କ୍ରୀଡ଼ାର ବିକାଶ ନେଇ ଚୁକ୍ତି ସ୍ୱାକ୍ଷରିତ : କିଟ୍-କିସ୍ରେ ଖୋଲିବ ଲିଆଣ୍ଡର ପେସ୍-ସାମନ୍ତ କ୍ରୀଡ଼ା ଏକାଡେମୀ 

 ଭୁବନେଶ୍ୱର : କିଟ୍ ଓ କିସ୍ରେ ଖୋଲିବ ଲିଆଣ୍ଡର ପେସ୍-ସାମନ୍ତ କ୍ରୀଡ଼ା ଏକାଡେମୀ । ଏନେଇ ଶୁକ୍ରବାର କିଟ୍-କିସ୍ ଓ ଲିଆଣ୍ଡର ପେସ୍ଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥିରେ କିଟ୍ ଓ କିସ୍ ପକ୍ଷରୁ ଏହାର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ସ୍ୱାକ୍ଷର କରିଥିବା ବେଳେ ସେପଟେ ଲିଆଣ୍ଡର ପେସ୍ ଏହି ବୁଝାମଣାରେ ସ୍ୱାକ୍ଷର କରିଛନ୍ତି । ବୁଝାମଣାପତ୍ର ଅନୁଯାୟୀ ଲିଆଣ୍ଡର ପେସ୍-ସାମନ୍ତ ଏକାଡେମୀ ଟେନିସ୍ ସମେତ ୧୬ଟି କ୍ରୀଡ଼ାର ବିକାଶ ଦିଗରେ କାର୍ଯ୍ୟ କରିବେ । କ୍ରୀଡ଼ା କ୍ଷେତ୍ରରେ ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଭାବେ କିଟ୍ ଓ କିସ୍ ଭାରତରେ ମାଇଲ୍ଖୁଣ୍ଟ ସ୍ଥାପନ କରିଥିବାରୁ ଲିଆଣ୍ଡର କିଟ୍ ଓ କିସ୍ ସହ ସହବନ୍ଧିତ ହୋଇ ଏହାକୁ ଆହୁରି ଆଗକୁ ନେବା ପାଇଁ ଆଗେଇ ଆସିଛନ୍ତି । ଅଲିମ୍ପିଆନ୍, ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ବିଜେତା ପଦ୍ମ ଭୂଷଣ ଲିଆଣ୍ଡର ପେସ୍ ହେଉଛନ୍ତି ଭାରତୀୟ ପୂର୍ବତନ ଟେନିସ୍ ଖେଳାଳି, ପ୍ରଥମ ଏସୀୟ ପୁରୁଷ ଯିଏ କି ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମରେ ସ୍ଥାନ ପାଇଛନ୍ତି । ସେ ଆଠଟି ପୁରୁଷ ଡବଲ୍ସ ଏବଂ ଦଶଟି ମିଶ୍ରିତ ଡବଲ୍ସ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତି ରେକର୍ଡ କରିଛନ୍ତି ।
ଏହି ବୁଝାମଣାପତ୍ର ସ୍ୱାକ୍ଷର କରିବା ପରେ ଲିଆଣ୍ଡର ଖୁସି ବ୍ୟକ୍ତ କରିବା ସହ କ୍ରୀଡ଼ା କ୍ଷେତ୍ରରେ କିଟ୍ ଓ କିସ୍କୁ ବିଶ୍ୱରେ ପ୍ରତିଷ୍ଠିତ କରାଇବା ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଗାମୀ ୧୫ବର୍ଷ ମଧ୍ୟରେ ୨ଲକ୍ଷ ୫୦ ହଜାର କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବା ନେଇ ଲିଆଣ୍ଡର ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି । କିଟ୍ ଓ କିସ୍ରେ ମୁଁ ପ୍ରଥମ ଏକାଡେମୀ କରିବାକୁ ଯାଉଥିବାରୁ ବହୁତ ଆନନ୍ଦିତ ବୋଲି ପ୍ରକାଶ କରିଛନ୍ତି । ସେପଟେ ଶ୍ରୀ ସାମନ୍ତ କହିଛନ୍ତି, କିଟ୍ ଓ କିସ୍ ଶିକ୍ଷାନୁଷ୍ଠାନ ହୋଇଥିଲେ ମଧ୍ୟ ଗତ ୨୦ ବର୍ଷ ଧରି କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ବିକାଶ ନିମନ୍ତେ ନିରନ୍ତର କାର୍ଯ୍ୟ କରିଆସୁଛି । ଲିଆଣ୍ଡର ପେସ୍ଙ୍କ ଭଳି ଜଣେ ବ୍ୟକ୍ତିତ୍ୱ କ୍ରୀଡ଼ାର ପ୍ରସାର ନେଇ ଆମ ସହ ଯୋଡ଼ି ହୋଇଥିବାରୁ କିଟ୍ ଓ କିସ୍ ତାଙ୍କୁ କୃତଜ୍ଞତା ଜଣାଉଛି ।  ଏହା ନିଶ୍ଚିତ ଭାବେ ଆମ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି ।