କାହା ପାଇଁ  ମାଳ ମାଳ ଯୋଜନା?  ବଦଳୁନି ବୁଡି ଅଞ୍ଚଳବାସୀଙ୍କ ଭାଗ୍ୟ


 ଭବାନୀପାଟଣା : ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି ହେଲେ ସେହି ଯୋଜନା ବାସ୍ତବରେ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ । ତାହା ପୁଣି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧୁ୍ୟଷିତ ଥୁଆମୂଳ ରାମପୁର ବ୍ଲକ୍ରେ । ଏହି ବ୍ଲକ୍ର ଇନ୍ଦ୍ରବତୀ ବୁଡି ଅଞ୍ଚଳବାସୀ ଏବେ ନବରଙ୍ଗପୁର ଜିଲ୍ଲା ଭରସାରେ ରହୁଛନ୍ତି । ନିଜ ବ୍ଲକ ମହକୁମା ଯିବା ପାଇଁ କୌଣସି ସୁବିଧା ନାହିଁ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହେଉ କିମ୍ବା ବଜାର କିମ୍ବା ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ  ଆଣିବା ପାଇଁ ନବରଙ୍ଗପୁର ଜିଲ୍ଲା ଉପରେ ନିର୍ଭର କରୁଛନ୍ତି । ଇନ୍ଦ୍ରାବତୀ ଜଳଭଣ୍ଡାରରେ ଡ଼ଙ୍ଗା ପାର ହେଉଥିବା ବେଳେ, ପାଦେପାଦେ ବିପଦ ଥିବା ଜାଣି ମଧ୍ୟ ଏମାନେ ନଦୀ ପାର ହେବାକୁ ବାଧ୍ୟ ହେଉଛନ୍ତି ବୁଡି ଅଞ୍ଚଳବାସୀ ।
ଅନ୍ୟପକ୍ଷରେ ବ୍ଲକ ମୁଖ୍ୟାଳୟକୁ ରାସ୍ତା ତ ଦୂରର କଥା ଭାଷା ମଧ୍ୟ ଭୁଲିଗଲେଣି । କଳାହାଣ୍ଡି ଜିଲ୍ଲାର ସ୍ୱତନ୍ତ୍ର ଭାଷା ଥିବା ବେଳେ, ଏହି ବୁଡି ଅଞ୍ଚଳବାସୀ  ନବରଙ୍ଗପୁର ଉପରେ ଭରଷା କରି କରି ଏବେ ସେଠାକାର ଭାଷା ମଧ୍ୟ କହୁଛନ୍ତି । କେବଳ ଆଧାରକାର୍ଡ ହିଁ ଥୁଆମୂଳ ରାମପୁରବ୍ଲକବାସୀ ବୋଲି ପରିଚୟ ଦେଉଛି  ।  ବ୍ଲକର ଦୁର୍ଗମ ତଥା ଇନ୍ଦ୍ରବତୀ ବୁଡି ଅଞ୍ଚଳର ପୋଡାପଦର, ମାଳି ଗାଁ, ଗୋପୀନାଥପୁର, ଅଡ୍ରି, ତଳନାଗୀ ସମେତ ୫ଟି ପଞ୍ଚାୟତବାସୀ ନବରଙ୍ଗପୁର ଜିଲ୍ଲା ଉପରେ ନିର୍ଭର କରୁଛନ୍ତି  । ଜିଲ୍ଲାର ଶେଷ ସୀମାରେ ବସବାସ କରନ୍ତି ଆଦିବାସୀ ମାନେ  । ଏହି ପଞ୍ଚାୟତବାସୀଙ୍କୁ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିକୁ  ପ୍ରାୟ ୧୫ କିଲୋମିଟର ଯିବାକୁ ପଡିଥାଏ । ଇନ୍ଦ୍ରବତୀ ଜଳଭଣ୍ଡାର ମଧ୍ୟରେ ଥିବା କେନାଲ ଘାଟ ରୁ ପ୍ରାୟ ୫୦୦ ମିଟର ମୋଟର ଚାଳିତ ଡ଼ଙ୍ଗାରେ ପାର ହୋଇ ତେନ୍ତୁଳିଖୁଣ୍ଟିକୁ ଯାଇଥାନ୍ତି  । ତେନ୍ତୁଳିଖୁଣ୍ଟି ଏହି ବୁଡି ଅଞ୍ଚଳକୁ ପାଖ ପଡୁଥିବା ବେଳେ, ଡାକ୍ତରଖାନା ଠାରୁ ଆରମ୍ଭ କରି ବଜାର କିମ୍ବା ନିତ୍ୟବ୍ୟବହାର୍ଯ୍ୟ ଜିନିଷ ମଧ୍ୟ କିଣିବାକୁ ଏଠାକୁ ଆସିଥାନ୍ତି । ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟକୁ ଆସିବାକୁ ହେଲେ ଏହି ଅଞ୍ଚଳବାସୀଙ୍କୁ ୬୦ ରୁ ୭୦ କିଲୋମିଟର ପଡିଥାଏ । ଇନ୍ଦ୍ରାବତୀ ବୁଡି ଅଞ୍ଚଳରେ ନା ଡାକ୍ତରଖାନାର ସୁବିଧା ଅଛି ନା ବଜାର ବ୍ୟବସ୍ଥାର ସୁବିଧା ଅଛି ।  ଯଦି କୌଣସି ଗର୍ଭବତୀ, ପ୍ରସୂତି କିମ୍ବା ଅନ୍ୟ କୌଣସି ରୋଗୀକୁ ଥୁଆମୂଳ ରାମପୁରକୁ ନେଉଥିବା ବେଳେ, ଗମନାଗମନର କୌଣସି ସୁବିଧା ନ ଥିବାରୁ ବିଭିନ୍ନ ସମୟରେ ମୃତୁ୍ୟ ବରଣ କରୁଥିବା ନଜିର ଅଛି । ରାଜନେତା ବଦଳୁଛନ୍ତି, ନିର୍ବାଚିତ ପ୍ରତିନିଧି ମଧ୍ୟ ବଦଳୁଛନ୍ତି ହେଲେ ବଦଳି ପାରୁନିବୁଡି ଅଞ୍ଚଳବାସୀଙ୍କ ଭାଗ୍ୟ । ଏହି ଅଞ୍ଚଳକୁ କୌଣସି ରାଜନେତା କି ପ୍ରଶାସନ ଯାଉ ନଥିବାରୁ ଧୀରେ ଧୀରେ ଏବେ ବଦଳିବାରେ ଲାଗିଛନ୍ତି ବୁଡି ଅଞ୍ଚଳର ଆଦିବାସୀମାନଙ୍କ ଭାଗ୍ୟ ବଦଳୁ ନାହିଁ । ବର୍ତ୍ତମାନ ରାଜ୍ୟରେ ସରକାର ବଦଳିଛି  ।ତେଣୁ ଏମାନଙ୍କର ସମସ୍ୟା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି ।