କୋଇଲା ଖଣିରେ ବିସ୍ଫୋରଣ, ୧୮ ମୃତ

କୋଇଲା ଖଣିରେ ବିସ୍ଫୋରଣ, ୧୮ ମୃତ

ମେଘାଳୟର ଏକ ବେଆଇନ କୋଇଲା ଖଣିରେ ଡାଇନାମାଇଟ୍‌ ବିସ୍ଫୋରଣରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । କୋଇଲା ସମୃଦ୍ଧ ପୂର୍ବ ଜୈନ୍ତିଆ ହିଲ୍ସ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ଖଣିରେ ବିସ୍ଫୋରଣ ହୋଇଥିବା ପୁଲିସ ନିଶ୍ଚିତ କରିଛି । ଆମେ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରିଛୁ । ଯାହାର ପରିଚୟ ମିଳିନାହିଁ । ଆହତ ବ୍ୟକ୍ତିଙ୍କୁ ଶିଲଂର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଶରୀର ପୋଡ଼ିଯାଇଛି ବୋଲି ପୁଲିସ ଅଧୀକ୍ଷକ ବିକାଶ କୁମାର କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଦୁର୍ଘଟଣା ବିଷୟରେ ସୂଚନା ପାଇବା ପରେ ଏକ ଦଳ ଘଟଣାସ୍ଥଳକୁ ପଠାଯାଇଛି । ରାଜ୍ୟ ରାଜଧାନୀ ଶିଲଂରୁ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଅନ୍ୟ ଏକ ଦଳ ଘଟଣାସ୍ଥଳକୁ ଯାଇଛନ୍ତି । ଆମେ ଖଣି ମାଲିକ ଓ ଏହି ଖଣି ପରିଚାଳନା କରୁଥିବା ଲୋକଙ୍କ ବିଷୟରେ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରୁଛୁ । ଏହା ପରେ ଆମେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଏସପି କହିଛନ୍ତି । ଆମେ ଆମ ଦଳର ଫେରିବା ପାଇଁ ଅପେକ୍ଷା କରିଛୁ ।  ଏହାର ରିପୋର୍ଟ ଆଧାରରେ ଏକ ମାମଲା ପଞ୍ଜିକରଣ କରିବୁ । ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ୨୦୧୪ ମସିହାରେ କୋଇଲା ଖଣି ଓ ଏହାର ପରିବହନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । କାରଣ ଏହା ଅନିୟନ୍ତ୍ରିତ ଓ ଅସୁରକ୍ଷିତ ଖଣି କାର୍ଯ୍ୟ, ବିଶେଷକରି କୋଇଲା ଉତ୍ତୋଳନ ପାଇଁ "ର‍୍ୟାଟ୍‌-ହୋଲ୍‌’ ଖଣି କୌଶଳର ବିପଜ୍ଜନକ ପ୍ରୟୋଗ ଉପରେ ଚିନ୍ତିତ ଥିଲା । ନିଷେଧ ସତ୍ତେ୍ୱ ବେଆଇନ ଖନନ ଜାରି ରହିଛି ।