କୋମନାରେ ନବୀନଙ୍କ ଶକ୍ତି ପ୍ରଦର୍ଶନ : ‘ବିଜେପି ପ୍ରଚାରରେ ହିରୋ, କାମରେ ଜିରୋ’

କୋମନାରେ ନବୀନଙ୍କ ଶକ୍ତି ପ୍ରଦର୍ଶନ : ‘ବିଜେପି ପ୍ରଚାରରେ ହିରୋ, କାମରେ ଜିରୋ’

ବିଶ୍ୱାସଘାତକତାର ଜବାବ ଦେବାକୁ ନବୀନଙ୍କ ଆହ୍ୱାନ 

ନୂଆପଡ଼ା : ଏ ସରକାର କେବଳ ମିଛ ପ୍ରଚାରରେ ମାତିଛି । ମିଛ ପ୍ରଚାରରେ ହିରୋ । କିନ୍ତୁ କାମରେ ଜିରୋ ଏ ସରକାର । ଏ ସରକାର ଗେମଚେଞ୍ଜର ନୁହେଁ, ନାମ ଉପରେ ରଙ୍ଗ ମରା ସରକାର । ନୂଆପଡାବାସୀଙ୍କ ସହ, ବିଜୁ ଜନତା ଦଳ ସହ ଓ ତାଙ୍କ ସହ ବେଇମାନି ହୋଇଛି । ଏଥିପାଇଁ ଲୋକମାନଙ୍କ ମନରେ କ୍ରୋଧ ରହିଛି । ଏ ବିଶ୍ୱାସଘାତକତାର ଜବାବ ନୂଆପଡାବାସୀ ଭୋଟ୍‌ରେ ଦେବାକୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

   ବିଜେଡ଼ିର ସଭାପତି ନବୀନ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର ପାଇଁ ନୂଆପଡାରେ ପହଁଚିଛନ୍ତି । କୋମନା ବ୍ଲକର ତାରାବୋଡ଼, ଧାନମଣ୍ଡି ପଡିଆରେ ଆୟୋଜିତ ବିରାଟ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ହଜାର ହଜାର ଲୋକଙ୍କୁ ଉଦ୍‌ବୋଧନ ଦେଇ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ । ଶ୍ରୀ ପଟ୍ଟନାୟକ ତାଙ୍କ ଉଦବୋଧନରେ ପ୍ରଥମେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୂଆପଡା ଜିଲ୍ଲା ଗଠନରେ ବିଜୁବାବୁଙ୍କ ଅବଦାନ ବିଷୟରେ ସ୍ମରଣ କରିଥିଲେ । ସେ କହିଥିଲେଯେ, ବିଜୁ ଜନତା ଦଳ ସରକାର ସମୟରେ ନୂଆପଡା ଜିଲ୍ଲାର ପ୍ରଭୂତ ଉନ୍ନତି ହୋଇଥିଲା । ବିଜୁ ଏକ୍ସପ୍ରେସ ୱେ ଠାରୁ ଆରମ୍ଭ କରି ଭଲ ପିଇବା ପାଣି,୧୦ ହଜାର ହେକ୍ଟରରୁ ଅଧିକ ଜମିକୁ ପାଣି ଦିଆଯାଇଛି । ସୁନାବେଡା ଅଭୟାରଣ୍ୟର ଲୋକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା ।

     କିନ୍ତୁ ବିଜେପି ସରକାର ଆସିବା ପରେ ପରିସ୍ଥିତି ପୁରା ବଦଳିଯାଇଛି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେଯେ, ସାରା ରାଜ୍ୟରେ ଏବେ ବିକାଶ କାମ ପୁରା ବନ୍ଦ ହୋଇଯାଇଛି  । ଆଇନ ଶୃଙ୍ଖଳା ପୁରା ଭୁଶୁଡି ଯାଇଛି । ନାରୀ ଅତ୍ୟାଚାରର ସବୁ ସୀମା ଟପିଲାଣି । ଭାଇଚାରାର ରାଜ୍ୟ  ଓଡିଶାର ସୁନାମ ଆଜି ନଷ୍ଟ ହୋଇଗଲାଣି । ମିଶନ ଶକ୍ତି ମା’ମାନେ ରାଜ୍ୟରେ ଏକ ନୀରବ ଆନ୍ଦୋଳନ ଆଣିଥିଲେ । କିନ୍ତୁ ଏ ସରକାରରେ ମିଶନ ଶକ୍ତି ମା’ମାନେ ଆଜି ଋଣ ପାଉନାହାନ୍ତି । ୮ ମାସ ହେଲା ମିଶନ ଶକ୍ତି ମା’ମାନେ ଦରମା ପାଉନଥିବାରୁ ଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ । ଏ ସରକାର କେବଳ ମିଛ ପ୍ରଚାରରେ ମାତିଛି । ମିଛ ପ୍ରଚାରରେ ହିରୋ । କିନ୍ତୁ  କାମରେ ଜିରୋ ଏ ସରକାର । ଏ ସରକାର ଗେମଚେଞ୍ଜର ନୁହେଁ, ନାମ ଉପରେ ରଙ୍ଗ ମରା ସରକାର ।

     ଶ୍ରୀ ପଟ୍ଟନାୟକ ତାଙ୍କ ଭାଷଣରେ ସରକାରଙ୍କ ପ୍ରତିଶ୍ରୁତି, ଯଥା; ୩ ଶହ ୟୁନିଟ୍‌ ମାଗଣା ବିଜୁଳି, ସବୁ ବୁଢ଼ାବୁଢ଼ୀଙ୍କୁ ୩୫ ଶହ ଟଙ୍କା ଭତ୍ତା, ସବୁ ପଞ୍ଚାୟତର ଶହେ ଯୁବକଙ୍କୁ ଚାକିରୀ, ଚାଷୀଙ୍କୁ ୟୁରିଆ ସାର ମିଳିବା, କଟନୀ ଛଟନୀ ବନ୍ଦ ହେବା, ବିଏସକେୱାଇ ଭଲ କି ଆୟୁଷ୍ମାନ କାଡର଼୍ ଭଲ ଆଦି ବିଷୟରେ ପଚାରି ବୁଝିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେଯେ, ବିଜେପି ଭୋଟ୍‌ ଚୋରି କରି ସରକାର ଗଢ଼ିଥିଲା । ଏବେ ପ୍ରାର୍ଥୀ ଚୋରି କରିଛନ୍ତି । ନୂଆପଡାବାସୀଙ୍କ ସହ, ବିଜୁ ଜନତା ଦଳ ସହ ଓ ତାଙ୍କ ସହ ବେଇମାନି ହୋଇଛି । ଏଥିପାଇଁ ଲୋକମାନଙ୍କ ମନରେ କ୍ରୋଧ ରହିଛି । ଏ ବିଶ୍ୱାସଘାତକତାର ଜବାବ ନୂଆପଡାବାସୀ ଭୋଟରେ ଦେବ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ । ଏ ସଭାରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ମନୋଜ ମିଶ୍ର, ସାଂସଦ ନିରଞ୍ଜନ ବିଶି, ଟୁକୁନି ସାହୁ, ଅବନୀ ଯୋଶୀ, ବିଧାୟକ ଅଧିରାଜ ପାଣିଗ୍ରାହୀ, ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଭାଷଣ ଦେଇ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ।