ଏଇକ୍ଷଣି ହିଁ ଶୁଭମୁହୂର୍ତ୍ତ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଜୀବନର ସବୁ କ୍ଷଣ କେମିତି ଶୁଭମୁହୂର୍ତ୍ତ, ସେନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଏ ପୃଥିବୀଟା ପରିବର୍ତ୍ତନଶୀଳ । ବର୍ତ୍ତମାନର ମୁହୂର୍ତ୍ତ ପର ମୁହୂର୍ତ୍ତକୁ ରହେ ନାହିଁ । ବର୍ତ୍ତମାନର ସୁଯୋଗ ଆଉ ଦ୍ୱିତୀୟବାର ଆସେ ନାହିଁ । ତେଣୁ ଯେତେବେଳେ ଯାହ କରିବା ପାଇଁ ଚିନ୍ତା କରାଯାଏ, ତାହାକୁ ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ କରିଦେବା ଉଚିତ୍ । ଶୁଭ ମୁହୂର୍ତ୍ତ ବୋଲି କିଛି ନଥାଏ । ଯେତେବେଲେ ଯେଉଁ କାମ ଆରମ୍ଭ କରାଯାଏ ତାହା ସେହି କାମ ପାଇଁ ଶୁଭ ମୁହୂର୍ତ୍ତ । ଜୀବନରେ ଯଦି କିଛି ପରିବର୍ତ୍ତନ ହେଉ ବୋଲି ଚାହୁଁଛନ୍ତି, ତେବେ ତାହାର ଧାରା ଆଜି ଆଉ ଏବେ ଠାରୁ ହିଁ ପକାନ୍ତୁ । ବିଳମ୍ବ କରନ୍ତୁ ନାହିଁ । ଏଇକ୍ଷଣି ହିଁ ଶୁଭମୁହୂର୍ତ୍ତ ।
ଗୋଟାଏ ଦେଶ ଉପରେ ଯେତେବେଳେ ଶତ୍ରୁ ଆକ୍ରମଣ କରେ ସେତେବେଳେ ଶତ୍ରୁକୁ ଜବାବ୍ ଦେବା ପାଇଁ କୌଣସି ଶୁଭ ମୁହୂର୍ତ୍ତ ଖୋଜାଯାଏ ନାହିଁ । ଯେତେବେଳେ ରୋଗ ହୁଏ, ଚିକିତ୍ସା କରିବା ପାଇଁ କୌଣସି ଶୁଭ ମୁହୂର୍ତ୍ତ ଖୋଜାଯାଏନାହିଁ । ଦୁର୍ଘଟଣା ଘଟିଲେ ଚିକିତ୍ସା କରିବା ପାଇଁ କୌଣସି ଶୁଭ ମୁହୂର୍ତ୍ତ ଖୋଜାଯାଏ ନାହିଁ । ଭୋକ ଲାଗିଲେ ଖାଦ୍ୟ ଆହରଣ ପାଇଁ ଶୁଭ ମୁହୂର୍ତ୍ତ କେହି ଖୋଜନ୍ତି ନାହିଁ ନାହିଁ । ଏପରିକି ମଳମୂତ୍ର ତ୍ୟାଗ କରିବା ପାଇଁ ମଧ୍ୟ ଶୁଭ ମୁହୂର୍ତ୍ତ ନଥାଏ । ସବୁ କଥାରେ ଶୁଭ ମୁହୂର୍ତ୍ତ ଖୋଜୁଥିବା ଲୋକମାନେ ପ୍ରକୃତିର ନିୟମ ଅନୁସାରେ ଅନେକ କ୍ଷେତ୍ରରେ ବିଫଳ ମଧ୍ୟ ହୋଇଛନ୍ତି । ତେବେ ସେମାନଙ୍କ ବିଫଳତାର ଦାୟିତ୍ୱ କାହା ମୁଣ୍ଡରେ ଲଦାଯବି-ତାହା ବି ଏକ ବଡ଼ ପ୍ରଶ୍ନ ।
ଏ ପୃଥିବୀରେ ଏମିତି କେହି ନାହିଁ ଯିଏକି ଜୀବନ ସାରା ଖାଲି ସଫଳତା ହିଁ ପାଇଛି । ଜୀବନଟା ହେଉଛି ମିଶ୍ରିତ ଫଳ ଭୋଗ କରିବାର ଜୀବନ । ଜୀବନ ସାରା କେହି କେବେ ହେଲେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥିତିରେ ରହେ ନାହିଁ । ତେଣୁ ଯେତେବେଳେ ହିଁ ଯିଏ କିଛି ଗୋଟିଏ କରିବା ପାଇଁ ଯୋଜନା କରେ ସେହି ମୁହୂର୍ତ୍ତରେ ହିଁ ଏହାର କାର୍ଯ୍ୟ ଆରମ୍ଭ କରିଦେବା ଆବଶ୍ୟକ । ମନ ଭିତରେ ରଖୁଥିବା କୌଣସି ଏକ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କାହାରିକୁ ଅପେକ୍ଷା କରିବାର ଆବଶ୍ୟକତା ନାହିଁ, ଶୁଭ ବେଳ ଖୋଜିବାର ଆବଶ୍ୟକତା ନାହିଁ; ବରଂ ଏହା ସତ୍ୟ ଯେ କୌଣସି ଏକ କାର୍ଯ୍ୟର ଆରମ୍ଭ କରିବା ପାଇଁ ଯେକୌଣସି ହିଁ ଏକ ମୁହୂର୍ତ୍ତ ହିଁ ଶୁଭ ମୁହୂର୍ତ୍ତ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।