କଣାସ ଡାଇରିଆ ଅଞ୍ଚଳ ପରିଦର୍ଶନ କଲା କଂଗ୍ରେସ ଟିମ୍: ତୁରନ୍ତ ମହାମାରୀ ଘୋଷଣା କରିବାକୁ ଦାବି

 ଭୁବନେଶ୍ୱର: ଗୁରୁବାର ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ବିଧାୟକ ଦଳର ନେତା ରାମଚନ୍ଦ୍ର କଡ଼ାମଙ୍କ ନେତୃତ୍ୱରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଦୟାନଦୀର ପ୍ରଦୂଷିତ ପାଣି ବ୍ୟବହାର କରି ଝାଡ଼ାବାନ୍ତିରେ ୪ଜଣଙ୍କ ମୃତୁ୍ୟ ହେବା ଏବଂ ଶତାଧିକ ଆକ୍ରାନ୍ତ ହୋଇଥିବା ପୁରୀର କଣାସ ଅଞ୍ଚଳକୁ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାରୁ ଫେରିବା ପରେ ଶୁକ୍ରବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥିତିର ଗମ୍ଭୀରତା ବିଷୟରେ ଉଲ୍ଲେଖ କରି ପ୍ରଶାସନ ଓ ସରକାରଙ୍କୁ ଏହି ଦୁର୍ଭାଗ୍ୟ ଜନକ ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ସରକାରଙ୍କ ଚରମ ଅବହେଳାକୁ ଏଭଳି ଅଭାବନୀୟ ଘଟଣା ପାଇଁ ଦାୟୀ ବୋଲି କହିଛନ୍ତି । ଏହି ତଥ୍ୟ ଅନୁସନ୍ଧାନକାରି ଦଳରେ ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ମହାନଦୀ ବଞ୍ଚାଅ ଆନେ୍ଦାଳନର ଆବାହକ ସୁଦର୍ଶନ ଦାସ, ଓଡ଼ିଶା ମେଡିକାଲ ଆସୋସିଏସନ୍ର ପୂର୍ବତନ ସଭାପତି ଡାକ୍ତର ମଧୁସୂଦନ ମିଶ୍ର, ଓଡ଼ିଶା ହାଇକୋର୍ଟର ଓକିଲ ଜିଆଉଲ୍ ହକ, କଂଗ୍ରେସ ଏସ୍ସି ସେଲ୍ର ପୂର୍ବତନ ଅଧ୍ୟକ୍ଷ ବାଙ୍କ ବିହାରୀ ବେହେରା, ପଛୁଆ ବର୍ଗ ବିଭାଗର ପୂର୍ବତନ ଅଧ୍ୟକ୍ଷ ବିଜୟାନନ୍ଦ ଚଉଳିଆ ପ୍ରମୁଖ ସାମିଲ ଥିଲେ । ସେମାନେ କଣାସ ବ୍ଲକ୍ ଅଧିନସ୍ଥ ଗଡ଼ିଶା ଗଦା ପଞ୍ଚାୟତର ନୂଆଗାଁ ଓ ନଇପାଟଣା ଗାଁକୁ ଗସ୍ତ କରି ମୃତକ ପରିବାର ଲୋକଙ୍କୁ ଭେଟିବା ସହ ଗ୍ରାମବାସୀ, ସ୍ଥାନୀୟ ସରପଞ୍ଚ, କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କୁ ଭେଟି ତଥ୍ୟ ସଂଗ୍ରହ କରିଥିଲେ । ନଈ କୂଳପାଟଣାର ଗୁରେଇ ସେଠୀ, ନୂଆଗାଁର ସଚଳା ସାହୁ, ସାରଥୀ ପ୍ରଧାନ ଓ ମାଗି ଦଳେଇ ଝାଡ଼ା ବାନ୍ତିରେ ମୃତୁ୍ୟବରଣ କରିଥିବା ବେଳେ ଶତାଧିକ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିସôିତ ହେଉଛନ୍ତି । ସେମାନଙ୍କ ପରିବାର ବର୍ଗଙ୍କୁ ପ୍ରତିନିଧି ଦଳ ଭେଟି ସେମାନଙ୍କ ଦୁଃଖ ଶୁଣିଥିଲେ । ତଥ୍ୟ ଅନୁସନ୍ଧାନକାରୀ ଦଳର ମୁଖ୍ୟ ତଥା କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ କଡାମ ଜିଲ୍ଲା ପ୍ରଶାସନର ଚରମ ଅବହେଳା ଏଥିପାଇଁ ଦାୟୀ ବୋଲି କହିଛନ୍ତି । ଏହା ସହ ଜିଲ୍ଲାପାଳ, ସିଡିଏମ୍ଓ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଏକ୍ଜେକୁ୍ୟଟିଭ ଇଞ୍ଜିନିୟରଙ୍କ ନା'ରେ ଏତଲା ଦିଆ ଯାଇଛି । ତାହା ସହିତ ମୃତକ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୂରଣ ସରକାର ଦିଅନ୍ତୁ ବୋଲି ଦାବି କରିଥିଲେ । ପ୍ରସାଦ ହରିଚନ୍ଦନ କହିଥିଲେ କି, ପରିସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ସରକାର ତୁରନ୍ତ ଏହାକୁ ମହାମାରୀ ଘୋଷଣା କରନ୍ତୁ ବୋଲି ଦାବି କରିଥିଲେ ।