ଆଇଆଇଏମ୍ ବୁଲିଲେ ପୂର୍ବତନ ନୀତି ଆୟୋଗ ସିଇଓ
ସମ୍ବଲପୁର : ଭାରତର ଜି-୨୦ ଶେରପା ଏବଂ ପୂର୍ବତନ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ଆଇଆଇଏମ୍ ସମ୍ବଲପୁର ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ସେ ଆଇଆଇଏମ୍ ସମ୍ବଲପୁରର ଶିକ୍ଷକ, ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସହ ଏକ ଆଲୋଚନାରେ ଯୋଗ ଦେଇଥିଲେ । ବିଶ୍ୱ ପରିବର୍ତ୍ତନ ଓ ଏଥିରେ ଭାରତର ଭୂମିକା ବିଷୟରେ ଆଲୋଚନା କରିଥିଲେ । ଏହି ଅଞ୍ଚଳର କୌଶଳଗତ ଗୁରୁତ୍ୱ ଯଥା ଆଲୁମିନିୟମ୍ ଏବଂ ବିଦୁ୍ୟତ୍ ଉତ୍ପାଦନରେ ଭାରତର ଅର୍ଥନୈତିକ ବୃଦ୍ଧିର ଏକ ପ୍ରମୁଖ ଚାଳକ ଏବଂ ଭାରତର ଅର୍ଥନୈତିକ ବୃଦ୍ଧିରେ ତାହାର ଉଲ୍ଲେଖନୀୟ ପ୍ରଭାବ ରହିଥିବା ସମ୍ପର୍କରେ ସୂଚନା ଦେଇଥିଲେ ।
କ୍ୟାମ୍ପସ୍ ପରିସରକୁ ପ୍ରଶଂସା କରି ଅମିତାଭ କହିଥିଲେ ଯେ, ‘ଦ୍ରୁତ ଅର୍ଥନୈତିକ ବିକାଶର ଏହି ଯୁଗରେ, ସମ୍ବଲପୁରରେ ଆଇଆଇଏମ୍ ଭଳି ଏକ ଉକ୍ରୃଷ୍ଟ ଅନୁଷ୍ଠାନ ଥିବା ଅତ୍ୟନ୍ତ ମୂଲ୍ୟବାନ । ଆପଣ ସବୁ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଏହି ଅଦ୍ଭୁତ ଅନୁଷ୍ଠାନର ଏକ ଅଂଶ ହୋଇଥିବାରୁ ମୁଁ ଭାଗ୍ୟବାନ ।’ ବିଶ୍ୱସ୍ତରୀୟ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂର ବିକାଶ ବିଷୟରେ ଭାରତକୁ ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ କରିବା ପାଇଁ ୪ ଟ୍ରିଲିୟନ୍ ଡଲାରରୁ ୩୦ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ବୃଦ୍ଧି ହେବାକୁ ପଡିବ । ଯାହାର ଅର୍ଥ ହେଉଛି ଭାରତକୁ ଜିଡିପିରେ ୯%, ମୁଣ୍ଡପିଛା ଆୟରେ ୮% ଏବଂ ଉତ୍ପାଦନରେ ୧୬% ବୃଦ୍ଧି କରିବାକୁ ପଡିବ ବୋଲି କହିଥିଲେ । ଆଇଆଇଏମ୍ ସମ୍ବଲପୁରର ନିଦେ୍ର୍ଦଶକ ପ୍ରଫେସର ମହାଦେବ ଜୟସ୍ୱାଲ୍ ଶ୍ରୀ କାନ୍ତଙ୍କୁ ଏହି ପରିଦର୍ଶନ ପାଇଁ କୃତଜ୍ଞତା ଜଣାଇଥିଲେ ।