ସୋନପୁର କଲେଜକୁ ସରକାରୀ ମାନ୍ୟତା ପ୍ରସଙ୍ଗ : ଆଲୁମିନି ଆସୋସିଏସନ ପକ୍ଷରୁ ଦାବିପତ୍ର 

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାକୁ ବିଧାନସଭା ଗୃହ କମିଟି ଗସ୍ତ ଅବସରରେ ସୋନପୁର କଲେଜ ଆଲୁମିନୀ ଆସୋସିଏସନ ପକ୍ଷରୁ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବିରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆସୋସିଏସନ ଉପସଭାପତି ଗତିକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ସମ୍ପାଦକ ଭାରତ ଭୁଷଣ ଦାଶ, ରାମ ଶଙ୍କର ଭୋଇ, ସୁଧୀର କୁମାର ପଣ୍ଡା, ମିଡିଆ ସେଲ ରାଜ କିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ, ସ୍ୱରୂପ ପାତ୍ର ପ୍ରମୁଖ ଏକ ପ୍ରତିନିଧି ଦଳ ଏ ନେଇ ସର୍କିଟ ହାଉସରେ କମିଟିକୁ ଦାବିପତ୍ର ପ୍ରଦାନ କରିଥିଲେ । ବିଧାନସଭା ଗୃହ କମିଟି ସହ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ଉପସ୍ଥିତ ଥିଲେ । ସେ କଲେଜର ସମସ୍ୟା ବିଷୟ ନିଶ୍ଚୟ ଗୃହ କମିଟିକୁ ଜଣାଇବେ ବୋଲି କହିଥିଲେ ।
ପ୍ରକାଶ ଯେ, ସୋନପୁର କଲେଜ ୧୯୬୪ ମସିହାରୁ ସ୍ଥାପିତ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ସରକାରୀ ମାନ୍ୟତା ପାଇ ପାରିନାହିଁ । ଜିଲ୍ଲାର ସର୍ବପୁରାତନ ସୋନପୁର କଲେଜ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ବର୍ତ୍ତମାନ +୨ ଓ + ୩ ପର୍ଯ୍ୟନ୍ତ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ ୨୩୦୦ ଜଣ ଛାତ୍ରୀ/ ଛାତ୍ର ଅଧ୍ୟୟନରତ ଅଛନ୍ତି । ଅନେକ ସୁନାମ ଅର୍ଜନ କରିଥିବା ଏହି କଲେଜଟି ବିଭିନ୍ନ କ୍ଷେତ୍ରରେ ଆଜି ସୁଦ୍ଧା ବହୁ ପ୍ରତିଷ୍ଠିତ ଏଠାରୁ ପ୍ରଶାସନିକ ଅଧିକାରୀ, ବୈଜ୍ଞାନିକ, ଡାକ୍ତର, ଯନ୍ତ୍ରୀ, ଲୋକ ପ୍ରତିନିଧି ସୁନାମଧନ୍ୟ ମେଧାବୀ ସୃଷ୍ଟି କରିପାରିଛି । ୨୦୧୬ ମସିହାରେ ରାଷ୍ଟ୍ରିୟ ମୂଲ୍ୟାଙ୍କନ ଏବଂ ପ୍ରତ୍ୟାୟନ ପରିଷଦ ଅନୁସାରେ ବି ଗ୍ରେଡ୍ ମାନ୍ୟତା ଲାଭ କରିଥିଲା  ।