ଡ.ଅରୁନ୍ଧତୀ ଦେବୀ : ଏକାଧିକ କାରଣରୁ ପୃଥିବୀ କ୍ରମଶଃ ଧ୍ୱଂସାଭିମୁଖୀ । କୃଷି, ମରୁଡ଼ି, ମୃତ୍ତିକାକ୍ଷୟ, ଜଳ, ପରିମଳ, ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, ଜଙ୍ଗଲ କ୍ଷୟ, ଖାଦ୍ୟ ନିରାପତ୍ତା, ବିଲୁପ୍ତି ମୁହଁରେ ଥିବା ପ୍ରାଣୀ ଓ ଆଦିମ ଅଧିବାସୀ ଆଦି ସମ୍ପର୍କରେ ସଚେତନତା ସୃଷ୍ଟି ତଥା ପରିସ୍ଥିତିକୁ ସାଧାରଣ କରିବାଲାଗି ଯୋଜନାବଦ୍ଧ ପଦକ୍ଷେପ ନିଆ ନଗଲେ ଆଗକୁ ବିପଦ । ଏ ବାବଦରେ ଜ୍ଞାନ ଓ ସୂଚନାର ଆଦାନ ପ୍ରଦାନ ବହୁ ଗୁଣିିତ ହେବା ଆବଶ୍ୟକ । ଏହା ସମୟର ଆହ୍ୱାନ ।
ପୃଥିବୀ ହେଉଛି ଜୀବଜଗତ ତଥା ସୃଷ୍ଟିର କେନ୍ଦ୍ରବିନ୍ଦୁ । ଏଠାରେ ଭିନ୍ନ ଆକୃତି ଏବଂ ପ୍ରକୃତିର ଜୀବଜନ୍ତୁ ଓ ଉଦ୍ଭିଦ ମଣ୍ଡଳୀ ବାସ କରିଥାନ୍ତି । ପୃଥିବୀ ବକ୍ଷରେ ବାସ କରୁଥିବା ଜୀବଜନ୍ତୁ ଏବଂ ଉଦ୍ଭିଦମଣ୍ଡଳୀ ମନୁଷ୍ୟର ବହୁ ଉପକାରରେ ଆସେ । ତାକୁ ସୁରକ୍ଷା କରିବା ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ । ବିଶ୍ୱବ୍ୟାପୀ ସର୍ବତ୍ର ପ୍ରାକୃତିକ ବିପର୍ଯ୍ୟୟ ପରେ କଂକ୍ରିଟ ଜଙ୍ଗଲ ଭିତରେ ବାନ୍ଧି ହୋଇଥିବା ମଣିଷ ପୁଣି ପ୍ରକୃତିକୁ ଫେରିବାକୁ ଆରମ୍ଭ କରିଛି । ଏମିତି ଏକ ଅବଧାରଣାକୁ ନେଇ ଆଜି ସାରା ବିଶ୍ୱରେ ବିକଶିତ ହୋଇଚାଲିଛି ଇକୋ ଟୁରିଜିମ୍ ବା ପର୍ଯ୍ୟାବରଣୀୟ ପର୍ଯ୍ୟଟନ । ଏହି ଶିଳ୍ପରେ ନୂଆ ସମ୍ଭାବନା ଓ ନୂଆ ଚମକ ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆକର୍ଷଣୀୟ କରାଯାଇଛି । ଇକୋ ଟୁରିଜିମ୍ ପରିକଳ୍ପନା ବେଶି ଦିନର ନୁହେଁ । ପରିବେଶର ସୁରକ୍ଷା ଓ ପରିବେଶ ପ୍ରତି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ଏହାର ମୂଳ ଲକ୍ଷ୍ୟ । ଉନ୍ନତ ଦେଶମାନଙ୍କରେ ଇକୋଟୁରିଜିମ୍ର ବିକାଶ ପାଇଁ ବ୍ୟୟବହୁଳ ଯୋଜନାମାନ କରାଯାଇ ଆକର୍ଷଣୀୟ ଭିତ୍ତିଭୂମି ପ୍ରସ୍ତୁତ କରାଗଲାଣି । ପର୍ଯ୍ୟଟକଙ୍କ ପାଇଁ ଇକୋ ଫ୍ରେଣ୍ଡଲି ହୋଟେଲ ଓ ଯାନବାହାନ ସହ ବିଭିନ୍ନ ବ୍ୟବସ୍ଥା ପ୍ରସ୍ତୁତ ହେଲାଣି । ସମୁଦ୍ରତଟ, ନଦୀ, ହ୍ରଦ, ଜଳପ୍ରପାତ, ମରୁଭୂମି, ଗୁମ୍ଫା, ପାହାଡ଼, ଜଙ୍ଗଲ, ଗ୍ଲାସିଅର, ବନ୍ୟଜନ୍ତୁ ଉଦ୍ୟାନ, ପରିବେଶ ଉଦ୍ୟାନ, ଉଦ୍ଭିଦ ସମ୍ପଦ ଓ ପଶୁସମ୍ପଦ ଆଦି ଇକୋ ଟୁରିଜିମ୍ର ଏକ ଆକର୍ଷଣ । କେବଳ ବିଭିନ୍ନ ବିବିଧ ଭୂଗୋଳ ଓ ସଂସ୍କୃତିର ଦେଶ ଭାରତର ଇକୋ ଟୁରିଜିମ୍ କ୍ଷେତ୍ର ନୁହେଁ ବରଂ ଓଡ଼ିଶାରେ ଏହି କ୍ଷେତ୍ର ବହୁ ପ୍ରଶସ୍ତ ଓ ବ୍ୟାପକ । ସମଗ୍ର ଭାରତରେ ୪୪୧ଟି ବନ୍ୟଜନ୍ତୁ ଅଭୟାରଣ୍ୟ ଓ ୮୦ଟି ଜାତୀୟ ପାର୍କ ରହିଥିବାବେଳେ ଓଡ଼ିଶାରେ ଭିତରକନିକା, ଶିମିଳିପାଳ ଓ ନନ୍ଦନକାନନ ଭଳି ଜାତୀୟ ପାର୍କ ବ୍ୟତୀତ ୭ଟି ବୃହତ ଓ ୨୨ଟି କ୍ଷୁଦ୍ର ଅଭୟାରଣ୍ୟ ରହିଛି । ଓଡ଼ିଶାର ମୋଟ ଆୟତନ ୧,୫୫,୭୦୭ ବର୍ଗ କିଲୋମିଟର ଭିତରୁ ୫୮,୧୩୬.୮୭ ବର୍ଗକିଲୋମିଟର ଜଙ୍ଗଲ ଅଞ୍ଚଳ । ୧୯ ପ୍ରକାର ଉଭୟଚର ପ୍ରାଣୀ, ୧୧୦ ପ୍ରଜାତିର ସରୀସୃପ, ୪୭୩ ପ୍ରଜାତିର ପକ୍ଷୀ ଓ ୮୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଦେଖିବାକୁ ମିଳନ୍ତି ଯାହାକି ସାରା ବିଶ୍ୱର ପରିବେଶପ୍ରେମୀ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଗୋଟିଏ ପଟେ ୪୮୦ କିଲୋମିଟର ସୁଦୀର୍ଘ ସ୍ୱର୍ଣ୍ଣିମ ବେଳାଭୂମି ପର୍ଯ୍ୟଟକଙ୍କୁ ସ୍ୱାଗତ କରୁଥିବା ବେଳେ ଅନ୍ୟପଟରେ ସମୁଦ୍ର ପତ୍ତନ ଠାରୁ ୨୦୦୦ ମିଟର ଉଚ୍ଚରେ ଅବସ୍ଥିତ ମାଳଭୂମିରେ ଭରି ରହିଛି ଛୋଟବଡ଼ ୨୫ରୁ ଊଦ୍ଧ୍ୱର୍ ମନଲୋଭା ଜଳପ୍ରପାତ ।
ବିହଙ୍ଗ ପର୍ଯ୍ୟଟନ ପାଇଁ ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଧନ, ବାରପାହାଡ ଓ ପପଙ୍ଗା ପାହାଡ଼ର ପ୍ରାକୃତିକ ପକ୍ଷୀ ଅଭୟାରଣ୍ୟ ଦୃଷ୍ଟି ଆକର୍ଷଣ କରିଥାଏ । ସେହିପରି ୧୯୭୫ରେ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବେ ଘୋଷିତ ଭିତରକନିକା, ୧୯୯୮ରେ ଜାତୀୟ ଉଦ୍ୟାନର ମାନ୍ୟତା ପାଇଥିବା ବେଳେ ୨୦୦୨ରେ ଏହା ଅନ୍ତର୍ଜାତୀୟ ରାମ୍ସାର ସାଇଟ୍ ଭାବେ ଘୋଷିତ ହୋଇଛି । ଏହାସହ ବିଶ୍ୱର ଅଦ୍ୱିତ୍ୟ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଭିତରକନିକା ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ହେନ୍ତାଳ ଜଙ୍ଗଲର ମାନ୍ୟତା ପାଇଛି । ଏହାସହ ୧୯୯୭ରେ ସାମୁଦ୍ରିକ ଅଭୟାରଣ୍ୟର ମାନ୍ୟତା ପାଇଥିବା ଗହୀରମଥା ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ଭୂସ୍ୱର୍ଗ ଭାବେ ପୃଥିବୀର ପର୍ଯ୍ୟଟକପ୍ରେମୀ ଓ ଗବେଷକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଏସିଆର ବୃହତ୍ତମ ହ୍ରଦ ମରାଳ ମାଳିନୀ ନିଳାମ୍ବୁ ଚିଲିକା ୧୯୮୭ରେ ପକ୍ଷୀ ଅଭୟାରଣ୍ୟ ଭାବେ ଘୋଷିତ ହେବା ପରେ ସମଗ୍ର ପୃଥିବୀରୁ ପର୍ଯ୍ୟଟକଙ୍କ ଏହା ବଡ଼ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ । ସେହିପରି ଇକୋ ଟୁରିଜିମ୍ର ଭୂସ୍ୱର୍ଗ କୁହାଯାଉଥିବା ଶିମିଳିପାଳ ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ବିଶ୍ୱସ୍ତରରେ ମାନ୍ୟତା ପାଇବାପରେ ଏବେ ଜାତିସଂଘ ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂସ୍ଥା ୟୁନେସ୍କୋର ଜୈବବିବିଧତା ତାଲିକାରେ ସାମିଲ ହୋଇଛି । ୨୭୫୦ କିଲୋମିଟର ବ୍ୟାପୀ ଏହି ଜଙ୍ଗଲ ମଧ୍ୟରେ ବିଭିନ୍ନ ଦର୍ଶନୀୟ କ୍ଷେତ୍ର ରହିଛି ।
ସେହିପରି ସୁନ୍ଦର ବନଭୂମି, ପୁରାତନ ଆଦିବାସୀ ଜନଜାତି, ଉଚ୍ଚପର୍ବତ ମାଳା, ଜଳପ୍ରପାତ, ନଦୀ, ଝରଣାର ଅପୂର୍ବ ସମ୍ଭାର ଲାଗି କୋରାପୁଟକୁ ଦ୍ୱିତୀୟ କାଶ୍ମୀର କୁହାଯାଏ । ଏହାର ସନ୍ନିକଟ ଗୁପ୍ତେଶ୍ୱର, ଡୁଡୁମା ଜଳପ୍ରପାତ, ଦେଓମାଳି ଉଚ୍ଚତମ ପାହାଡ଼ ଓ ମାଛକୁଣ୍ଡ ଜଳପ୍ରପାତ ସହ ରାଣୀଗୁମ୍ଫା, ରାମଗିରି, ରାଣୀଗୁଡ଼ା ବ୍ୟାପକ ଭାବେ ଇକୋ ଟୁରିଜିମ୍ କ୍ଷେତ୍ର ଭାବେ ସର୍ବଦା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଓଡ଼ିଶା ସରକାରଙ୍କ ବିଭିନ୍ନ ଲୋକପ୍ରିୟ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ଲୁକ୍ୟିତ ଅଧିକାଂଶ ପ୍ରାକୃତିକ ପର୍ଯ୍ୟଟନସ୍ଥଳର ରକ୍ଷଣାବେକ୍ଷଣ ଓ ଭିତ୍ତିଭୂମିର ଦାୟିତ୍ୱ ରାଜ୍ୟ ପର୍ଯ୍ୟଟନ ବିଭାଗ ହାତକୁ ନେଇଛି । କିନ୍ତୁ ଅନେକ ଆଭ୍ୟନ୍ତରୀଣ ଇଲାକାରେ ଲୁଚି ରହିଥିବା ପ୍ରକୃତିର ଅନୁପମ ଅନେକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଏଯାବତ୍ ଲୋକଲୋଚନର ଉହାଡ଼ରେ ରହିଯାଇଛି । ଏସବୁ ସମାଜର ବାହାରକୁ ଆଣିବା ଦାୟିତ୍ୱ ପ୍ରତି ଓଡ଼ିଆଙ୍କର । ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ଦ୍ରୁତ ଗତିରେ ହେଉଛି । ଯାହାପାଇଁ ପୃଥିବୀର ବିଭିନ୍ନ ଦେଶରୁ ନିୟମିତ ବ୍ୟବଧାନରେ ପର୍ଯ୍ୟଟକମାନେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳ ପରିଦର୍ଶନ କରୁଛନ୍ତି । ଯାହାଦ୍ୱାରା ସାମାଜିକ ବିକାଶ ହେବା ସହିତ ଓଡ଼ିଶାର ଅର୍ଥନୈତିକ କ୍ଷେତ୍ର ସୁଦୃଢ଼ ହେଉଛି । ଇକୋ ପର୍ଯ୍ୟଟନ ସହିତ ବିଭିନ୍ନ ଉତ୍ସବ ଓ ମହୋତ୍ସବରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ହେଉଥିବାରୁ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ବିଶେଷକରି ଇକୋ ଟୁରିଜିମ୍ କ୍ଷେତ୍ରରେ ଏକ ଆଗଧାଡ଼ିର ରାଜ୍ୟ ଭାବେ ପରିଚିତ ହେବାକୁ ଯାଉଛି ।
ମୋ : ୯୯୩୭୧୭୨୮୧୦