ଅନୁଦାନପ୍ରାପ୍ତ ଅଧ୍ୟାପକଙ୍କ ବିଡ଼ମ୍ବନା
ସଭ୍ୟତାର ବିକାଶ ପ୍ରଚ୍ଛଦ ପଟରେ ମଣିଷ ଓ ତା ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ । ସଠିକ୍ ଜ୍ଞାନର ବ୍ୟବହାରରେ ସଭ୍ୟତାର ବିକାଶ ସମ୍ଭବ ଜାଣିବା ପରେ ମଣିଷ ଶିକ୍ଷା କ୍ଷେତ୍ରରେ ନିଜକୁ ନିୟୋଜିତ କରିବାପାଇଁ ଉଦ୍ୟମ ଆରମ୍ଭ କଲା । ଶିକ୍ଷାର ଅର୍ଥ ଶିଖିବା, ଜାଣିବା ଆଉ ବୁଝିବା । ଜାଣିଲେ ହିଁ ଜିଣିବା । ଶିକ୍ଷା ଜୀବନକୁ ମାର୍ଜିତ କରେ, ସଭ୍ୟ କରେ, ତା ଚାଲିଚଳଣି ଓ ଆଚାରବ୍ୟବହାରରେ ପରିବର୍ତ୍ତନ ସହ ତାକୁ ଶୃଙ୍ଖଳିତ କରେ ବୋଲି ସେ ହୃଦବୋଧ କଲା । ଜାଗତିକ ଜ୍ଞାନ ହିଁ ଶିକ୍ଷା ମାଧ୍ୟମରେ ସମ୍ଭବ ବୋଲି ମଣିଷ ବୁଝିବା ଦିନଠୁ ସେ ଶିକ୍ଷା ପ୍ରତି ଆକୃଷ୍ଟ ହୋଇଛି । ଅର୍ଥାତ୍ ଶିକ୍ଷା ହିଁ ଚାଲିବାର ବାଟ ଓ ଜିଇଁବାର ରାହା କହିଲେ ଅତ୍ୟୁକ୍ତି ହେବନାହିଁ । ଖାଲି ସେତିକି ନୁହେଁ ଶିକ୍ଷା ଜୀବିକା ଅର୍ଜନରେ ସାହାଯ୍ୟ କରେ, ସେହି ଜୀବିକା ପୁଣି ପେଟର ଭୋକ ମେଣ୍ଟାଏ । ଉପଯୁକ୍ତ ଶିକ୍ଷା ମଣିଷକୁ ସୁନାଗରିକ କରେ କିନ୍ତୁ ତାର ବ୍ୟତିକ୍ରମ ହେଲେ ସମାଜ ନଷ୍ଟଭ୍ରଷ୍ଟ ହୁଏ । ଭିନ୍ନ ଭିନ୍ନ ବିଷୟରେ ସୂଚନା ସଂଗ୍ରହ ସହ ତାର ଆବଶ୍ୟକତାକୁ ସମାଜର ମଙ୍ଗଳ ସାଧନରେ ବ୍ୟବହାର ହିଁ ଶିକ୍ଷା ଗ୍ରହଣର ମୁଖ୍ୟ ଉଦ୍ଦେଶ୍ୟ ଜାଣିବା ପରେ ମଣିଷ ଶିକ୍ଷାକୁ କିପରି ଆୟତ୍ତ କରିବ ସେଥିପାଇଁ ରାସ୍ତା ଖୋଜିଲା ।
ଶିକ୍ଷା ଅଜ୍ଞାନତାକୁ ଦୂର କରେ ଓ ଏକ ସୁସ୍ଥ ବାତାବରଣ ସୃଷ୍ଟି କରେ । ଶିକ୍ଷାକୁ କିପରି ନିଜ ଅଧୀନକୁ ଆଣିବାକୁ ହେବ ତାହାହିଁ ଥିଲା ତାର ପ୍ରଶ୍ନ ଓ ସମସ୍ୟା । ସେ ଶିକ୍ଷା ଲାଭର ବାଟ ଖୋଜିବାରେ ଲାଗିଲା? ସମସ୍ୟାର ସମାଧାନ ଖୋଜିବା ବାଟରେ ପ୍ରଥମେ ତାର ପିତାମାତା, ଗୁରୁଜନଙ୍କୁ ନିଜର ଶିକ୍ଷା ଅର୍ଜନର ମାଧ୍ୟମ ଭାବେ ଗ୍ରହଣ କଲା । ସମୟକ୍ରମେ ଅଧିକ ଜାଣିବାର ମନୋବୃତ୍ତି ଓ ବୃହତ ସନ୍ଦେହର ଦୂରୀକରଣ ପାଇଁ ସେ ବିଜ୍ଞବ୍ୟକ୍ତମାନଙ୍କର ସହଯୋଗ ଲୋଡ଼ିଲା । ପରବର୍ତ୍ତୀ ସମୟରେ ଶିକ୍ଷାକୁ ସଠିକ୍ ତଥା ବ୍ୟବସ୍ଥିତ ଉପାୟରେ ଅର୍ଜନ କରିବାପାଇଁ ୠଷିମୁନି ଓ ଗୁରୁକୁଳ ଆଶ୍ରମରେ ଦାଖିଲ ହେବାକୁ ପଡୁଥିଲା । ଗୁରୁକୁଳ ପରମ୍ପରା ଅନୁଯାୟୀ ଅଭିଭାବକ ମାନେ ପିଲାମାନଙ୍କୁ ଆଚାର୍ଯ୍ୟମାନଙ୍କ ଆଶ୍ରମରେ କିଛିବର୍ଷ ପାଇଁ ଶିକ୍ଷାଅର୍ଜନ ନିମନ୍ତେ ଛାଡ଼ି ଦେଉଥିଲେ । ଗୁରୁକୁଳ ଆଶ୍ରମର ଶିକ୍ଷା ସମସ୍ତଙ୍କ ଭାଗ୍ୟରେ ନ ଥିଲା । ସମସ୍ତେ ଆଶ୍ରମ ଶିକ୍ଷା ଅର୍ଜନ କରିବାର ସୁଯୋଗ ପାଉ ନ ଥିଲେ । ଆଶ୍ରମ ଶିକ୍ଷାର ସମସାମୟିକ ଶିକ୍ଷା ବ୍ୟବସ୍ଥା ଭଳି ଚାଟଶାଳୀ ପରମ୍ପରା ଆରମ୍ଭ ହେଲା । ଗୁରୁଜୀଙ୍କ ଛାଟପାହର ଖାଇ ପିଲାମାନେ ପାରମ୍ପରିକ ଜ୍ଞାନ ଆହରଣ କରୁଥିଲେ । ଦୀର୍ଘଦିନ ଧରି ଚାଟଶାଳୀର ଶିକ୍ଷାଦାନ ବ୍ୟବସ୍ଥା ପରେ ଇଂରେଜମାନଙ୍କ ଶାସନ ସମୟରେ ଶିକ୍ଷାବ୍ୟବସ୍ଥାର ପରିବର୍ତ୍ତନ ହେଲା । ଶିକ୍ଷାନୁଷ୍ଠାନର ରୂପରେଖ ବଦଲିଲା । ସ୍ୱାଧୀନତା ପରବର୍ତ୍ତୀ ସମୟରେ ପ୍ରାଥମିକ ବିଦ୍ୟାଳୟ, ତାପରେ ମଧ୍ୟଇଂରାଜୀ ଓ ପରେପରେ ଉଚ୍ଚ଼ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନର ବ୍ୟବସ୍ଥା କରାଗଲା । ସ୍ୱାଧୀନତା ପରବର୍ତ୍ତୀ କାଳରେ ରାଜ୍ୟ ସରକାର ମଧ୍ୟ ଶିକ୍ଷାର ପ୍ରସାର ନିମନ୍ତେ ତଥା ଉଚ୍ଚ଼ ଶିକ୍ଷିତ କରିବା ପାଇଁ ରାଜ୍ୟର କିଛି ଜିଲ୍ଲାରେ ସରକାରୀ ମହାବିଦ୍ୟାଳୟ ସ୍ଥାପନ କଲେ । କିନ୍ତୁ ସବୁ ଜିଲ୍ଲାରେ ସରକାରୀ ମହାବିଦ୍ୟାଳୟର ସ୍ଥାପନା ସମ୍ଭବ ହେଲାନାହିଁ । କିଛି ଜିଲ୍ଲାରେ ସରକାରଙ୍କ ଅନୁମୋଦନରେ କିଛି ବେସରକାରୀ ମହାବିଦ୍ୟାଳୟ ଗଢ଼ି ଶିକ୍ଷାଦାନ ଆରମ୍ଭ କରାଗଲା ଏବଂ ପରବର୍ତ୍ତୀ ସମୟରେ ସରକାରଙ୍କ ଉଚ୍ଚ଼ଶିକ୍ଷା ବିଭାଗଦ୍ୱାରା ପୂର୍ଣ୍ଣ-ଅନୁଦାନ ସହ ସରକାରୀ ଅନୁଷ୍ଠାନରେ ରୂପାନ୍ତରିତ ହେଲା କିନ୍ତୁ କିଛି ଜିଲ୍ଲାରେ ତାହା ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ସୂଚୀରେ ଅନ୍ତର୍ଭୁକ୍ତ କରାଗଲା । ଏହା ସତ୍ତେ୍ୱ ଗାଁଗହଳି ତଥା ସରକାରୀ ମହାବିଦ୍ୟାଳୟଠାରୁ ଦୂରରେ ଅବସ୍ଥିତ ସବୁବର୍ଗର ପିଲାମାନେ ଦୁରତ୍ୱ ତଥା ଆର୍ଥିକ ଦୃଷ୍ଟିକୋଣରୁ ଉଚ୍ଚ଼ଶିକ୍ଷାପ୍ରାପ୍ତ ହେବାରୁ ବଞ୍ଚିତ ହେଲେ । କଛି ଶିକ୍ଷାପ୍ରେମୀ ତଥା ଶିକ୍ଷିତ ବ୍ୟକ୍ତିମାନଙ୍କର ଶିକ୍ଷାପ୍ରତି ଆନ୍ତରିକ ଉଦ୍ୟମଦ୍ୱାରା ଉଚ୍ଚ଼ଶିକ୍ଷାର ଅନୁମୋଦନରେ ବ୍ଲକସ୍ତରରେ ବେସରକାରୀ ମହାବିଦ୍ୟାଳୟର ସ୍ଥାପନ ହେଲା । ୧୯୭୦ରୁ ୮୦ ଦଶକରେ ଏହାର ବ୍ୟାପକତା ଦେଖିବାକୁ ମିଲିଥିଲା । ଏହାକୁ ଦୃଷ୍ଟିରେ ରଖି ୧୯୬୯ରେ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ପାଇଁ ଶିକ୍ଷା ନିୟମ ତିଆରି କରାଗଲା । ପରେ ୧୯୭୪ରେ ଶିକ୍ଷାନିୟମର ପୁନରାବୃତ୍ତି କରାଗଲା । ଉକ୍ତ ଶିକ୍ଷା ନିୟମ ଅନୁସାରେ ବେସରକାରୀ ଶିକ୍ଷାନୁଷ୍ଠାଗୁଡ଼ିକ ପରିଚାଳନା ସମିତି ମାଧ୍ୟମରେ ଅଧ୍ୟାପକମାନଙ୍କର ନିଯୁକ୍ତି କରିବେ । ଶିକ୍ଷିତଗୋଷ୍ଠୀ ଶିକ୍ଷାକୁ ବୃତ୍ତିଭାବରେ ଗ୍ରହଣକରି ବେସରକାରୀ ମହାବିଦ୍ୟାଳୟ ଗୁଡିକରେ ପରିଚାଳନା ସମିତି ଦ୍ୱାରା ସ୍ୱଳ୍ପବେତନରେ ଶିକ୍ଷାଦାନ ଜାରିରଖିଲେ । ଧୀରେଧୀରେ ଉଚ୍ଚ଼ଶିକ୍ଷା ପ୍ରତି ପିଲାମାନଙ୍କର ଆଗ୍ରହ ବଢ଼ିବାରେ ଲାଗିଲା । ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ସହ ଅଧ୍ୟାପକମାନେ ବେତନ ପାଇଁ ସରକାର ନିକଟରେ ଦାବି ରଖିଲେ । ସରକାର ଉଚ୍ଚ଼ଶିକ୍ଷାର ଆବଶ୍ୟକତା ତଥା ଅଧ୍ୟାପକମାନଙ୍କ ଅର୍ଥାବସ୍ଥାକୁ ଦୃଷ୍ଟିରେ ରଖି ଉଚ୍ଚ଼ଶିକ୍ଷାବିଭାଗ ବ୍ଲକ୍-ଗ୍ରାଣ୍ଟ ମାଧ୍ୟମରେ ଅଧ୍ୟାପକମାନଙ୍କୁ ବେତନ ଦେବାପାଇଁ ସ୍ଥିର କଲା; ଯାହାଥିଲା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ । ସମୟକ୍ରମେ ବେତନର ବୃଦ୍ଧି ସହ ସେହି ବିଭାଗର ଉକ୍ତ ‘ପଦ’କୁ ଉଚ୍ଚ଼ଶିକ୍ଷା ବିଭାଗ ଦ୍ୱାରା ଦୀର୍ଘସ୍ଥାୟୀ କରାଗଲା । ପରବର୍ତ୍ତୀ ସମୟରେ ସେହି ପଦର ଅବସର ଗ୍ରହଣ ପରେ ତାହା ଡାଇରେକ୍ଟ ପେମେଣ୍ଟ(ଡିପି)ପଦଭାବେ ସଂରକ୍ଷିତ ହେଲା ଏବଂ ତାହା ‘ରାଜ୍ୟ ପ୍ରବର ମଣ୍ଡଳୀ’କୁ ଅଧ୍ୟାପକ ନିଯୁକ୍ତି ଦାୟିତ୍ୱରେ ଦିଆଗଲା ।
୧୯୯୨ ମସିହାରେ ପ୍ରଥମ କରି ‘ରାଜ୍ୟ ପ୍ରବର ମଣ୍ଡଳୀ’ ମାଧ୍ୟମରେ ୪୮୮ ବର୍ଗର ବେସରକାରୀ ଅନୁଦାନପ୍ରାପ୍ତ ଡିପି ପଦର ନିଯୁକ୍ତି ନିର୍ଦ୍ଧିଷ୍ଟ ନିୟମ ଏବଂ ଯୋଗ୍ୟତା ଭିତ୍ତିରେ ହିଁ କରାଗଲା । ସରକାର ସେମାନଙ୍କୁ ମାସିକ ବେତନ ହାର ୯୩୦୦ ରୁ ୩୪୮୦୦ ସହ ବେତନ ଗ୍ରେଡ ୪୬୦୦ ନିର୍ଦ୍ଧାରିତ କଲେ । ଆବଶ୍ୟକ ବେତନ ସହ ସମୟାନୁସାରେ ବର୍ଦ୍ଧିତ ମହଙ୍ଗାଭତ୍ତା କର୍ମଚାରୀଙ୍କୁ ମିଳିବ ଓ ମିଳୁଛି ମଧ୍ୟ । ଆଠ ବର୍ଷ ପରେ ବରିଷ୍ଠ ଅଧ୍ୟାପକ ଭାବେ ପଦୋନ୍ନତିର ବ୍ୟବସ୍ଥା ହେଲା । କିନ୍ତୁ ସରକାରୀ ମହାବିଦ୍ୟାଳୟ ଭଳି ଘରଭଡ଼ା ଭତ୍ତା, ପେନସନ ତଥା ଅନ୍ୟାନ୍ୟ ସୁବିଧା ପାଇବେନାହିଁ, ନିଜକୁ କେବେବି ସରକାରୀ ଅଧ୍ୟାପକ ଭାବିବେ ନାହିଁ, କୌଣସି ସମୟରେ ସରକାରଙ୍କ ନିକଟରେ କୌଣସି ଦାବି ଉପସ୍ଥାପନ କରିପାରିବେ ନାହିଁ । ପୁଣି ଦୀର୍ଘ ୨୪ ବର୍ଷ ପରେ ୨୦୧୬ , ୨୦୧୯ , ୨୦୨୨ ଓ ୨୦୨୩ ରେ ଖାଲିଥିବା ପଦଗୁଡିକର ପୂରଣ ନିମନ୍ତେ ନିଯୁକ୍ତିପ୍ରକ୍ରିୟା ମାଧ୍ୟମରେ ଅଧ୍ୟାପକ ନିଯୁକ୍ତି କରାଗଲା । ଏହାଦ୍ୱାରା ଉଚ୍ଚ଼ଶିକ୍ଷିତ ଯୁବକଯୁବତୀମାନେ ଆତ୍ମନିଯୁକ୍ତିର ସୁଯୋଗ ପାଇଲେ । ନିଯୁକ୍ତିପତ୍ରରେ ଲିଖିତ ଯେ ଆପଣମାନେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଭାବରେ ନିଯୁକ୍ତି ପାଇଲେ । କିନ୍ତୁ ନିଯୁକ୍ତି ପତ୍ରରେ ଦର୍ଶାଇ ଦିଆଯାଇଛି ଯେ ଆପଣମାନେ ସମ୍ପୂର୍ଣ୍ଣ ବେସରକାରୀ ଅନୁଦାନପ୍ରାପ୍ତ କର୍ମଚାରୀ । ବ୍ରହ୍ମାଙ୍କର ଦିଆଯାଇଥିବା ବାଣୀ ଯେମିତି ବେଦର ଗାର ଭଳି, ଠିକ୍ ସେମିତି ସରକାରଙ୍କ ଉଚ୍ଚ଼ଶିକ୍ଷା ବିଭାଗର ଆମୂଳଚୁଳ ଇସ୍ତାହାରପତ୍ରିକାରେ ଅନୁଦାନପ୍ରାପ୍ତ ଅଧ୍ୟାପକଙ୍କ ପ୍ରତି କଠୋର ନିୟମ ବେଦର ଗାର ହୋଇ ରହିଗଲା । ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଆଦର୍ଶ ବିଦ୍ୟାଳୟର ନିଯୁକ୍ତ ସ୍ନାତ୍ତକୋତ୍ତର ଶିକ୍ଷକ(ପିଜିଟି)ଙ୍କ ବେତନ ରାଜ୍ୟପ୍ରବର ମଣ୍ଡଳ ଅଧ୍ୟାପକଙ୍କଠାରୁ ଅଧିକ ଓ ରାଜ୍ୟ ପ୍ରବର ମଣ୍ଡଳୀ ଅନ୍ତର୍ଗତ ଅନୁଦାନପ୍ରାପ୍ତ ଉଚ୍ଚ଼ମାଧ୍ୟମିକ ବିଦ୍ୟାଳୟର ସ୍ନାତୋକତ୍ତର ଶିକ୍ଷକଙ୍କ ବେତନ୍ ସହ ସମାନ । ତେବେ ପ୍ରଶ୍ନଉଠେ ଉଚ୍ଚ଼ଶିକ୍ଷାର ଏଭଳି ପାତରଅନ୍ତର ମନୋଭାବ କାହିଁକି? ଓଡ଼ିଶାରେ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଉଚ୍ଚ଼ଶିକ୍ଷା ଓ ଶିକ୍ଷିତ ସୃଷ୍ଟି କରିବାରେ ବୃହତ ଭୂମିକା ଗ୍ରହଣ କରିଆସୁଛି । କାରଣ ହାତଗଣତିରେ କେତେଟା ସରକାରୀ ମହାବିଦ୍ୟାଳୟକୁ ଛାଡ଼ିଦେଲେ ସମ୍ପୂର୍ଣ ଉଚ୍ଚ଼ଶିକ୍ଷା ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଓ ତା ଶିକ୍ଷାଦାନ ଉପରେ ନିର୍ଭର କରେ । ଆରମ୍ଭରୁ ସରକାରଙ୍କ ତଥା ଉଚ୍ଚ଼ଶିକ୍ଷା ବିଭାଗର ଏଭଳି ବୈମାତୃକ ମନୋଭାବ ଦ୍ୱାରା ଉଚ୍ଚ଼ଶିକ୍ଷାର ପତନ ହେଉନାହିଁ ତ? ଯଦି ଯୋଗ୍ୟତା ଭିତ୍ତିରେ ଚୟନକରି ଡିଗ୍ରୀ ମହାବିଦ୍ୟାଳୟରେ ନିଯୁକ୍ତି ଦିଆଗଲା ତେବେ ସେମାନଙ୍କ ପ୍ରତି ଉଚ୍ଚ଼ଶିକ୍ଷା ବିଭାଗ ଉଚିତ୍ ନ୍ୟାୟ କରୁନାହାଁନ୍ତି କାହିଁକି? ସମସ୍ତ ଶିକ୍ଷା ଯୋଗ୍ୟତା ଥାଇ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ସତେ ଯେମିତି ଅଯୋଗ୍ୟ, ଉଚ୍ଚ଼ଶିକ୍ଷା ପାଇଁ ଅଲୋଡ଼ା । ଯେଉଁ ସ୍ୱପ୍ନନେଇ ଶିକ୍ଷିତ ସମାଜ ଗଢିବାରେ, ଅଧ୍ୟାପନାକୁ ଉପଯୁକ୍ତ ଅଧାର ଭାବି ଉଚ୍ଚ଼ଶିକ୍ଷା ସହ ନିଜ ଭବିଷ୍ୟତକୁ ଯୋଡ଼ିଲେ, କିନ୍ତୁ ଉଚ୍ଚ଼ଶିକ୍ଷା ଯେ ବାରମ୍ବାର ସରକାରୀ ଚିଠି ମାଧ୍ୟମରେ ଚେତାବନୀ ଦେଉଛନ୍ତି ଅନୁଦାନପ୍ରାପ୍ତ ଅଧ୍ୟାପକମାନେ ସରକାରୀ କର୍ମଚାରୀ ନୁହଁନ୍ତି । ନିଯୁକ୍ତି ବେଳେ ଅଧ୍ୟାପକ ଭାବରେ ଯେତେ ଖୁସି ଅନୁଭବ କରୁଥିଲେ ତାହା ଧୀରେଧୀରେ ପାଣିଫୋଟକା ଭଳିପାଣିରେ ମିଳେଇବାରେ ଲାଗିଛି। ସରକାରୀ ଅଧ୍ୟାପକ ପରି ଉଚ୍ଚ଼ଶିକ୍ଷା ବିଭାଗରେ ଅନୁଦାନ ପ୍ରାପ୍ତ ଅଧ୍ୟାପକଙ୍କୁ ସେମିତି କୌଣସି ସମ୍ମାନଜନକ ପଦପଦବୀ ମିଳିବାର କୌଣସି ସମ୍ଭାବନା ନାହିଁ । ଏବେବି ମନରେ ଦ୍ୱନ୍ଦ୍ୱ ଉଚ୍ଚ଼ଶିକ୍ଷା ବିଭାଗରେ କାହିଁକି ଏ ବୈମାତୃକ ମନୋଭାବ ? (ଆଲେଖ୍ୟଟିରେ ପ୍ରଦତ୍ତ ମତାମତ ଲେଖକଙ୍କ ନିଜସ୍ୱ)
ଅଧ୍ୟାପକ,ଦର୍ଶନ ବିଭାଗ
ବି.ଏନ.ମ.ଏ ମହାବିଦ୍ୟାଳୟ, ଭଦ୍ରକ ,ମୋ ୮୮୯୫୩୪୧୦୩୩