ସମ୍ବିଧାନରେ ସ୍ୱାୟତ୍ତ ଶାସନର ଭୂମିକା
ଦଶରଥ ହେମ୍ବ୍ରମ୍ : ଭାରତକୁ ଏକ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର କୁହାଯାଏ । ଗଣ ଅର୍ଥ ଜନ ଏବଂ ତନ୍ତ୍ର ଅର୍ଥ ଶାସନ, ଅତଏବ ଗଣତନ୍ତ୍ର ହେଉଛି ଲୋକ ମାନଙ୍କଦ୍ୱାରା, ଲୋକମାନଙ୍କ ପାଇଁ ଓ ଲୋକମାନଙ୍କର, ତେଣୁ ଏହାକୁ ଭିତ୍ତିକରି କେନ୍ଦ୍ର ତଥା ରାଜ୍ୟ ସରକାର ପ୍ରତିଷ୍ଠିତ । ଦେଶ ତଥା ରାଜ୍ୟର ଥିବା ଆଞ୍ଚଳିକ ଉନ୍ନୟନ ଏବଂ ଜନସାଧାରଣଙ୍କ ସୁବିଧା ନିମନ୍ତେ କେନ୍ଦ୍ର କିମ୍ବା ରାଜ୍ୟସରକାରଙ୍କ ଉପଯୁକ୍ତ ଦୃଷ୍ଟି ଦେବା ସର୍ବଦା ସମ୍ଭବ ହୋଇ ନଥାଏ, ତେଣୁ ସ୍ଥାନୀୟ ଲୋକଶାସନରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ବିଭିନ୍ନ ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳରେ ସ୍ୱାୟତ୍ତ ଶାସନ ସଂସ୍ଥାର ବ୍ୟବସ୍ଥା ରହିଛି ।
ଭାରତର ପଞ୍ଚାୟତିରାଜ ବ୍ୟବସ୍ଥାକୁ ତିନୋଟିସ୍ତରରେ ବିଭକ୍ତ କରାଯାଇଛି ଯେଉଁଥିରେ ଗ୍ରାମସ୍ତରରେ ଗ୍ରାମ ପଞ୍ଚାୟତ, ମଧ୍ୟବର୍ତ୍ତୀ ସ୍ତରରେ ବ୍ଲକ ପଞ୍ଚାୟତ, ଜିଲାସ୍ତରରେ ଜିଲା ପଞ୍ଚାୟତ ଥିବାବେଳେ ସହରାଞ୍ଚଳରେ ଏନଏସି, ମ୍ୟୁନିସିପାଲିଟି ଏବଂ ମହାନଗର ନିଗମ ବ୍ୟବସ୍ଥା ରହିଛି, ଏହାଦ୍ୱାରା ଶାସନ ବ୍ୟବସ୍ଥା ତୃଣମୂଳସ୍ତରରେ ପହଞ୍ଚି ପାରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଆମେ ସମସ୍ତେ ଜାଣିଛୁ, ବଲୱନ୍ତ ରାୟ ମେହେଟ୍ଟାଙ୍କୁ ପଞ୍ଚାୟତିରାଜ ବ୍ୟବସ୍ଥାର ଜନକ କୁହାଯାଉଥିବା ବେଳେ ସ୍ୱାୟତ୍ତ ଶାସନ ସଂସ୍ଥାର ଜନକ ଲର୍ଡ଼ ରିପନଙ୍କୁ କୁହାଯାଏ । ଲଡର଼୍ ରିପନ ହେଉଛନ୍ତି ଭାରତର ସ୍ୱାୟତ୍ତ ଶାସନ ସଂସ୍ଥାର ଜନ୍ମଦାତା । କିନ୍ତୁ ୧୮୦୬ରେ ସାର ଜୋସୀୟ ଚାଇଲଡର଼୍ ମାଦ୍ରାଜରେ ପ୍ରଥମେ ପୌରନିଗମ ସୃଷ୍ଟି କରିଥିଲେ ।
ଏହି ନିଗମ ସର୍ବପ୍ରଥମେ ଲୋକଙ୍କ ଉପରେ ଟିକସ ବସାଇ ନିର୍ଦ୍ଧାରିତ କର ଆଦାୟ କରିଥିଲା । ସେହି କରଦ୍ୱାରା ରାଜସ୍ୱ ବିନିମୟରେ ଲୋକମାନଙ୍କ ସୁବିଧା ପାଇଁ ଥାନା, ଜେଲ, ଟାଉନହଲ, ବିଦ୍ୟାଳୟ ନିର୍ମାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ ଯୋଗାଣ, ରାସ୍ତାକଡ଼ରେ ବୃକ୍ଷରୋପଣ ଭଳି ଜନସେବାମୂଳକ କାର୍ଯ୍ୟକ୍ରମ କରାଗଲା । ଏହାପୂର୍ବରୁ ରାଜା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନ କାଳରେ ରାଜ୍ୟକୁ କେତେଗୋଟି ପରଗଣା ଓ ପ୍ରଗନାକୁ ମଧ୍ୟ କେତୋଟି ୱାଡର଼୍ରେ ବିଭକ୍ତ କରାଯାଇ ଆଧୁନିକ ମ୍ୟୁନିସିପାଲିଟି ଢାଞ୍ଚାରେ ଶାସନ କାର୍ଯ୍ୟ ମଧ୍ୟ ପରିଚାଳିତ ହେଉଥିଲା । କିନ୍ତୁ ସ୍ୱାଧୀନ ଭାରତରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ସହରାଞ୍ଚଳରେ ସ୍ୱାୟତ୍ତ ଶାସନ ଏବଂ ଗ୍ରାମାଞ୍ଚଳରେ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଭାରତର ନୂତନ ସମ୍ବିଧାନ ପ୍ରଣୟନ ପରେ ୧୯୫୦ ମସିହା ଅକ୍ଟୋବର ମାସରେ ଓଡ଼ିଶା ପାଇଁ ମ୍ୟୁନିସିପାଲଟି ଆଇନ ପ୍ରଣୟନ ହେଲା, ଯାହାକି ଅଦ୍ୟାବଧି ଚାଲି ଆସୁଛି ।
ଓଡ଼ିଶା ମ୍ୟୁନିସିପାଲିଟି ଧାରା ୭୪ ଅନୁଯାୟୀ ପ୍ରତ୍ୟେକ ମ୍ୟୁନିସିପାଲିଟ ବା ଅଧିସୂଚିତ ଅଞ୍ଚଳରେ ସରକାରୀ ନିର୍ବାହୀ ଅଧିକାରୀ ଅବସ୍ଥାପିତ ହୋଇ କାର୍ଯ୍ୟ ତୁଲାଇବାର ବ୍ୟବସ୍ଥା ଅଛି । ଏହି ପରିଷଦର ସଭ୍ୟବୃନ୍ଦ ସ୍ଥାନୀୟ ଜନତାଙ୍କ ଭୋଟ ଦ୍ୱାରା ନିର୍ବାଚିତ ହୋଇ କାର୍ଯ୍ୟ ତଦାରଖ କରିବେ ଏବଂ ଭୋଟରଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କର ମୁଖ୍ୟଙ୍କୁ ଚେୟାରମ୍ୟାନ କୁହାଗଲା, ଯିଏକି ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱାରା ବଛାଗଲା । ଏହି ସଂସ୍ଥା ମାଧ୍ୟମରେ ସ୍ଥାନୀୟ ଅଧିବାସୀଙ୍କର ଉନ୍ନତିର ଯୋଜନାସବୁ ପ୍ରସ୍ତୁତ କରାଯାଇ ସାଧାରଣ ଜନତାଙ୍କ କଲ୍ୟାଣ ସାଧିତ ହୋଇଥାଏ ।
ପୌରସଂସ୍ଥାର ଦୁଇ-ତୃତୀୟାଂଶରୁ କମ ସଂଖ୍ୟକ ସଦସ୍ୟ ନିଶ୍ଚୟ ଅଣଶାସନିକ ହେବେ, ଯାହା ଲଡର଼୍ ରିପନଙ୍କ ତଥ୍ୟରେ ଦର୍ଶାଯାଇଛି । ନିର୍ବାଚନ ମାଧ୍ୟମ ଗ୍ରହଣ କରିବା ପାଇଁ ସରକାରୀ କର୍ମଚାରୀ ଯଥାସାଧ୍ୟ ଏହାର ସଫଳତା ନିମିତ୍ତ କାର୍ଯ୍ୟ କରିବେ ଏବଂ ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ । ସରକାରୀ ନିୟନ୍ତ୍ରଣ ଦୁଇପ୍ରକାରର କାର୍ଯ୍ୟକାରୀ ହେବ । ସଭାପତି ଅଣଶାସନିକ ହେବେ, ଏତଦ୍ୱାରା ଅନ୍ୟାନ୍ୟ କର୍ମକର୍ତ୍ତାଗଣ ନିଜର ଦାୟିତ୍ୱ ଏବଂ କର୍ତ୍ତବ୍ୟ ପ୍ରତି ସଚେତନ ଓ କର୍ତ୍ତବ୍ୟନିଷ୍ଠ ହେବେ । ତେଣୁ ପରିଷଦ ଜନଜାଗରଣ ଓ ରାଜନୈତିକ ଶିକ୍ଷାର ଶିକ୍ଷାକେନ୍ଦ୍ର ହୋଇପାରିବ । ପୌରସଂସ୍ଥାର କର୍ମଚାରୀ ହିସାବରେ ଡାକ୍ତର, ଇଞ୍ଜିନିୟରମାନେ ପୌର ଜନସାଧାରଣଙ୍କର ପ୍ରୟୋଜନୀୟ ସେବା, ସଦୁପଯୋଗ ନିମିତ୍ତ ସାହାଯ୍ୟ କରିବେ । ଜିଲ୍ଲାସ୍ତରୀୟ ବାହ୍ୟ କର୍ମଚାରୀଙ୍କ ଠାରେ ନ୍ୟସ୍ତଥିବା ଦାୟିତ୍ୱ ସେମାନେ ସୁଚାରରୂପେ ତୁଲାଇବେ ।
୧୮୮୨ରେ ଲଡର଼୍ ରିପନ୍ଙ୍କ ସରକାର ଯେଉଁ ପ୍ରସ୍ତାବ ଘୋଷଣା କଲେ ତାହା ଏକ ପ୍ରାରମ୍ଭିକ ରୂପରେଖ ଥିଲା । ଯଥା, ପ୍ରଶାସନିକ ଆୟତନ, ସ୍ୱାୟତ୍ତ ଶାସନସଂସ୍ଥାର ସମ୍ବିଧାନ, ସେମାନଙ୍କର କାର୍ଯ୍ୟାବଳୀ, ଅର୍ଥ ଏବଂ କ୍ଷମତାକୁ ନେଇ ଗଠିତ ଥିଲା । କିନ୍ତୁ ପରବର୍ତ୍ତୀ ସମୟର ଯେଉଁ ପ୍ରସ୍ତାବନା ଅନୁମୋଦନ କଲା ତାହା ଲଡର଼୍ ରିପନ୍ଙ୍କର ପ୍ରସ୍ତାବର ପୁନରାବୃତ୍ତି, ଅର୍ଥାତ ପରେ କୌଣସି ନୂତନତା ପ୍ରକାଶ ପାଇ ନଥିଲା । କେବଳ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ତେଣୁ ଲଡର଼୍ ରିପନ୍ଙ୍କର ଘୋଷଣା ଆଧୁନିକ ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନିମିତ୍ତ ଏକ ଆବେଦନ ବୋଲି ଉଲ୍ଲେଖ କରାଗଲା । ତାଙ୍କର ଉଦ୍ଦେଶ୍ୟ ଥିଲା, ସମତା ରକ୍ଷା, ଗୋଟିଏ ସଭ୍ୟ ଶାସନ ପ୍ରକ୍ରିୟାରେ ଜନସାଧାରଣଙ୍କର ସହାନୁଭୂତି, ସହଯୋଗ ଏବଂ ସର୍ବଶେଷରେ ଲୌକିକ ଓ ରାଜନୈତିକ ଶିକ୍ଷାର ଉନ୍ନତି କରିବା ହେଉଛି ସ୍ୱାୟତ୍ତ ଶାସନ ସଂସ୍ଥାର ଭୂମିକା । ଏହାଦ୍ୱାରା ସହରର ଶିକ୍ଷା, ରାସ୍ତାଘାଟ, ଜନସ୍ୱାସ୍ଥ୍ୟ, ପୋଲିସ, ଡାକ୍ତରଖାନା, ଗମନାଗମନର ସୁବିଧା, ଆଲୋକ ପ୍ରଦାନ ଇତ୍ୟାଦି ଜନସାଧାରଣଙ୍କ ଉନ୍ନତି ପାଇଁ ଏହିସବୁ ଯୋଜନା ହାତକୁ ନେଇ କାର୍ଯ୍ୟ କଲା ।
ସ୍ୱାଧୀନତା ପ୍ରାପ୍ତି ଏବଂ ଗଣତାନ୍ତ୍ରିକ ସମ୍ବିଧାନ ପ୍ରତିଷ୍ଠା ପରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଲୌକିକ ନିର୍ବାଚନ ଓ ସରକାର ପ୍ରତିଷ୍ଠା ନିମିତ୍ତ ଭାରତୀୟ ନେତୃବୃନ୍ଦ ଚିନ୍ତାକଲେ । ନୂତନ ସମ୍ବିଧାନର ବ୍ୟବସ୍ଥାନୁଯାୟୀ ସ୍ୱାୟତ୍ତ ଶାସନ ରାଜ୍ୟ ସରକାରଙ୍କର ଅନ୍ତର୍ଭୁକ୍ତ ହେଲା । ବାସ୍ତବତଃ ସ୍ୱାୟତ୍ତ ଶାସନ ସଂସ୍ଥାମାନ ଗଣତାନ୍ତ୍ରିକ କାର୍ଯ୍ୟକଳାପର ପ୍ରଶିକ୍ଷଣ କେନ୍ଦ୍ର କେବଳ ନୁହେଁ, ବରଂ ପଞ୍ଚବାର୍ଷିକ ଯୋଜନାରେ ଦାୟିତ୍ୱ ବହନ କରିବା ନିମିତ୍ତ ଏକ ବିଭାଗସଦୃଶ । ସମୟାନୁଯାୟୀ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଉନ୍ନତି, ବିକାଶ ଏବଂ ପୁନର୍ଗଠନ ନିମିତ୍ତ ବିଭିନ୍ନ ଆୟୋଗ ଓ ସମିତି ଗଠନ କରାଯାଇଥିଲା । ଏଥିରୁ ଜାଣିହୁଏ ଯେ, ସ୍ୱରାଜ ବା ସ୍ୱାୟତ୍ତ-ଶାସନର ଅର୍ଥ ହେଉଛି ପ୍ରଭୁତ୍ୱର ବିକେନ୍ଦ୍ରୀକାରଣ । ନିର୍ଦ୍ଦିଷ୍ଟ ଆଞ୍ଚଳିକ ଭୂଖଣ୍ଡରେ ସୀମିତ କ୍ଷେତ୍ରାଧିକାରରେ ଏହା କାର୍ଯ୍ୟ କରେ । ଏହାର ସାମ୍ବିଧାନିକ ସ୍ଥିତି, କ୍ଷେତ୍ରାଧିକାର ଅଧିନସ୍ଥ ଅଞ୍ଚଳରୁ ଧାର୍ଯ୍ୟ ବିତ୍ତ ବୃଦ୍ଧି, ଏହାର କ୍ଷମତା, ସ୍ଥାନୀୟ ଜନସାଧାରଣଙ୍କର ପ୍ରଶାସନିକ କାର୍ଯ୍ୟରେ ଓ ନିଷ୍ପତ୍ତିକରଣରେ ଅଂଶଗ୍ରହଣ ଏବଂ ସ୍ୱତନ୍ତ୍ରଭାବେ ପ୍ରବର୍ତ୍ତିତ ସ୍ୱାଧୀନତା ବାସ୍ତବ କ୍ଷେତ୍ରରେ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ କାର୍ଯ୍ୟକାରୀ ହେବା ବିଧେୟ । ଏହା ସ୍ଥାନୀୟ ଶାସନର ଏକ ଅଂଶ ଯାହା ଦ୍ୱାରା ପ୍ରଶାସନିକ ଦକ୍ଷତାର ସ୍ଥାନୀୟକରଣ କରି ସ୍ଥାନୀୟ ଅଧିବାସୀମାନଙ୍କର ଆକାଂକ୍ଷା ପୂର୍ଣ୍ଣ କରାଯାଇଥାଏ, ଯାହା ଅର୍ଥନୈତିକ ଉନ୍ନତି ଏବଂ ବୈଷୟିକ ଅଭିବୃଦ୍ଧି ଘଟାଇବା ସଙ୍ଗେ ସଙ୍ଗେ ସାମାଜିକ ପରିବର୍ତ୍ତନ ଓ ଆଧୁନିକୀକରଣରେ ସାହାଯ୍ୟ କରେ ।
ବାଲେଶ୍ୱର
ମୋ -୯୩୩୭୪୦୪୨୫୪