୧୨ ମାଓବାଦୀଙ୍କ ଆତ୍ମସମର୍ପଣ

 ମାଲକାନାଗିରି : ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡ଼ମ ପୋଲିସ ମୁଖ୍ୟାଳୟରେ ୧୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି  ।  ସୂଚନା ଅନୁଯାୟୀ ଗତ କିଛିଦିନ ମଧ୍ୟରେ ମାଓ ସଙ୍ଗଠନର ବଡ ଲିଡର ତଥା କ୍ୟାଡର ମାଓବାଦୀ ମାନେ ନିହତ ହୋଇଥିବା ବେଳେ ଗତକାଲି ଏହି ଅଞ୍ଚଳରେ ମାଓ ନେତା ଉଦୟ, ଅରୁଣା ଓ ସଞ୍ଜୁର ମୃତୁ୍ୟ ହୋଇଥିଲା । ଯାହାପରେ ମାଓ ସଙ୍ଗଠନ ଏକ ପ୍ରକାର ଭୁଷୁଡି ଯାଇଥିବା ସହ ଦୁର୍ବଳ ହୋଇ ଦିଗହରା ହୋଇପଡିଛି  । ଫଳରେ ଅନ୍ୟ ମାଓବାଦୀମାନେ ବର୍ତ୍ତମାନ ନିଜର ଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦେଇଛନ୍ତି  । ସେପଟେ ପୋଲିସ ପକ୍ଷରୁ ମଧ୍ୟ ମାଓବାଦୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଆତ୍ମସମର୍ପଣ କରିବାକୁ ଅପିଲ କରାଯାଉଛି । ଫଳ ସ୍ୱରୂପ ପୂର୍ବରୁ ଅନେକ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଆନ୍ଧ୍ର ପ୍ରଦେଶର କୋଥାଗୁଡ଼ମରେ ଜିଲ୍ଲା ଏସପି ରୋହିତ ରାଜଙ୍କ ସମ୍ମୁଖରେ ୧୨ ଜଣ ମାଓବାଦୀ ମାଓ ସଙ୍ଗଠନ ଛାଡି ଆତ୍ମସମର୍ପଣ କରିଛନ୍ତି  । ସମସ୍ତ ୧୨ ମାଓବାଦୀ ଅନେକ ହିଂସାକାଣ୍ଡରେ ଜଡିତ ଥିଲେ  । ମାଓ ସଙ୍ଗଠନ ଦୁର୍ବଳ ଓ ଦିଗହରା ହେଉଥିବା ସହ ପୋଲିସର ଘନ ଘନ ଅପରେସନ ଯୋଗୁଁ ଏମାନେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି  । ଆତ୍ମସମର୍ପଣକାରୀଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ଏସପି ରୋହିତ ରାଜ ପ୍ରକାଶ କରିଛନ୍ତି ।