ବିବିଧତାରେ ଏକତା ଭାରତର ବିଶେଷତ୍ୱ: ରାଜ୍ୟପାଳ
ଭୁବନେଶ୍ୱର: ରାଜଭବନରେ ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ଥାପନା ଦିବସ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟିଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ରାଜ୍ୟଗୁଡ଼ିକ ହେଲେ ଆସାମ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ନଗରହାବେଳୀ ଓ ଡ଼ାମନ୍ ଏବଂ ଡିଉ । ଏହି ଉପଲକ୍ଷେ ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଓଡ଼ିଶାରେ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ତଥା ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଅନ୍ୟ ରାଜ୍ୟର ବ୍ୟକ୍ତି ବିଶେଷଙ୍କର ସକ୍ରିୟ ଅଂଶ ଗ୍ରହଣ ମଧ୍ୟରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ବିବିଧତାରେ ଏକତା ଭାରତର ବିଶେଷତ୍ୱ ବୋଲି କହିବା ସହିତ ବିବିଧତା ଆମ ଗୌରବ ବୋଲି କହିଥିଲେ । ଏକ ଭାରତ ଶ୍ରେଷ୍ଠ ଭାରତ । ବିବିଧତାରେ ଏକତା ଏକ ସ୍ଲୋଗାନ୍ରେ ସୀମିତ ନୁହେଁ ବରଂ ଏହା ଅପାର ଶକ୍ତିର ଭଣ୍ଡାର ବୋଲି ସେ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଫାଷ୍ଟ ଲେଡି ଜୟଶ୍ରୀ କମ୍ଭମ୍ପାଟି ଉପସ୍ଥିତ ଥିଲେ । ଏହି ସମାରୋହରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତଙ୍କ ସମେତ ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।