ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ଗତି
ଏଇ ଅଳ୍ପ କେତେଦିନ ତଳେ ଦେଶରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିିକର ମାନ ଜାଣିବା ପାଇଁ ନ୍ୟାସନାଲ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ର୍ୟାଙ୍କିଙ୍ଗ୍ ଫ୍ରେମ୍ୱାର୍କ୍ (ଏନ୍ଆଇଆର୍ଏଫ୍) ପକ୍ଷରୁ ସର୍ଭେକ୍ଷଣ ତାଲିକା ପ୍ରକାଶ ପାଇଛି । ଏଥିରେ ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବରେ ଚେନ୍ନାଇ ସ୍ଥିତ ଆଇଆଇଟି ରହିଛି । ଚଳିତଥରକୁ ମିଶାଇ ଓଭରଅଲ୍ କାଟାଗୋରୀ ଏବଂ ଇଞ୍ଜିନିୟର କାଟାଗୋରୀରେ ଅଷ୍ଟମ ଥର ପାଇଁ ଏହି ଶିକ୍ଷାନୁଷ୍ଠାନ ସର୍ବୋଚ୍ଚ ଆସନ ହାସଲ କରିଛି । ଏହି ର୍ୟାଙ୍କିଙ୍ଗ୍ ତାଲିକାକୁ ବିଶ୍ଳେଷଣ କରିଲେ ଦେଖାଯାଉଛି ଯେ ଓଡ଼ିଶାର ପ୍ରଥମ ଏବଂ ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ, ଉକ୍ରଳ ବିଶ୍ୱବିଦ୍ୟାଳୟ ର୍ୟାଙ୍କିଙ୍ଗ୍ରେ ତଳକୁ ତଳ ଖସୁଛି । ଏପରିକି ଏହି ର୍ୟାଙ୍କିଙ୍ଗ୍ର ଶ୍ରେଷ୍ଠ ଶହେଟି ବିଶ୍ୱବିଦ୍ୟାଳୟରେ ଉକ୍ରଳ ବିଶ୍ୱବିଦ୍ୟାଳୟର ସ୍ଥାନ ନାହିଁ । ୨୦୨୨ ମସିହାରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଏହି ର୍ୟାଙ୍କିଙ୍ଗ୍ରେ ୮୮ତମ ସ୍ଥାନରେ ଥିଲା । ୨୦୨୩ରେ ୯୩କୁ ଖସିଗଲା । ବର୍ତ୍ତମାନ ଏହାର ସ୍ଥାନ ୧୦୧ରୁ ୧୫୦ ମଧ୍ୟରେ ରହିଛି । ୧୯୬୦-୭୦ ଏପରିକି ୮୦ ଦଶକ ପର୍ଯ୍ୟନ୍ତ ଉକ୍ରଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୨/୩ ଟି ସ୍ଥାନ ପାଉଥିଲେ । କିନ୍ତୁ ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାନ ଏତେ ତଳକୁ ଖସିଯିବା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି ଐତିହ୍ୟସମ୍ପନ୍ନ ବିଶ୍ୱବିଦ୍ୟାଳୟ ପାଟ୍ନା ବିଶ୍ୱବିଦ୍ୟାଳୟ ଠାରୁ ଅଲଗା ହେବା ସମୟରେ ସମଗ୍ର ଦେଶରେ ଶିକ୍ଷା କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିଲା । ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାନ ନିମ୍ନଗାମୀ ହେଉଥିବା ଦେଖି ଛାତ୍ରଛାତ୍ରୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ଏହି ର୍ୟାଙ୍କିଙ୍ଗ୍ରେ ଆଇଆଇଟି ଗୁଡ଼ିକର ପ୍ରାଧାନ୍ୟ ରହିଛି । ବାଙ୍ଗାଲୁରୁ ସ୍ଥିତ ଇଣ୍ଡିଆଇନ୍ ଇନଷ୍ଟିଚୁ୍ୟଟ୍ ଅଫ୍ ସାଇନ୍ସ ଦ୍ୱିତୀୟ ସ୍ଥାନରେ ଅଛି । ତୃତୀୟରେ ଆଇଆଇଟି ବମ୍ବେ, ଚତୁର୍ଥରେ ଆଇଆଇଟି ଦିଲ୍ଲୀ, ପଞ୍ଚମରେ ଆଇଆଇଟି କାନ୍ପୁର୍ ଏବଂ ଷଷ୍ଠରେ ଆଇଆଇଟି ଖଡ଼ଗପୁର ରହିଛି । ସପ୍ତମ ସ୍ଥାନରେ ଦିଲ୍ଲୀ ସ୍ଥିତ ଏମସ୍ ରହିଛି । ଅଷ୍ଟମ ସ୍ଥାନରେ ଆଇଆଇଟି ରୁର୍କି, ନବମରେ ଆଇଆଇଟି ଗୌହାଟୀ ଏବଂ ଦଶମରେ ଜେଏନ୍ୟୁ ରହିଛି । ଏହି ପରିପ୍ରେକ୍ଷୀରେ ଉକ୍ରଳ ବିଶ୍ୱବିଦ୍ୟାଳୟର ସ୍ଥାନ ଦେଖିଲେ ଅତ୍ୟନ୍ତ ଦୁଃଖ ଲାଗୁଛି । ବିଶ୍ୱବିଦ୍ୟାଳୟରେ ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲିପଡିଛି । ଲାଇବ୍ରେରୀ ଏବଂ ଇନ୍ଫର୍ମେସନ୍ ସାଇନ୍ସ ଭଳି ବିଭାଗରେ କେହି ଅଧ୍ୟାପକ ନାହାନ୍ତି । ଅତିଥି ଅଧ୍ୟାପକରେ କାମ ଚଳାଯାଉଛି ଏବଂ ସେହି ବ୍ୟବସ୍ଥା ମଧ୍ୟ ଠିକ୍ ଭାବରେ କାର୍ଯ୍ୟକାରୀ ହେଉ ନାହିଁ । ଗଣିତ ବିଭାଗରେ ମାତ୍ର ଜଣେ ଅଧ୍ୟାପକ ଏବଂ କର୍ମଚାରୀମାନଙ୍କ ମଧ୍ୟରୁ ୮୨ ପ୍ରତିଶତ ପଦବୀ ଖାଲି ପଡ଼ିଛି । ୨୩୨ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ମଧ୍ୟରୁ ୧୧୮ ପଦବୀ ଖାଲି ପଡ଼ିଛି । ୬୮୪ ମଞ୍ଜୁରୀପ୍ରାପ୍ତ କର୍ମଚାରୀ ମଧ୍ୟରୁ ମାତ୍ର ୧୧୦ ଜଣ ଅଛନ୍ତି । ଗବେଷଣା ତଥା ପିଏଚ୍ଡ଼ି କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରୁଛନ୍ତି । ଗାଇଡ୍ ମଧ୍ୟ ସେମାନଙ୍କୁ ମିଳୁନାହାନ୍ତି । କର୍ମଚାରୀ, ଅଧ୍ୟାପକ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିର ଅଭାବରେ ଏହାର ଶିକ୍ଷାବ୍ୟବସ୍ଥା ଜର୍ଜରିତ । ତେଣୁ ଏହି ସର୍ବ ପୁରାତନ ବିଶ୍ୱବିଦ୍ୟାଳୟର ସର୍ବନିମ୍ନ ମାନରକ୍ଷା କ୍ଷେତ୍ରରେ ଦୃଷ୍ଟି ଦିଆନଗଲେ ଭବିଷ୍ୟତରେ ହୁଏତ ଏଠାକୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଆସିବେ ନାହିଁ । ଅଧ୍ୟାପକ ଏବଂ କର୍ମଚାରୀମାନଙ୍କ ଅଭାବରୁ ବିଭିନ୍ନ ସମୟରେ ଗବେଷଣା କ୍ଷେତ୍ର ମଧ୍ୟ ପ୍ରଭାବିତ ହେଉଛି । ଗବେଷଣା ପାଇଁ ଥିବା ଭିତ୍ତିଭୂମି ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତା ପୂରଣ କରିପାରୁନାହିଁ । ନିର୍ଦ୍ଧାରିତ ସମୟ ମଧ୍ୟରେ ଗବେଷଣା କାର୍ଯ୍ୟ ମଧ୍ୟ ଶେଷ ହେଉ ନାହିଁ । ଏଭଳି ଅବ୍ୟବସ୍ଥା ଭିତରେ ବିଶ୍ୱବିଦ୍ୟାଳୟର ସୁନାମ ଲୁଚିଯିବାକୁ ବସିଲାଣି ।
ଏହି ଅଳ୍ପଦିନ ତଳେ ଉକ୍ରଳ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତା ବିବଦମାନ ହୋଇ ପ୍ରଶ୍ନବାଚୀ ଘେରକୁ ଆସିଥିଲା । ବର୍ତ୍ତମାନ କେବଳ ରାଜଧାନୀରେ ପନ୍ଦରରୁ ଅଧିକ ବିଶ୍ୱ ବିଦ୍ୟାଳୟ ରହିଥିବା ବେଳେ ଉକ୍ରଳ ବିଶ୍ୱବିଦ୍ୟାଳୟର ଶିକ୍ଷା ବାତାବରଣ ଜନିତ ପରିିସ୍ଥିତିରେ ଉନ୍ନତି ନ ଆସିଲେ ହୁଏତ ଭବିଷ୍ୟତରେ ଏଠାରେ ନାମ ଲେଖିବାକୁ ମଧ୍ୟ ପିଲା ଚାହିଁବେ ନାହିଁ ।