ଚୋରି ଉପରେ ଅଙ୍କୁଶ ଲଗାଇ ପାରୁନି ପୁଲିସ

 କାକଟପୁର: ଗତ କିଛି ଦିନ ହେବ କାକଟପୁର ସମେତ ଏହାର ଆଖପାଖ ଅଞ୍ଚଳ ଗୁଡିକରେ ଆଇନ ଶୃଙ୍ଖଳା ପରିସ୍ଥିତି ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ଚୋରି, ରାହାଜାନୀ, ଲୁଟ୍, ନାବାଳିକା ଚାଲାଣ, ଗାଡି ଚୋରି ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୁରୀ ଜିଲ୍ଲା କାକଟପୁର ମା ମଙ୍ଗଳଙ୍କ ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଏହା ଏକ ପ୍ରମୁଖ ଅଞ୍ଚଳ ହୋଇଥିବା ବେଳେ, ଏଠି ଜଣେ ଦକ୍ଷ ଥାନାଧିକାରୀ ନ ରହିଲେ ଧିରେ ଧିରେ କାକଟପୁର ଏକ ହିଂସାତ୍ମକ ଓ ଅପରାଧପ୍ରବଣ ଅଞ୍ଚଳ ଭାବେ ଅଳ୍ପ କେଇଦିନ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି  । ଏଠି ନା ଚାଲିଛି ପୁଲିସର ପାଟ୍ରୋଲିଂ ନା ବ୍ୟବସ୍ଥିତ ହୋଇପାରିଛି ଦୈନଦିନ ଜୀବନଯତ୍ରା  । ଏଥି ସହିତ ଗତ ଏକବର୍ଷ ମଧ୍ୟରେ ନାରୀ ନିର୍ଯାତନା ଚୋରି, ରାହାଜାନୀ ଡକାୟତି, ୨ ଚକିଆ ଓ ଚାରି ଚକିଆ ଯାନ ଚୋରି ଓ ଗୁଳିକାଣ୍ଡ ଭଳି ଘଟଣା ପୂର୍ବାପେକ୍ଷା ବଢିଥିବା ବେଳେ, ବେଆଇନ ଚୋରା ମଦ ବ୍ୟବସାୟ, ସଟାଖେଳ, ବ୍ରାଉନସୁଗାର ବେପାର, ମଠ ମନ୍ଦିରରୁ ଚୋରି ସହ ଗଞ୍ଜେଇ ଭଳି ନିଶାଦ୍ରବ୍ୟର କାରବାର ମଧ୍ୟ ଆଶାତୀତ ଭାବେ ବଢିଛି । ଗତ ୯ ମାସ ତଳେ କୁଣ୍ଢେଇ ଗୁଳିକାଣ୍ଡ ଘଟଣା, ବଲରା ଛକ ରେ ଥିବା ଏକ କମ୍ପାନୀର ଗୋଦାମରୁ ଡକାୟତି ଘଟଣା, ବିଭିନ୍ନ ମଠ ମନ୍ଦିରରୁ ଚୋରି ଘଟଣାକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ କାକଟପୁର ପୁଲିସ ତରଫରୁ ତଦନ୍ତରେ କୌଣସୀ ଆଖିଦୃଶିଆ ଫଳାଫଳ ମିଳି ପାରିନାହିଁ । ପୁଲିସ୍ ସନ୍ଧାନୀ କୁକୁର ଆଣି ତଦନ୍ତ କରିଥିଲେ ମଧ୍ୟ ଫଳ ଶୂନ୍ ।
ଉପରୋକ୍ତ ଘଟଣା ଗୁଡିକ ସାଧାରଣ ତଥା ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି  । କାକଟପୁର ଓ ଏହାର ଆଖପାଖ  ଅଞ୍ଚଳରେ ଚା, ପାନ ଓ ଥଣ୍ଡା ପାନୀୟ ଦୋକାନରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦର ବେଆଇନ କାରବାର ଖୁଲୁମଖୁଲା ଚାଲୁଛି । ପ୍ରତି ଦିନ କାକଟପୁର ଓ ଏହାର ଆଖପାଖ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଗୋରୁ ଚାଲାଣ ସ୍ପଷ୍ଟ ଦିବାଲୋକରେ ଚାଲୁଥିବା ବେଳେ ପୋଲିସ ନିଷ୍କ୍ରିୟ ହୋଇପଡିଛି । ଏଥିସହିତ କେତେକ ଅମାନିଆ ଗାଡି ଚାଳକ ଏବଂ ବସ ମାଲିକଙ୍କ ପାଇଁ ଟ୍ରାଫିକ ସମସ୍ୟା ଯୋଗୁଁ କର୍ମଜୀବୀ ମହିଳା,ଛାତ୍ରଛାତ୍ରୀ ଓ ବ୍ୟବସାୟୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ସାଙ୍ଗକୁ ଦୁର୍ଘଟଣା ମାନ ଘଟି ଧନ ଜୀବନ ହାନୀ ହେଉଥିବାବେଳେ, ସ୍ଥାନୀୟ ପୁଲିସର ଏମାନଙ୍କ ପ୍ରତି କୌଣସି ଅଙ୍କୁଶ ନାହିଁ । ଏଥିପ୍ରତି ପୁରୀଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ରାଜ୍ୟ ସରକାର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରର ଦୃଢ଼ ଦାବି ହୋଇଛି । ଏ ସଂକ୍ରାନ୍ତରେ କାକଟପୁର ଥାନା ଆଇଆଇସି ଉମେଶ ସାହୁଙ୍କ ପଚାରିବାରେ ସମସ୍ତ ଘଟଣାର ତଦନ୍ତ ଚାଲିଛି ଖୁବ ଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ଏବଂ ବର୍ତମାନ ଥାନାରେ କର୍ମଚାରୀ ଅଭାବ ଯୋଗୁଁ ସବୁ ମାମଲାକୁ ବିଚାର କରାଯାଇପାରୁନାହିଁ ବୋଲି ପ୍ରକାଶ କରିଥିଲେ ।