ଗୋଡ଼ିବନ୍ଧ ବଅଁରପାଳ ଏନ୍ଏଚ୍ର ଶିଳାନ୍ୟାସ
ତାଳଚେର : କେନ୍ଦ୍ର ସଡ଼କ ପରିବହନମନ୍ତ୍ରୀ ନୀତିନ ଗଡ଼କାରୀ ଅନୁଗୋଳ ଜିଲ୍ଲାର ବଅଁରପାଳ ଠାରୁ ତାଳଚେର ଗୋଡ଼ିବନ୍ଧ ପର୍ଯ୍ୟନ୍ତ ୧୭କିମି ରାସ୍ତା ଏନଏଚ ୫୩ ଓ ୧୪୯ର ୪ଲାଇନ ପାଇଁ ଶିଳାନ୍ୟାସ କରିଛନ୍ତି । ଉକ୍ତ ରାସ୍ତା ଉପରେ ଦୈନିକ ହଜାର ହଜାର ଯାନବାହାନ ଚଳାଚଳ ଫଳରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଅହରହ ଟ୍ରାଫିକ୍ ଜାମ ଲାଗି ରହୁଥିବା ଯୋଗୁଁ ଦୀର୍ଘବର୍ଷ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇ ଆସୁଥିଲା । ବିଗତ ଦିନରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାମାଜିକ ସଂଗଠନ ପକ୍ଷରୁ ୪ଲାଇନ ରାସ୍ତା ନିର୍ମାଣ କରିବାକୁ ଦାବି କରୁଥିଲେ । ଏହି ରାସ୍ତାର ଶିଳାନ୍ୟାସ ହୋଇଥିବାରୁ ସମଗ୍ର ଅଂଚଳରେ ଖୁସିର ମାହୋଲ ଖେଳିଯାଇଛି । ସେଥିପାଇଁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କାରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି । ତେବେ ୫୩ ଓ ୧୪୯ ନମ୍ବର ଜାତୀୟ ରାଜପଥ ବଅଁରପାଳ ଠାରୁ ଆରମ୍ଭ କରି ଗୋଡ଼ିବନ୍ଧ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ନେଇ ନୋଟିସ୍ କରାଯାଇଥିଲା ସୁଦ୍ଧା ବର୍ତ୍ତମାନ ଜମି ମାଲିକମାନଙ୍କୁ କିଛି ପ୍ରଜାଙ୍କୁ କ୍ଷତିପୂରଣ ରାଶି ମିଳିଥିବା ବେଳେ ଆଉ କିଛି ପ୍ରଜାଙ୍କୁ ଏପର୍ଯ୍ୟନ୍ତ ଟଙ୍କାଟିଏ ମିଳିନଥିôବାରୁ ଅସନ୍ତୋଷ ବୃଦ୍ଧି ପାଇଛି । ଏହି ଜାତୀୟ ରାସ୍ତାକୁ ୪ଲାଇନ କରିବାକୁ ଆଜକୁ ଦୀର୍ଘବର୍ଷ ହେବ ଦାବି କରି ଆସୁଥିଲେ ମଧ୍ୟ ଏହି ରାସ୍ତାପାଇଁ ସତେଯେପରି କାହାରି ଆନ୍ତରିକତା ନାହିଁ । କିନ୍ତୁ ମନ୍ତ୍ରୀ ଶ୍ରୀ ଗଡ଼କାରୀ ଏହାର ଶିଳାନ୍ୟାସ କରିବା ପରେ ଲୋକଙ୍କର ଆଶା କିଛିକାଂଶରେ ଉଦ୍ଜୀବିତ ହୋଇଥିବାବେଳେ କେବେ ଏହି ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସରୁଛି ତାହା ଦେଖିବାକୁ କେବଳ ବାକି ରହିଛି ।