ଉନ୍ମୋଚନ ହେଲା ନମୋ ଯୁବ ମାରାଥନ ପୋଷ୍ଟର
ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଶର ଯୁବବର୍ଗର ଉନ୍ନତି ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଯୁବକମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତାଙ୍କ ପ୍ରୟାସ ଯୋଗୁ ସାରା ବିଶ୍ୱରେ ଭାରତର ଯୁବବର୍ଗ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସମସ୍ତେ ମୋଦିଜୀଙ୍କ ଭଳି ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ମୋଦିଜୀଙ୍କ ଜନ୍ମଦିନକୁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପକ୍ଷ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ୨୧ରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ‘ନମୋ ଯୁବ ମାରାଥନ’ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଅନେକ ସଂଖ୍ୟାରେ ଯୁବବର୍ଗଙ୍କୁ ସାମିଲ କରିବା ଉଦେ୍ଦଶ୍ୟରେ ଯୁବମୋର୍ଚ୍ଚା ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆଜିର ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମ ସହିତ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ପ୍ରମୁଖ ଭୁମିକା ରହିଛି । ‘ନମୋ ଯୁବା ମାରାଥନ’ର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଯୁବମୋର୍ଚ୍ଚା ପକ୍ଷରୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ସହିତ ନମୋ ଯୁବ ମାରାଥନର ପୋଷ୍ଟର ଉନ୍ମୋଚନ ହୋଇଯାଇଛି ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ସୂଚନା ଦେଇଛନ୍ତି । ଏହି ବୈଠକରେ ଯୋଗ ଦେଇ ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ, ଯୁବ ମାରାଥନ ଜରିଆରେ ନିଶା ମୁକ୍ତ ଭାରତର ବାର୍ତ୍ତା ଦିଆଯିବ । ଏଥିରେ ଦଶ ହଜାରରୁ ଉର୍ଦ୍ଧ୍ୱ ଯୁବବର୍ଗ ସାମିଲ ହେବେ । ମା’ ମାତୃଭୂମି ପାଇଁ ଅଧିକରୁ ଅଧିକ ସଂଖ୍ୟାରେ ଯୁବକ ଯୁବତୀ ଏହି ମାରାଥନ ସାମିଲ ହେବା ପାଇଁ ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ହାସ୍ୟ ଅଭିନେତା ହରିହର ମହାପାତ୍ର, ଅଭିନେତ୍ରୀ ଅଙ୍କିତା ଦାଶ, ପ୍ରଶାନ୍ତ ନାୟକ, ପ୍ରକାଶ ସାହୁ, ଅମିତ କୁମାର ସିଂ, ସୁବ୍ରତ ବିଶ୍ୱାଳଙ୍କ ସମେତ ଶତାଧିକ ଇନଫ୍ଲୁଏନ୍ସର ଯୋଗ ଦେଇଥିଲେ ।