ରାସ୍ତାରେ ଅଟକିଲା ସ୍କୁଲ ଭ୍ୟାନ : ଟାଣି ଟାଣି ନୟାନ୍ତ ହେଲେ ଶିକ୍ଷକ ଓ ଛାତ୍ରଛାତ୍ରୀ
ଆନନ୍ଦପୁର : ରାସ୍ତାରେ ରେ ଅଟକିଗଲା ସ୍କୁଲ ଭ୍ୟାନ, ଆଉ ଆଗକୁ ଯାଇପାରିଲା ନାହିଁ । ଶେଷରେ କୁନି କୁନି ଛାତ୍ର ଛାତ୍ରୀ ଗାଡିରୁ ଓହ୍ଲାଇ ଦଉଡି ଲଗାଇ ଟାଣିଲେ । ଏପଟେ ଭ୍ୟାନ ରାସ୍ତା ଗାଁରୁ ବାହାରିବା ନାଁ ବି ଧରୁନି । ଶେଷରେ ପାଖ ବିଲରେ ହଳ କରୁଥିବା ଏକ ଟ୍ରାକ୍ଟର ବାଲା ଏହା ଦେଖି ଭ୍ୟାନକୁ ଟ୍ରାକ୍ଟର ଲଗାଇ ଟାଣିବା ପରେ ଭ୍ୟାନ ଟି ବାହାରିଥିଲା । ଏଭଳି କିଛି ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଳକ ଅନ୍ତର୍ଗତ ଶାଳନିଆ ଚଷାଖଣ୍ଡ ରାସ୍ତାରେ । କୋଟି କୋଟି ଟଙ୍କାରେ ଏହି ରାସ୍ତାକୁ ସରକାର ନିର୍ମିତ କରିଥିବା ବେଳେ ଏବେ ଏହି ରାସ୍ତା ଅଞ୍ଚଳବାସୀଙ୍କ ଦୁଃଖ ପାଲଟିଯାଇଛି । ଏହି ରାସ୍ତା ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ, ରାସ୍ତା ଉପରେ ଆଣ୍ଠୁଏ କାଦୁଅ । ସେହିପରି ବେଆଇନ ବାଲିଘାଟରରୁ ଦୈନିକ ଶହ ଶହ ଟ୍ରିପ ବାଲି ଲୋଡ଼ିଂ ଟ୍ରକ ଏହି ରାସ୍ତା ଦେଇ ଯାଉଥିବାରୁ ଆଜି ଏହି ରାସ୍ତାର ଅବସ୍ଥା ଏପରି ହୋଇଯାଇଛି । ସୂଚନା ଅନୁଯାୟୀ ଆଜି ସଖାଳେ ଶଙ୍ଖୁଆ ସ୍ଥିତ ଏକ ସ୍କୁଲ ଭ୍ୟାନ ଛାତ୍ର ଛାତ୍ରୀଙ୍କୁ ନେଇ ଆଇତିପୁର ଆସୁଥିବା ବେଳେ, ଏହି ରାସ୍ତାରେ ଫସିଯାଇଥିଲା । ଯଦ୍ୱାରା ଦୀର୍ଘ ସମୟଧରି ଛାତ୍ର ଛାତ୍ରୀମାନେ ରାସ୍ତାରେ ଅଟକି ରହିଥିଲେ । ତେବେ ସ୍ଥାନୀୟ ପ୍ରଶାସନ ର ବାଲି ମାଫିଆଙ୍କ ପ୍ରତି କୋହଳ ମନଭାବ କାରଣରୁ ଆଜି ଏଭଳି ପରିସ୍ଥିତି ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।