ଖଣ୍ଡପଡାକୁ ସବଡିଭିଜନ୍ ମାନ୍ୟତା କେବେ?
ଖଣ୍ଡପଡ଼ା : ନୟାଗଡ ଜିଲ୍ଲାର ନୟାଗଡକୁ ବାଦ ଦେଲେ ୧୯୮୯ ମସିହାରେ ଖଣ୍ଡପଡ଼ା ସହରକୁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପ୍ରଥମ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପ୍ରଦାନ କରିଥିଲା । ୩୬ ବର୍ଷ ବିତିଯାଇଥିଲେ ମଧ୍ୟ ଖଣ୍ଡପଡ଼ାକୁ ରାଜ୍ୟ ସରକାର ସବ-ଡିଭିଜନର ମାନ୍ୟତା ପ୍ରଦାନ କରିବା ତ ଦୂରର କଥା ଏ ଅଞ୍ଚଳର ସାମଗ୍ରିକ ବିକାଶ ପ୍ରତି ଧ୍ୟାନ ଦେଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ୨୨ଗୋଟି ପଞ୍ଚାୟତକୁ ନେଇ ଖଣ୍ଡପଡ଼ା ବ୍ଲକ ଓ ୧୩ ଗୋଟି ୱାର୍ଡକୁ ନେଇ ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ ହୋଇଛି । ଖଣ୍ଡପଡ଼ା ସହରରେ ବ୍ଲକ, ତହସିଲ, ଅଦାଲତ, ଥାନା କାର୍ଯ୍ୟାଳୟ ସମେତ ପୂର୍ତ୍ତବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି । ସେହିପରି ୨ଟି ଜାତୀୟକରଣ ବ୍ୟାଙ୍କ ଶାଖା ,ଗୋଟିଏ ସମବାୟ ବ୍ୟାଙ୍କ ଶାଖା ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରଭୃତି ରହିଛି । ବିଶ୍ୱ ବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜନ୍ମମାଟି ଖଣ୍ଡପଡ଼ାର ଏକ ସ୍ୱତନ୍ତ୍ର ପରିଚୟ ଦେଶ ବିଦେଶରେ ରହିଛି । ସବଡିଭିଜନର ମାନ୍ୟତା ଲାଗି ସମସ୍ତ ଭିତିଭୂମି ସୁଦୃଢ ଥିବା ସତ୍ତେ୍ୱ ମଧ୍ୟ ରାଜ୍ୟ ସରକାର ଖଣ୍ଡପଡ଼ାକୁ ଏ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରି ଆସୁଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦିର୍ଘ ବର୍ଷ ଧରି ଖଣ୍ଡପଡାବାସୀ ଏ ନେଇ ଦାବି କରି ଆସୁଥିଲେ ମଧ୍ୟ ଏହି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଲୋକପ୍ରତିନିଧି ବିଧାନସଭାରେ ପାଟି ନ ଫିଟାଇବା ଆଶ୍ଚର୍ଯ୍ୟର ବିଷୟ । ଅପରପକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ନ ପାଇବାକୁ ନେଇ ବୁଦ୍ଧିଜିବୀ ମହଲରେ ପ୍ରତିକ୍ରୀୟା ପ୍ରକାଶ ପାଇଛି ।