କୂଟନୀତି ଓ ପର୍ଯ୍ୟଟନ
ଡ.ସମନ୍ୱୟ ନନ୍ଦ : ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ କାଶ୍ମୀରରେ ଧର୍ମ ପଚାରି ପର୍ଯ୍ୟଟକ ମାନଙ୍କୁ ହତ୍ୟା କରାଯିବା ଘଟଣା ପରେ ଭାରତୀୟ ସେନା ଦ୍ୱାରା ପାକିସ୍ତାନ ବିରୁଦ୍ଧରେ କରାଯାଇଥିବା ସଫଳ ଅପରେସନ ସିନ୍ଦୂର ସମୟରେ ଅନେକ ଦେଶ ସେମାନଙ୍କର ଅସଲ ଚରିତ୍ର ଦେଖାଇଥିଲେ । ଏଥି ମଧ୍ୟରୁ ଦୁଇଟି ଇସଲାମୀ ଦେଶ ଖୋଲାଖୋଲି ଭାବେ ଭାରତ ବିରୁଦ୍ଧରେ ଓ ପାକିସ୍ତାନ ସମର୍ଥନରେ ବାହାରିଥିଲେ । ସେତେବେଳେ ସାରା ବିଶ୍ୱର ପୁଣି ଥରେ ଖଲିଫା ହେବାକୁ ସ୍ୱପ୍ନ ଦେଖୁଥିବା ତୁର୍କୀ ଭାରତର ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଥିଲା । କେବଳ ସେତିକି ନୁହେଁ ତୁର୍କୀ ପାକିସ୍ତାନକୁ ଆବଶ୍ୟକୀୟ ଡ୍ରୋନ ଓ ଅନ୍ୟ ସାମଗ୍ରୀ ପ୍ରଦାନ କରିଥିବା ନେଇ ମଧ୍ୟ ସୂଚନା ଲୋକ ଲୋଚନକୁ ଆସିଥିଲା । ଏହା ସହିତ ତୁର୍କୀ ସେତେବେଳେ ପାକିସ୍ତାନ ସହିତ ତାର କୂଟନୈତିକ ସମ୍ପର୍କ ଓ ସହଯୋଗକୁ ବଢାଇବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ସେହିପରି ଏହି ସମୟରେ ଅଜରବାଇଜାନ ମଧ୍ୟ ଖୋଲାଖୋଲି ଭାବେ ପାକିସ୍ତାନକୁ କୂଟନୈତିକ ସ୍ତରରେ ସମର୍ଥନ ପ୍ରଦାନ କରିଥିଲା । ଏହି ଦେଶ ତାର ସାର୍ବଜନୀନ ବକ୍ତବ୍ୟ ଓ ମିଳିତ ମିଡିଆ ପ୍ଲାଟଫର୍ମରେ ଭାରତର ପାକିସ୍ତାନ ଉପରେ କାର୍ଯାନୁଷ୍ଠାନକୁ ସମାଲୋଚନା କରିଥିଲା । ତୁର୍କୀ ଓ ଆଜରବାଇଜାନ ଦ୍ୱାରା ପାକିସ୍ତାନକୁ ସମର୍ଥନ କେବଳ ରାଜନୈତିକ ସମର୍ଥନ ପର୍ଯ୍ୟନ୍ତ ସୀମିତ ନ ଥିଲା । ତାଙ୍କର ଏହି ପଦକ୍ଷେପକୁ ଭାରତ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଥିଲା । ଭାରତୀୟ ନାଗରିକ ଓ ଭାରତୀୟ ବିଶେଷଜ୍ଞ ମାନେ ମଧ୍ୟ ଏହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ଏହି ଦେଶ ମାନଙ୍କର ଏପରି ପଦକ୍ଷେପକୁ ଭାରତର ରାଷ୍ଟ୍ରୀୟ ସ୍ୱାର୍ଥ ବିରୁଦ୍ଧରେ ଏକ ପଦକ୍ଷେପ ବୋଲି ମନେ କରିଥିଲେ ।
ଏହି ଘଟଣା ପରେ ଭାରତର ନାଗରିକ ମାନେ ସେମାନଙ୍କର ଦେଶଭକ୍ତିର ପରିଚୟ ଦେଇଛନ୍ତି । ଅପରେସନ ସିନ୍ଦୂର ପ୍ରସଙ୍ଗରେ ଏହି ଦୁଇ ଦେଶର ଆର୍ôଥକ ସ୍ୱାର୍ଥକୁ କିପରି କ୍ଷତି ହେବ ତାକୁ ନେଇ ଭାରତୀୟ ନାଗରିକ ମାନଙ୍କ ପକ୍ଷରୁ ଏକ ସ୍ୱତଃସ୍ପୂର୍ତ୍ତ ଭାବେ ଏହି ଦୁଇ ଦେଶକୁ ପର୍ଯ୍ୟଟନ କ୍ଷେତ୍ରରେ ବହିଷ୍କାର କରିବାକୁ ଆହ୍ୱାନ କରାଯାଇଥିଲା । ଏଠାରେ ମନେ ରଖିବାକୁ ପଡିବ ଯେ ଏହି ଦୁଇ ଦେଶ ପାଇଁ ପର୍ଯ୍ୟଟନ ପାଇଁ ଯେଉଁ ଆର୍ଥକ ବହିଷ୍କାର ପାଇଁ ଆହ୍ୱାନ କରାଯାଇଥିଲା ସେଥିରେ ଭାରତ ସରକାରଙ୍କର କୌଣସି ଭୂମିକା ନ ଥିଲା । ଏହା ସମ୍ପୂର୍ଣ୍ଣ ଭାବେ ଭାରତୀୟ ନାଗରିକ ଓ ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟରତ ଘରୋଇ ସଂସ୍ଥା ମାନଙ୍କ ଦ୍ୱାରା ଥିଲା । ଭାରତର ଜାତୀୟ ଓ ସାମରିକ ସ୍ୱାର୍ଥର ସୁରକ୍ଷା ଏହି ଆର୍ôଥକ ବୟକଟ୍ ପଛର ମୁଖ୍ୟ ତର୍କ ଥିଲା । ଯେତେବେଳେ କୌଣସି ଦେଶ ଭାରତ ବିରୁଦ୍ଧରେ କୌଣସି ପ୍ରକାର ରାଜନୈତିକ କିମ୍ବା ସୈନ୍ୟ ସହଯୋଗରେ ସାମିଲ ହୁଏ ସେତେବେଳେ ଉକ୍ତ ଦେଶକୁ ଆର୍ôଥକ ଦୃଷ୍ଟିରୁ ପ୍ରଭାବିତ କରିବା କିମ୍ବା କ୍ଷତି ପହଂଚାଇବାକୁ ଚେଷ୍ଟା କରିବାର ବିଚାର ଆସିବା ଅତ୍ୟନ୍ତ ସ୍ୱାଭବିକ କଥା । ପର୍ଯ୍ୟଟନ କୌଣସି ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବିଦେଶୀ ମୁଦ୍ରା ହାସଲ କରିବାର ଉତ୍ସ ଅଟେ । ଭାରତୀୟ ନାଗରିକ ମାନେ ତୁର୍କୀ ଓ ଆଜରବାଇଜେନର ପର୍ଯ୍ୟଟନକୁ ବନ୍ଦ କରିବାକୁ ଆହ୍ୱାନ ଦେବାରେ କୌଣସି ପ୍ରକାର ଅସ୍ୱାଭାବିକ କଥା ନ ଥିଲା । ଏହା ଦ୍ୱାରା ଭାରତର ନାଗରିକ ମାନେ ବାସ୍ତବରେ ଏହି ଦେଶ ଦ୍ୱୟକୁ ଆର୍ôଥକ ରୂପେ ବାର୍ତ୍ତା ଦେଇଥିଲେ ଯେ ଭାରତୀୟ ମାନେ ନିଜର ରାଷ୍ଟ୍ର ହିତ ଓ ରାଷ୍ଟ୍ରୀୟ ସୁରକ୍ଷା ମାମଲାକୁ ନେଇ ଅତ୍ୟନ୍ତ ସମ୍ବେଦନଶୀଳ ।
ଭାରତର ନାଗରିକ ମାନେ ଏହି ଦୁଇ ଦେଶ ବିରୁଦ୍ଧରେ ଯେଉଁ ବୟକଟର ଆହ୍ୱାନ ଦେଇଥିଲେ ତା ପଛରେ ନୈତିକ ଦାୟିତ୍ୱ ମଧ୍ୟ ଥିଲା । ଭାରତୀୟ ସମାଜରେ ଏହି ଭାବନା ସବୁବେଳେ ରହି ଆସିଛି ଯେ ଯେତେବେଳେ କୌଣସି ଦେଶ ତାଙ୍କ ଦେଶ ବିରୁଦ୍ଧରେ କାର୍ଯ୍ୟ କରେ ଉକ୍ତ ଦେଶକୁ କୌଣସି ପ୍ରକାର ସହଯୋଗ ପ୍ରଦାନ କରାଯିବା ଉଚିତ ନୁହେଁ । ପୂର୍ବରୁ ଭାରତୀୟ ମାନେ ଯୁଦ୍ଧ ସମୟରେ ସେମାନଙ୍କର ଏହି ଭାବନାର ପରିପ୍ରକାଶ କରି ଆସିଛନ୍ତି ଓ ଏହାକୁ ଭାରତୀୟ ମାନେ ନିଜର ନୈତିକ କର୍ତ୍ତବ୍ୟ ବୋଲି ମନେ କରିଥାନ୍ତି । ତେଣୁ ଅପରେସନ ସିନ୍ଦୂର ପରେ ଏହି ଦୁଇ ଦେଶର ଭାରତ ବିରୋଧୀ ଆଭିମୁଖ୍ୟ ପରେ ଭାରତୀୟ ନାଗରିକ ମାନଙ୍କ ଦ୍ୱାରା ସେମାନଙ୍କ ଦେଶକୁ ପର୍ଯଟନକୁ ବୟକଟ୍ କରିବାର ଆହ୍ୱାନ ଦେଇ ସେମାନଙ୍କର ନୈତିକ କର୍ତ୍ତବ୍ୟକୁ ପାଳନ କରିବାକୁ ଚେଷ୍ଟା କରିଥିଲେ ।
ଏଠାରେ ଆଉ ଏକ ଗୁରୁତ୍ୱପୂର୍ଣ କଥା ଯାହାର ଉଲ୍ଲେଖ କରାଯିବା ନିହାତି ଜରୁରି । ଏହାର ଉଲ୍ଲେଖ କରାନଗଲେ ଭାରତୀୟମାନଙ୍କର ଦେଶ ପାଇଁ ପ୍ରତିବଦ୍ଧତାକୁ ବୁଝି ହେବ ନାହିଁ । ଏହି ଦୁଇ ଦେଶକୁ ଯାତ୍ରା ନ କରିବା ପାଇଁ ଭାରତ ପକ୍ଷରୁ ସରକାରୀ ଭାବେ କୌଣସି ଟ୍ରାଭେଲ ଆଡଭାଇଜରୀ ଜାରି କରା ଯାଇନଥିଲା । ଏହାର ଅର୍ଥ ହେଲା ଯେ ଭାରତ ସରକାର ସରକାରୀ ଭାବେ ଦେଶର ନାଗରିକମାନଙ୍କୁ ଏହି ଦୁଇ ଦେଶକୁ ଯାତ୍ରା ନକରିବାକୁ କହିନଥିଲେ । ମାତ୍ର ଇଜିମାଇଟ୍ରିପ ଓ ମେକମାଇଁ ଟ୍ରିପ ଦେଶର ପ୍ରମୁଖ ଯାତ୍ରା ପୋର୍ଟାଲ ଗୁଡିକ ନିଜ ଆଡୁ ଏହି ଭାରତ ବିରୋଧୀ ଦୁଇ ଦେଶକୁ ଯାତ୍ରା ମାନଙ୍କୁ ପଠାଇବା ପାଇଁ କମ ପ୍ରୋତ୍ସାହିତ କରିଥିଲେ । ଦେଶର ନାଗରିକମାନେ ମଧ୍ୟ ଏହି କଥାକୁ ବୁଝି ସେମାନଙ୍କର ଦାୟିତ୍ୱ ପାଳନ କରିଛନ୍ତି । ଅପରେସନ ସିନ୍ଦୂର ସମୟରେ ଆତଙ୍କବାଦୀ ଦେଶକୁ ସମର୍ଥନ କରିଥିବା ଏହି ଦୁଇ ଦେଶକୁ ସେମାନେ ଯେତିକି ମାତ୍ରାରେ ଆର୍ôଥକ ଭାବେ ପ୍ରଭାବିତ କରି ପାରିଥାନ୍ତେ ତାହା କରିଛନ୍ତି । ଏହା ଭାରତୀୟ ମାନଙ୍କର ନିଜ ଦେଶ ପାଇଁ ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି ।
ଏହି ଘଟଣାକୁ ଏକ ନୂଆ ପ୍ରକାରର ଲୋକ କୂଟନୀତି ଅର୍ଥାତ (ପିପୁଲ୍ଡ ଡ୍ରିଭିନ ଡେମୋକ୍ରେସି)ର ଉଦାହରଣ ବୋଲି କହି ପାରିବା । ଭାରତୀୟ ନାଗରିକ ମାନେ ସେମାନଙ୍କର ବିଦେଶ ଯାତ୍ରା ପାଇଁ ଯାଉଥିବା ବେଳେ ଏହି ଦୁଇ ଦେଶକୁ ନ ବାଛି ଆତଙ୍କବାଦ ପ୍ରାୟୋଜିତ ଦେଶ ମାନଙ୍କୁ ସହଯୋଗ ପ୍ରଦାନ କରୁଥିବା ତୁର୍କୀ ଓ ଆଜରବାଇଜାନକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ତେଣୁ ଯଦି ଆମେ ଦେଖିବା ଯେ ଅପରେସନ ସିନ୍ଦୁରର ପ୍ରଭାବ କେବଳ ଯେ ସୈନ୍ୟ ଓ କୂଟନୈତିକ କ୍ଷେତ୍ରରେ ହୋଇ ରହି ନାହିଁ । ଭାରତରେ ଏହାର ଦୂରଗାମୀ ପ୍ରଭାବ ଦେଖିବାକୁ ମିଳିଛି । ଏହା ସମ୍ପର୍କ ଓ ଯାତ୍ରା ପର୍ଯଟନ ପାଇଁ ଦେଶକୁ ବାଛିବା କ୍ଷେତ୍ରରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିଛି । ଭାରତୀୟ ନାଗରିକ ମାନେ ସ୍ପଷ୍ଟ କରି ଦେଇଛନ୍ତି ଯେ ଆନ୍ତର୍ଜାତିକ ରାଜନୀତିରେ ସେମାନେ ନିଷ୍କ୍ରିୟ ନୁହନ୍ତି ବରଂ ସେମାନେ ସକ୍ରିୟ ଭାଗିଦାର ।