ବିଗୁଡୁଛି ସ୍ୱାସ୍ଥ୍ୟସେବା : ବିଶେଷଜ୍ଞ, ଡାକ୍ତର ଓ କର୍ମଚାରୀ ଅଭାବ

 ନବରଙ୍ଗପୁର : ନବରଙ୍ଗପୁର ଏକ ଅନୁନ୍ନତ ଜିଲ୍ଲା । ଏହି ଜିଲ୍ଲାର ଆର୍ଥିକ ଓ ସାମାଜିକ ସ୍ଥିତି ଆଶା ଜନକ ଭାବେ ସୁଦୃଢ଼ ନାହିଁ । ୨୦୧୧ ଜନଗଣନା ଅନୁଯାୟୀ ଜିଲ୍ଲାର ଜନ ସଂଖ୍ୟା ୨୦ ଲକ୍ଷ ୧ ହଜାର ୪୨୧ ହେବ । ୧୮୯ ପଞ୍ଚାୟତ ୮୯୪ ରାଜସ୍ୱ ଗାଁ ରହିଛି । ଅନୁସୂଚିତ ଜାତି ୧୪.୫୩ ଓ ଜନଜାତି ୫୫.୭୯ ପ୍ରତିଶତ ରହିଛନ୍ତି । ଏହି ଭଳି ଜିଲାରେ ସ୍ୱାସ୍ଥ୍ୟ ସେବା ଏକ ଜଟିଳ ପରିସ୍ଥିତିରେ ରହିଛି । ଏହାର ମୁଖ୍ୟ କାରଣ ବିଶେଷଜ୍ଞ ଓ ଡାକ୍ତର ଅଭାବ । ସରକାର ନିଯୁକ୍ତି ଦେଉଛନ୍ତି । କିଛି ମାସ, ବର୍ଷ ପରେ ଡାକ୍ତର ଓ ବିଶେଷଜ୍ଞ ଅନ୍ୟ ଉନ୍ନତ ଜିଲ୍ଲାକୁ ଚାଲି ଯାଉଛନ୍ତି । ଏହି ସମସ୍ୟା କିଭଳି ସୁଧୁରିବ ତାହା ସରକାର ଓ ପ୍ରଶାସନ ଚିନ୍ତା କରିବାର ବେଳ, ଆସିଛି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି । ଡାକ୍ତର, ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କର୍ମଚାରୀ ପଦବୀ ଖାଲି ପଡିବା ଯୋଗୁ ଲୋକେ ହାତ ଟେକି ଦେବା ଛଡ଼ା ଅନ୍ୟ ବାଟ ନାହିଁ ବୋଲି କହିଛନ୍ତି । ଜିଲାରେ ୪୧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୧୦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉମରକୋଟ ଏସ୍ଡିଏଚ୍ ଓ ନବରଙ୍ଗପୁର ଖାଲି ପଡ଼ିଛି ୧୧୬୦ ପଦବୀ । ଜିଲ୍ଲାର ୬୮ ବିଶେଷଜ୍ଞ ଡାକ୍ତର ମଧ୍ୟରୁ ୫୩ ଓ ୩୦୭ ଡାକ୍ତର ପଦବୀ ମଧ୍ୟରୁ ୧୨୭ ପଦବୀ ଖାଲି ପଡ଼ିଛି । ସେହିଭଳି ୪୦୧ ନସିଂ ପଦବୀରୁ ୯୪, ଲ୍ୟାବ ଟେକ୍ନିସିଆନ୍ ୪୧ ରୁ ୨୩, ରେଡିଓଗ୍ରାଫର୍ ୧୮ରୁ ୧୦, ମହିଳା ସ୍ୱାସ୍ଥ୍ୟ କର୍ମୀ ୫୨୦ରୁ ୧୦୮, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ୪୭୩ ରୁ ୩୬୧, ଫାର୍ମାସୀ ଅଫିସର ୧୨୦ରୁ ୬୨, ଏମ୍ପିଏକ୍ଏସ୍ (ମହିଳା) ୧୨୨ରୁ ୧୦୬, ଏମ୍ପିଏକ୍ଏସ୍ (ପୁରୁଷ) ୧୦୪ ରୁ ୬୭, ପିଏଇଓ ୧୦ ରୁ ୬, କିରାଣୀ ୨୫ ରୁ ୧୩ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ୨୨୯ ରୁ ୪୦ ପଦବୀ ଖାଲି ପଡ଼ିଛି । ଏସମସ୍ତ କର୍ମଚାରୀଙ୍କ ପଦବୀକୁ ଯୋଡିଲେ ଜିଲାରେ ୮୯୦ ପଦବୀ ଖାଲି ପଡ଼ିଛି । ସେହିଭଳି ଡାକ୍ତର ଓ ବିଶେଷଜ୍ଞ ୧୮୦ ପଦବୀ ଖାଲି ପଡିଛି । ଏତେ ସଂଖ୍ୟକ ବିଭିନ୍ନ ବର୍ଗର ପଦବୀ ଖାଲି ପଡ଼ିଥିବା ବେଳେ ଜିଲାର ସ୍ୱାସ୍ଥ୍ୟ ସେବା କିଭଳି ପରିସ୍ଥିତିରେ ରହିଛି ତାହା ସାଧାରଣରେ ଅନୁମେୟ । ଜିଲାରେ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁ ମେଡିକାଲ ବୋର୍ଡ ବସିବା ମଧ୍ୟ କଷ୍ଟ ସାଧ୍ୟ ହୋଇପଡିଛି । ଏହି ଭଳି ପରିସ୍ଥିତିରେ ସରକାର ନବରଙ୍ଗପୁର ଜିଲା ପାଇଁ ୫ ଜଣ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିଛନ୍ତି । ଉମରକୋଟ ଏସ୍ଡିଏଚ୍କୁ ଜଣେ ଶିଶୁ ଓ ମେଡିସିନ ବିଶେଷଜ୍ଞ, ନବରଙ୍ଗପୁର ସଦର ମହକୁମା ଡାକ୍ତରଖାନାକୁ ଇଏନ୍ଟି, ମନସ୍ତତ୍ତ୍ୱ ଓ ପଥ୍ଲାଜି ବିଶେଷଜ୍ଞ ନିଯୁକ୍ତି ଦିଆଯାଇଛି । ସେମିତି ସ୍ୱାସ୍ଥ୍ୟ ବିଭାଗରେ ଜିଲାସ୍ତରୀୟ ପ୍ରଶାସନ ଅଧିକାରୀ ଅଭାବ ରହିଥିଲା । ଏନେଇ ୫ ଜଣ ବିଭିନ୍ନ ବିଭାଗର ପ୍ରାଶାସନିକ ଅଧିକାରୀ ପଦୋନ୍ନତି ନିଯୁକ୍ତି ପାଇଛନ୍ତି ।
ଅନ୍ୟପକ୍ଷରେ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତର ପଦବୀ, ସ୍ୱାସ୍ଥ୍ୟ କର୍ମୀ ଓ ବିଭିନ୍ନ ବିଭାଗର ପଦବୀ ୨୫ ବର୍ଷରେ ୩ ଗୁଣା ବଢ଼ିଛି । ସେମାନଙ୍କ ଦରମା ମଧ୍ୟ ବୃଦ୍ଧି ହୋଇଛି । ତେବେ କିରାଣୀମାନଙ୍କ ବେତନ ବୃଦ୍ଧି ହୋଇପାରିନାହିଁ । ସ୍ୱଳ୍ପ ବେତନରେ କାମ କରୁଥିବାବେଳେ ନୂତନ ପଦବୀ ସୃଷ୍ଟି କରାଯାଉ ନାହିଁ ଓ କମ୍ ସଂଖ୍ୟକ କିରାଣୀରେ ଚାପଯୁକ୍ତ ହୋଇ କାମ ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ଜିଲାରେ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ବିଶେଷଜ୍ଞ ଓ ଡାକ୍ତର ଅଭାବ ଯୋଗୁ ରୋଗୀଙ୍କୁ ଜିଲା ସଦର ମହକୁମା ଡାକ୍ତରଖାନାକୁ ରେଫର୍ କରାଯାଉଛି । ତେବେ ସଦର ମହକୁମାରେ ମଧ୍ୟ ଏକା ଅବସ୍ଥା । ଏଠାରେ ରୋଗୀଙ୍କୁ କାରାପୁଟକୁ ସ୍ଥାନାନ୍ତର କରାଯାଉଛି । ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ ପଣ୍ଡାଙ୍କୁ ପଚାରିବାରୁ ୫ ଜଣ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ହୋଇଛି । ଡାକ୍ତର ଓ ବିଶେଷଜ୍ଞ ନିଯୁକ୍ତି ପାଇଁ ସରକାରଙ୍କୁ ଚିଠି କରି ଜଣାଇ ଦିଆଯାଇଛି । ନୂତନ ପଦବୀ ସୃଷ୍ଟି ପାଇଁ ସରକାର ରିପୋର୍ଟ ମାଗିଥିଲେ । ତାହା ପ୍ରସ୍ତୁତ ହେଉଛି, ରିପୋର୍ଟ ପ୍ରଦାନ କରାଯିବ । ଜିଲ୍ଲାରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ଅଭାବ ସତ୍ତ୍ୱେ କିଭଳି ଲୋକେ ଠିକ୍ ସ୍ୱାସ୍ଥ୍ୟ ସେବା ପାଇବେ ସେନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି । ବିଶେଷଜ୍ଞ ଡାକ୍ତର ଆସିଲେ ଜିଲ୍ଲାରେ ମେଡିକାଲ ବୋର୍ଡ ପାଇଁ ଯେଉଁ ସମସ୍ୟା ହେଉଥିଲା ତାହା ଆଉ ରହିବ ନାହିଁ ବୋଲି ଆଶା ରହିଛି ।