାର ଉପରେ ରାଜ୍ୟ ସରକାର ଜଳ ମ୍ପଦ ବିଭାଗ ପକ୍ଷରୁ ୭୦ଲକ୍ଷରୁ ଅଧିକ ଟଙ୍କା ଜରିମାନା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନା ମୁତାବକ ଉକ୍ତ ଠିକାଦାର ନିମ୍ନମାନର ପଥରରେ କାର୍ଯ୍ୟ କରୁଥିବା ଏବଂ କାର୍ଯ୍ୟରେ ବିଳମ୍ବ କରିବାକୁ ନେଇ ସାଧାରଣରେ ଅଭିଯୋଗ ହୋଇ ଆସୁଥିଲା । ଏହି କାର୍ଯ୍ୟରେ ବିଳମ୍ବ ହେବାରୁ ୨ ଥର ଟେଣ୍ଡରକୁ ୮ମାସରୁ ଅଧିକ ହୋଇଥିଲେ ମଧ୍ୟ ବର୍ଷାଦିନ ଆସୁଥିବାରୁ ଅଳ୍ପକିଛି ପଥର ବିଛାଇ ଠିକାଦାର ବିଲ ଉଠାଇ ନେବାକୁ ଯୋଜନା କରୁଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ଏ ବିଷୟରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ତଦନ୍ତ କରିବା ପାଇଁ ଦାବି ହୋଇଛି ।