ନକଲି ସାର୍ଟିଫିକେଟ, ଅସଲି ଚାକିରୀ
Corruption Odisha
ଟାଙ୍ଗୀ-ଚୌଦ୍ୱାରରୁ ଦୀପକ ମଙ୍ଗରାଜ : ଅସଲି ଚାକିରୀ । ଅସଲି ଦରମା । ହେଲେ ସାର୍ଟିଫିକେଟ କିନ୍ତୁ ନକଲି । ଟାଙ୍ଗୀ-ଚୌଦ୍ୱାର ବ୍ଳକ୍ ଶିକ୍ଷା ମଣ୍ଡଳରେ ଏବେ ମାଳମାଳ ନକଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଠାବ କରାଯାଇଛି । କିଏ ଜାଲ ଜାତି ପ୍ରମାଣ ପତ୍ର ଦେଇଛନ୍ତି ତ ଆଉ କିଏ ନକଲି ସିଟି ସାର୍ଟିଫିକେଟ ଦେଇ ଚାକିରୀ ହାତେଇ ନେଇଛନ୍ତି । ପ୍ରଶାସନର ଆଖିରେ ଆଙ୍ଗୁଠି ଗେଞ୍ଜି ମାସକୁ ମାସ ମୋଟା ଦରମା ନେଇ ଚାଲିଛନ୍ତି କିଛି ଶିକ୍ଷକ ଶିକ୍ଷୟିତ୍ରୀ । ସୂଚନା ଅଧିକାର ଆଇନ୍ ଏହି ସବୁ ନକଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଅସଲ ମୁଖା ଖୋଲିଦେଇଛି ।
ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ଉଚ୍ଚପଦା ପଂଚାୟତର ନିଶ୍ଚିନ୍ତା ବିଦ୍ୟାଳୟକୁ ଉଦାହରଣ ଭାବେ ନିଆଯାଇପାରିବ । ଏଠି କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀଙ୍କର ସିଟି ପ୍ରମାଣପତ୍ର ନକଲି ଥିବା ବେଳେ ସେ ଏବେ ଧରାପଡି ତଦନ୍ତ ପରିସରକୁ ଆସିଥିବା ଜଣାପଡ଼ିଛି । ଶିକ୍ଷୟିତ୍ରୀ ଜଣକ ଘଟଣା ପରଠୁ ଫେରାର ଥିବା ବେଳେ ପୂର୍ବରୁ ଏହି ଶିକ୍ଷାମଣ୍ଡଳ ଅଧିନରେ ଥିବା ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଜାଲ ପ୍ରମାଣପତ୍ର ଯୋଗୁଁ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ଏହି ଶିକ୍ଷାମଣ୍ଡଳ ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟରେ ମୋଟ ୨୭ ଜଣ ନକଲି ଶିକ୍ଷକ ଶିକ୍ଷୟିତ୍ରୀ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
ଟାଙ୍ଗୀ ଥାନା ଅନ୍ତର୍ଗତ ଭଟ୍ଟିମୁଣ୍ଡା ଗ୍ରାମରେ ବି ଏଭଳି କାରନାମାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଏହି ଗ୍ରାମର ଧ୍ରୁବଚରଣ ଜେନାଙ୍କ ପୁତ୍ର ତପନ କୁମାର ଜେନା, ଧିରେନ ଜେନା ଓ ଝିଅ ସଂଯୁକ୍ତା ସୁଧା ଜେନା ଶିକ୍ଷାଦାନ କରୁଥିବା ବେଳେ ସେମାନଙ୍କର କିନ୍ତୁ ଶିକ୍ଷା ପ୍ରମାଣପତ୍ର ନକଲି ଥିବା ନେଇ ଜଣାପଡ଼ିଛି । ସୂଚନାଥାଉକି, ତପନ କୁମାର ଜେନା ବ୍ରଜବନ୍ଧୁ ପଇଁଗୁଆ ଉପ୍ରା ବିଦ୍ୟାଳୟରେ, ଧିରେନ୍ ବମ୍ବୁରି ବିଦ୍ୟାଳୟରେ ଓ ସଂଯୁକ୍ତା ସାନଦେବିଲରେ ପାଠ ପଢ଼ାଉଛନ୍ତି । ମାତ୍ର ଏହି ୩ ଜଣଙ୍କର ଯୋଗ୍ୟତାଭିତ୍ତିକ ପ୍ରମାଣପତ୍ର ନକଲି ଥିବା ନେଇ ସୁରାକ ମିଳିବା ପରେ ଏନେଇ ସୂଚନା ଅଧିକାର ନିୟମ ଦ୍ୱାରା ତଥ୍ୟ ମଗାଯାଇଥିଲା । ବ୍ଲକ୍ ଶିକ୍ଷା ମଣ୍ଡଳ ପକ୍ଷରୁ ପତ୍ର ସଂଖ୍ୟା-୬୨୨୭/ ୧୯.୧୨.୨୩ରେ କଟକ ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟରେ ତଥ୍ୟ ମଗାଯାଇଥିଲା । ବିଭାଗୀୟ ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା-୩୬/୨୦.୦୨.୨୪ରେ ସମସ୍ତ ତଥ୍ୟ ପ୍ରଦାନ କରାଯାଇଥିଲା । ଏହି ତଥ୍ୟ ମୁତାବକ ସେମାନେ ଜାତି ଭିତିକ ପ୍ରମାଣପତ୍ର ଆଧାରରେ ଚାକିରି ପାଇଛନ୍ତି । ଉଭୟ ଭାଇଭଉଣୀ ୩ ଜଣଙ୍କର ଜାତିଗତ ପ୍ରମାଣପତ୍ରର ତଥ୍ୟରେ ତାଳମେଳ ରହୁନଥିବା ନେଇ ଜଣାପଡ଼ିଥିଲା ।