ବିଦ୍ୟାର୍ଥୀଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର
ଆସିକା : ଆସିକା ମେକ୍ ମାଇକେଲ୍ ସଂସ୍କୃତ କଲେଜ ପରିସରରେ ଛାତ୍ରଛାତ୍ରୀମାନଙ୍କ ସଂସ୍କୃତ ଶିକ୍ଷାର ପ୍ରସାର ଓ ବିଦ୍ୟାର୍ଥୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ୧୦ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଭାରତ ସରକାରଙ୍କ ଲୋକଭାଷା ପ୍ରଚାର ସମିତି ପକ୍ଷରୁ ଆୟୋଜିତ ଏହି ଶିବିରରେ ବେଦବାଚସ୍ପତି ଡ. ଉମେଶ ପ୍ରସାଦ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ସମାଜ ଗଠନ ପାଇଁ ସଂସ୍କୃତ ତଥା ସଂସ୍କୃତି ସମ୍ପର୍ଣ୍ଣ ଏହି କଲେଜର ଛାତ୍ରଛାତ୍ରୀମାନେ ଗୋଟିଏ ଗୋଟିଏ ମାଇଲଖୁଣ୍ଟ ହୋଇ ସମାଜକୁ ସଠିକ୍ ଦର୍ଶନ ଦେଇପାରିବେ ବୋଲି କହିଥିଲେ । ପିଲାମାନେ ଭବିଷ୍ୟତରେ ଜଣେ ଜଣେ ଦକ୍ଷ ବ୍ୟକ୍ତି ହୋଇପାରିବେ । ଏଣୁ କଠିନ ପରିଶ୍ରମ କରି ସମାଜରେ ଜଣେ ଜଣେ ସୁସନ୍ତାନ ହେବା ପାଇଁ କଲେଜର ଅଧ୍ୟକ୍ଷ ଅଶ୍ୱିନୀ ଦାଶ ପ୍ରେରଣା ଦେଇଥିଲେ । ଏହି ଶିବିରର ଅଧ୍ୟାପକ ଲକ୍ଷ୍ମୀଧର ବେହେରା, କାହ୍ନୁଚରଣ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ସରଳ ଭାଷାରେ ସଂସ୍କୃତ ଗୀତ ଓ ଭାଷଣରେ ବୁଝାଇଥିଲେ । ଲୋକଭାଷା ପ୍ରଚାର ସମିତିର ସାଧାରଣ ସମ୍ପାଦକ ଅଧ୍ୟାପକ ବିଭୂତି ନାରାୟଣ କର ସମିତିର ସମସ୍ତ ଲକ୍ଷ୍ୟ ଉଦେ୍ଦଶ୍ୟ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଏଥିରେ ବିଦ୍ୟାର୍ଥୀମାନଙ୍କୁ ମୌଳିକ ଶିକ୍ଷା, ଯୋଗ, ପ୍ରାଣାୟାମ, ନୈତିକ ଶିକ୍ଷା, ଲିଖନ, ପଠନ, ଏବଂ କଥନ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ସଭାକୁ କଲେଜର ବରିଷ୍ଠ ଅଧ୍ୟାପକ ସନାତନ ପଣ୍ଡା ପରିଚାଳନା କରିଥିବା ବେଳେ ଅଧ୍ୟାପକ ବାବାନାଥ ମିଶ୍ର ଶିବିରର ନୀତିନିୟମ, ପରିଚାଳନା ଦକ୍ଷତା ସମ୍ପର୍କରେ ବୁଝାଇଥିଲେ । ଏଥିରେ ଅତିଥି ଅଧ୍ୟାପକ ବିଶ୍ୱନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ହେମନ୍ତ ଗନ୍ତାୟତ ଓ ଡ. ନରେନ୍ଦ୍ର ଦାଶ, ମନୋରଞ୍ଜନ ସାହୁ, ଶିଶିର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।