ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୪ ପାଇଁ ଘୋଷିତ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ସେଥିରେ ରହିଛନ୍ତି ୩ଜଣ ପଦ୍ମ ବିଭୂଷଣ, ୮ଜଣ ପଦ୍ମ ଭୂଷଣ ଓ ୫୫ ଜଣ ପଦ୍ମଶ୍ରୀ । ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଅନୁଷ୍ଠିତ ନାଗରିକ ସମ୍ମାନ ସାରୋହରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ଉପରାଷ୍ଟପତି ଏମ ଭେଙ୍କିଆ ନାଇଡୁ, ସ୍ୱର୍ଗତ ସୁଲଭ ଇଣ୍ଟରନେସନାଲ ପ୍ରତିଷ୍ଠାତା ବିନେ୍ଦଶ୍ୱର ପାଠକ ଓ ବିଶିଷ୍ଟ ଭାରତ ନାଟ୍ୟମ ନୃତ୍ୟବିଶାରଦ ପଦ୍ମା ସୁବ୍ରମଣ୍ୟମ (ପଦ୍ମ ବିଭୂଷଣ), ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ବିଶିଷ୍ଟ ଗାୟିକା ଉଷା ଉଥପ, ପୂର୍ବତନ ୟୁପି ରାଜ୍ୟପାଳ ରାମ ନାଏକ ଓ ଶିଳ୍ପପତି ସୀତାରାମ ଜିନ୍ଦଲ ପ୍ରମୁଖ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ସେହିପରି ୫୫ଜଣ ପଦ୍ମଶ୍ରୀ ପୁରସ୍କାରୀଙ୍କ ମଧ୍ୟରେ ଓଡିଶାରୁ ୨ଜଣ ସମ୍ମାନିତ ହୋଇଛନ୍ତି । ସେମାନେ ହେଲେ ୧୦୬ ବର୍ଷୀୟ ଗୁରୁ ଗୋପୀନାଥ ସ୍ୱାଇଁ ଓ ୯୦ ବର୍ଷୀୟ ବିନୋଦ କୁମାର ପଶାୟତ । ଗୁରୁ ଗୋପୀନାଥ ସ୍ୱାଇଁ ଗତ ୯ ଦଶନ୍ଧି ଧରି ପାରମ୍ପାରିକ କୃଷ୍ଣ ଲୀଳାର ଜଣେ ଗୁରୁ ଓ କଳାକାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ୧୯୨୮ ମସିହା ଫେବୃଆରି ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସ୍ୱାଇଁ ୧୦ ବର୍ଷ ବୟସରୁ ତାଙ୍କ ବଡ ବାପାଙ୍କ ଠାରୁ କୃଷ୍ଣ ଲୀଳା ଶିଖିବା ଆରମ୍ଭ କରିଥିଲେ । ଏହାପରେ ସେ ଗୀତ ଗାଇବା ଓ କୃଷ୍ଣ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଅନେକ ପାରମ୍ପାରିକ ଆଖଡା ବିଦ୍ୟାଳୟ ମାଧ୍ୟମରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଏହି ରୂପରେ ବ୍ୟାପକ ପରିବେଷଣ ଓ ପ୍ରଶିକ୍ଷଣ ଦେଇଛନ୍ତି । ବିରଳ ଶାସ୍ତ୍ରୀ ରାଗ, ସ୍ୱରରେ ସୁଧାର, କୌଶଳ ଓ ଉପସ୍ଥାପନାର ଜଟିଳ ପ୍ରାଚୀନ ପଦ୍ଧତିକୁ ବଜାୟ ରଖିବା ଦିଗରେ ତାଙ୍କର ଅତୁଟ ସମର୍ପଣ ପାଇଁ ସେ ବେଶ ଜଣାଶୁଣା ।