ଟାର୍ଗେଟରେ ଟୁ୍ୟସନ ଛାତ୍ରୀ, ଚିନ୍ତାରେ ଅଭିଭାବକ
ବୁଗୁଡା: ସଂପ୍ରତି ବୁଗୁଡା ଅଞ୍ଚଳରେ ରୋମିଓ ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଥିବା ବେଳେ, ସହରର ବିଭିନ୍ନ ଛକ ଏବଂ ଆଖପାଖ ଗାଁ ରାସ୍ତାରେ ରୋମିଓଙ୍କ ପ୍ରାଦୁର୍ଭାବ ବଢିଛି । ବିଶେଷ କରି ରୋଡ୍ ରୋମିଙ୍କ ଟାର୍ଗେଟରେ ନାବାଳିକା ଟୁ୍ୟସନ ଛାତ୍ରୀ ରହିଥିବା ବେଳେ, ଏ ନେଇ ଅଭିଭାବକଙ୍କୁ ଚିନ୍ତା ଘାରିଛି । ଏହି ରୋଡ୍ ରୋମିଓମାନେ ସକାଳେ ଓ ସନ୍ଧ୍ୟାରେ ଦୁଇ ବେଳା ଟୁ୍ୟସନକୁ ଆସୁଥିବା ଏବଂ ଫେରୁଥିବା ବେଳେ ପଞ୍ଚାପାତ୍ର ଗଳିଛକ, ଜିଇଓ ଅଫିସ୍ ଗଳି, ବେତାରସିଂ ରାସ୍ତା, ଷ୍ଟାଡିୟମ୍ ଓ ବ୍ଲକ ଛକ ଆଖପାଖରେ ଆଡା ଜମାଇ ଛାତ୍ରୀଙ୍କୁ କମେଣ୍ଟ କରୁଛନ୍ତି । ଏ ନେଇ କୌଣସି ଭଦ୍ରବ୍ୟକ୍ତି କିମ୍ବା ଅଭିଭାବକ କୋଚିଙ୍ଗ୍ ସେଣ୍ଟର ସମ୍ମୁଖରେ ଟହଲ ମାରୁଥିବା ରୋମିଓଙ୍କୁ ଆକଟ କଲେ ରୋମିଓ ଗ୍ୟାଙ୍ଗ ଅନ୍ୟମାନେ ଆକ୍ରମଣାତ୍ମକ ଢଙ୍ଗରେ ନାଲି ଆଖି ଦେଖାଉଛନ୍ତି । ଏଥି ସହ ବାଇକ୍ ଖଣ୍ଡିଏ ଲେଖାଏଁ ଧରି ଛାତ୍ରୀଙ୍କ ପିଛା କରିବା ସାଙ୍ଗକୁ ଦ୍ରୁତ ଗତିରେ ଓଭର୍ ଟେକ୍ କରି ରୋମିଓଗିରି ଦେଖାଉଛନ୍ତି । ତେବେ ଲୋକଲଜ୍ଜା ଭୟରେ ଛାତ୍ରୀମାନେ ଏହି କଥା ନିଜ ନିଜର ପରିବାରବର୍ଗଙ୍କୁ କହୁଥିଲେ ହେଁ, ପୋଲିସରେ ଅଭିଯୋଗ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ପୂର୍ବରୁ ପୋଲିସ ଏହି ରୋଡ୍ ରୋମିଓମାନଙ୍କ ଦୌରାତ୍ମ୍ୟ ପ୍ରତି ଲଗାମ ଲଗାଇ ପ୍ରଶଂସା ପାଇଥିବା ବେଳେ, ଏବେ ପ୍ରାୟ ୭ ମାସ ହେଲା ପୋଲିସର ଢିଲା ପଣ ଯୋଗୁଁ ପୁଣି ସେମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି । ଏହି ରୋମିଓ ଗ୍ୟାଙ୍ଗ କୁଆଡେ କିଛି ସ୍ଥାନୀୟ କୁଜିନେତାଙ୍କ ଛତ୍ରଛାୟାରେ ରହି ଏଭଳି ଦୌରାତ୍ମ୍ୟ ଦେଖାଉଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ଏଣୁ ,ଏହି ରୋମିଓଙ୍କୁ ସାବାଡ କରିବା ପାଇଁ ପୋଲିସ କଡା ପଦକ୍ଷେପ ଗ୍ରହଣ କରିବା ନେଇ ସାଧାରଣରେ ଦାବି ହେଉଛି ।