ଏସ୍ବିଆଇରେ ଗ୍ରାହକ ସେବା ବିପର୍ଯ୍ୟସ୍ତ
ଧର୍ମର୍ଶାଳା : ଷ୍ଟେଟବ୍ୟାଙ୍କ ଜାରକା ଶାଖାରେ ଗ୍ରାହକ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯାହାର ପ୍ରତିବାଦରେ ଧାରଣା ଦେବାକୁ ଗ୍ରାହକ ସଂଘ ଚେତାବନୀ ଦେଇଛି । ସଙ୍ଘ ପକ୍ଷରୁ ଶାଖାର ପରିଚାଳିକା ଓ ଉପରସ୍ଥ ଅଧିକାରୀମାନଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି । ଏନେଇ ସାମାଜିକ କର୍ମୀ ଇଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଧର୍ମଶାଳା ଗ୍ରାହକ ସେବା ସମିତି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଜାରକା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳିକା ସସ୍ମିତା ମଳିକ ବ୍ୟବହାର କାର୍ଯ୍ୟକଳାପକୁ ନେଇ ଆଲୋଚନା ହୋଇଥିଲା । ଗ୍ରାହକ ବ୍ୟାଙ୍କରେ କୌଣସି ଅଭିଯୋଗ କଲେ ତାଙ୍କୁ ଉତର ନଦେଇ ଖରାପ ବ୍ୟବହାର କରିବା କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ଦ୍ୱାରା ମାଡ଼ ମାରି ଥାନାକୁ ପଠାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏଥିସହ ବ୍ୟାଙ୍କର ଗ୍ରାହକଙ୍କ ଖାତାରୁ ବେଆଇନ ଭାବରେ ପଇସା କାଟିବା, କେୱାଇସି କରିବା ନାମରେ ଅର୍ଥ ହରିଲୁଟ କରିବା, ମୁଦ୍ରାଋଣ ସ୍କିମରେ ଗ୍ରାହାକ ମାନଙ୍କୁ ସମ୍ପୂର୍ଣ୍ଣ ପଇସା ନ ଦେଇ ସେମାନଙ୍କ ଠାରୁ ଇନସୁରାନ୍ସ ନାମରେ ବିନା ଅନୁମତିରେ ପଇସା କାଟିବା ଓ ସମୟ ପୂର୍ବରୁ ଜବର ଦସ୍ତ ପଇସା ଆଦାୟ କରିବା ଆଦି ଅନେକ ଅଭିଯୋଗ ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ଟଙ୍କା ଅଧିକ ରଖିଥିବା ଗ୍ରାହକ ମାନଙ୍କୁ ଇନସୁରାନ୍ସ କହିବାକୁ ବାଧ୍ୟ କରାଯାଉଥିବା ଗ୍ରାହକ ନମାନିଲେ ଆଳ ଦେଖାଇ ଏକାଉଂଟ ଅଚଳ କରିବା ସହିତ ବିଭିନ୍ନ ହଇରାଣ ହରକତ କରାଯାଉଥିବା ନେଇ ଆଲୋଚନା କରାଯାଇଥିଲା । ଏସମ୍ପର୍କରେ ଶାଖା ପରିଚାଳିକା ଏବଂ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇ ଦିଆଯାଇଥିବା ବେଳେ ୧୫ ଦିନ ମଧ୍ୟରେ ଏହାର ସମାଧାନ ପାଇଁ ଆଲୋଚନାକୁ ନଆସିଲେ ଗ୍ରାହକ ସେବା ସମିତି ପକ୍ଷରୁ ଆସନ୍ତା ୫ ତାରିଖରେ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତି କରାଯାଇଛି । ବୈଠକରେ ନୃସିଂହ ଚରଣ ମିଶ୍ର, ଧୀରେନ୍ଦ୍ର ନାୟକ, ସମରେନ୍ଦ୍ର ବରାଳ, ପ୍ରଣବ କୁମାର ରାଉତ, ଗୋଲକ ପଲାଇ, ଗୋପାଳକୃଷ୍ଣ ରାଉତ, ଚନ୍ଦ୍ରମଣି ପଣ୍ଡିତ, ଲୋକନାଥ ପଲାଇ, ଚିତରଞ୍ଜନ ମହାନ୍ତି ପ୍ରମୂଖ ଉପସ୍ଥିତ ରହିଥିଲେ ।