କଣ୍ଟ ଦେଇଥିଲା ଗୋପୀଙ୍କୁ

ପରମ ପବିତ୍ର ଧାମ ଗୋପପୁର  । ନନ୍ଦ ମହାରାଜା ରାଜେଧିଶ୍ୱର ଗୋପନଗରୀର ପାଖରେ ଅଛନ୍ତି ମହାରାଣୀ ଯଶୋଦା ମମତାମୟୀ ଜନନୀ  । ବୟସ ତୃତୀୟ ପାହାଚ  । ଗୋପପୁର ରଙ୍କନିଧି ଗୋପୀମାନଙ୍କ ଜୀବନଧନ କାଇଁଚମାଳିଆ ମୂରଲିଧାରୀ ସେ ଗୋପାଳପୁଅମାନଙ୍କର ପ୍ରାଣର ସଖା  । ସମୀପରେ ଅଗ୍ରଜ ହଳପାଣି ଶଙ୍କର୍ଷଣ, ଗୁଣ ତାଙ୍କ ଅବର୍ଣ୍ଣନୀୟ  । ଶ୍ରୀଅଙ୍ଗରୁ ଅଧା ଶକ୍ତିମୟୀ ରାଧା  । ଗୋପପୁରୀରେ ବିଷାଦ ମନରେ ରଥେ ଅଶ୍ୱଯୋଡ଼ି ସିଏ ଅପେକ୍ଷାରତ ନିରୀହ ଅକ୍ରୁର  । ଦୁରାଚାର କଂସାସୁରକୁ ଡର  । ରାମକୃଷ୍ଣଙ୍କୁ ମଥୁରା ନେବାକୁ ଆଦେଶ ଗୋପପୁର ପରିବେଶରେ ମର୍ମାହତ ଅକ୍ରୁର, ଆଖି ଛଳଛଳ  । ଅତୀତ ହୃଦବିଦାରଣ କରୁଛି ଗୋପଗୋପାଳୁଣିମାନଙ୍କର  । ପ୍ରଭୁଙ୍କର ମାୟା  । ପରମମୟଜୀବ ସହିତ ଖେଳିବା ଆନନ୍ଦ  । ଭକତବନ୍ଧୁ ଭକତର ମନ ଶିକୁଳିରେ ବନ୍ଧା କ’ଣ ଗୋଟାଏ ଖୋଜି ଚାଲିଛନ୍ତି ବାଳମୁକୁନ୍ଦ  । କାହାଁନ୍ତି ମୋର ପ୍ରାଣର ଗୋପାଙ୍ଗନାମାନେ  । ଦୃଷ୍ଟି ପଡିଲା  । ଅଦୂରରେ କୁଞ୍ଜବନରେ ସମସ୍ତେ ଏକତ୍ରିତ  । ପାଖକୁ ଗଲେ ମାୟାଧାରୀ ଅଭିମାନରେ ମୁହଁ ବୁଲାଇ ଦେଲେ ଗୋପାଙ୍ଗନାମାନେ  । ଆଖି ଛଳଛଳ କରି କହିଲେ, ତୁ’ ତ ମଥୁରା ଯିବୁ, ଯାତ୍ରା ଦେଖିବୁ, ଆମ ପାଖରେ କ’ଣ କାମ ? ଆରେ! ମୋ ଦେହରେ ପଥର ପଡୁଥିଲେ ମୁଁ କାନ୍ଦିଲେ ତୁମ ଅନ୍ତର ବିଦାରି ହେଉଥିଲା  । ମୁଁ ହସିଲେ ତୁମେମାନେ ଆତ୍ମହରା ହେଉଥିଲ  । ତୁମଘରୁ ସରଲବଣୀ ଚୋରିକଲି ବୋଲି ମାଆକୁ କହି ବାନ୍ଧି ମାଡ଼ ଖୁଆଉଥିଲ  । କିନ୍ତୁ ପରେ ମୋ ଆଖିରେ ଲୁହ ଦେଖିଲେ କାଖେଇ କୋଳେଇ ଦେହ ଆଉଁସି କାନ ମୋଡି ହୋଇ ଆଉ ନନ୍ଦରାଣୀକୁ ଗୁହାରି କରିବୁନି ବୋଲି କହୁଥିଲ  । ତୁମ କାଖରୁ ଡେଇଁ ହସି ହସି ମୁଁ ଗଡିଯାଉଥିଲି  । ସବୁ ଭୁଲିଗଲ  । ତୁମମାନଙ୍କର କହ୍ନେଇ ମାମୁଁ ଘରକୁ ଯାଉଛି  । ତୁମେ ଖୁସି ହେବା କଥା  । ଗୋପାଙ୍ଗନାମାନେ କହିଲେ ଯାଉନୁ, ଆମକୁ କିଆଁ ଫୁଲେଇ ହୋଇ କହୁଛୁ ! ଯିବିଯେ, ମୋର ଗୋଟିଏ ଜିନିଷ ଚୋରି ହୋଇଯାଇଛି  । କିଏ ଚୋରି କରିଛି ତୁ କ’ଣ ଆମକୁ ସନେ୍ଦହ କରୁଛୁ?  ହଁ ତୁମେମାନେ ଚୋରି କରି ନେଇଛ  । ଆମେ କ’ଣ ଚୋରଣୀ ? ଚାଲୁନୁ ଆମ ଘର ଦେଖିବୁ  । ସିନ୍ଦୁକ ପେଡି ଦେଖିବୁ  । ତୁମ ଘରେ  ନାହିଁ, ଏଇଠି ତୁମ ପାଖରେ ଅଛି  । ଚକିତ ହେଲେ ଗୋପୀମାନେ  । ନିଜ ଦେହକୁ ଭୁଲିଗଲେ ବସନ ଭୂଷଣ ଖୋଲି ପକାଇଲେ  । ଆରେ ତୁମ ଦେହ ଭିତରେ ଅଛି  । ବଡ କପଟିଆ ତୁ  । ଖୋଲି କରି କହୁନୁ  । ମୋ ମନ ଚୋରି କରିଛ, ମତେ ଫେରାଇ ଦିଅ  । ବଡ ଚାଲାଖି ତୁ  । ବସନ ଭୂଷଣ, ଘରଦ୍ୱାର, ଜୀବନ, ସବୁ ନେଇଯା  । ଯାହାକୁ ପାଇ ତାଲା ପକାଇ ରଖିଛୁ  ଦେଇପାରିବୁ ନାହିଁ  । ମୁଁ ଚାରିଦିନ ରହି ଫେରି ଆସିବି  । କଣ୍ଟ ହେଉଛି, ଆମର ବି ଜବାବ ରହିଲା  । ଚାରିଦିନ ପରେ  ଆସିଲେ ଆମେ ଫେରାଇ ଦେବୁ  । ଗୋପାଳ ପୁଅଙ୍କୁ ସେଇ କଣ୍ଟ, ଚାରିଦିନ ପରେ ଫେରି ଆସିବ  । ଭକ୍ତ ଅକ୍ରୁରର ଆକୁଳ ଅନ୍ତର କଥା ଜାଣିଲେ ଅନ୍ତର୍ଯ୍ୟାମୀ, ହାତଧରି ରଥରେ ବସାଇଲା ଅକ୍ରୁର  । ଦେହଗଲା ରଥରେ ! ମନ ନେଇପାରିଲେନି ଠାକୁରେ  । ଗୋପର ଆକର୍ଷଣ  । ମନ, ପ୍ରାଣ, ସ୍ନେହ ସବୁ ରହିଗଲା  । ସତରେ ଠାକୁରେ କ’ଣ ମିଛୁଆ  । ଭଣ୍ଡେଇ ଦେଲେ ନା ଗୋପୀମାନଙ୍କୁ ଦେଇଥିବା କଣ୍ଟରେ ରହିଗଲା ପ୍ରଭୁଙ୍କର ହିସାବ ଠିକ୍   । ସେ ପରମ, ସତ୍ୟ, ସର୍ବବ୍ୟାପୀ  । ଚାରିଦିନ ପୁରିନାହିଁ, ନିଶ୍ଚୟ ଆସିବେ  । ଦିନେ ଭୋଗ ହୋଇ ଦି ଦିନ ଚାଲିଛି, ସତ୍ୟ, ତ୍ରେତୟା ଆଉ ଦୁଇଦିନ ଭୋଗ ହେଲେ ତାଙ୍କ ପରମଯୁଗ ପରମଧନୀ ନିତ୍ୟସ୍ଥଳିକୁ ଆସିବେ, ଧରା ଆଲୋକିତ କରିବେ  । କଣ୍ଟ ପୂରଣ ହେବ  ।
ଚୈତନ୍ୟ ଜେନା,ନୂଆପଲ୍ଲୀ, ଭୁବନେଶ୍ୱର