ଡିଏମଏଫ ପାଣ୍ଠିର ଉପଯୋଗିତା ନେଇ ଗର୍ଗଙ୍କ ସମୀକ୍ଷା

ଡିଏମଏଫ ପାଣ୍ଠିର ଉପଯୋଗିତା ନେଇ ଗର୍ଗଙ୍କ ସମୀକ୍ଷା

ଭୁବନେଶ୍ୱର : ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ୍‌) ପାଣ୍ଠିର  ଉପଯୋଗିତା ନେଇ ଏକ ବୈଠକ ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟର ଠାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ଡିଏମଏଫ ଫାଣ୍ଠିର ମୋଟ ପ୍ରାପ୍ତିର ୯୯.୫% ଯୋଗଦାନ ରହିଥିବା ୧୧ ଟି ପ୍ରମୁଖ ଜିଲ୍ଲାର  ଜିଲ୍ଲାପାଳ, ଜିଲ୍ଲାରେ  ଡିଏମଫ୍‌ ପାଣ୍ଠି ଉପଯୋଗ ନେଇ ରାଜ୍ୟରୁ ଦିଆଯାଉଥିବା ପ୍ରକଳ୍ପ ସଂପର୍କିତ  ସଂପୃକ୍ତ ବିଭିନ୍ନ ବିଭାଗର  ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।  


    ବୈଠକରେ ଅକ୍ଟୋବର ୩୧ ତାରିଖ  ସୁଦ୍ଧା  ଏହି ଜିଲ୍ଲାଗୁଡିକରେ ଡିଏମ୍‌ଏଫ୍‌ ପାଣ୍ଠି ସଂଗ୍ରହ ସ୍ଥିତି ଓ ପ୍ରକଳ୍ପ କାର୍ଯ୍ୟକାରିତା ଅନୁସାରେ ଖର୍ଚ୍ଚ ବିନିଯୋଗ, ବିଭିନ୍ନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ପ୍ରକଳ୍ପ କାର୍ଯ୍ୟକାରିତା ଓ ଖର୍ଚ୍ଚ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।  ବିଭିନ୍ନ ଜିଲ୍ଲାରେ ପୁନର୍ଗଠିତ ଡିଏମଏଫ ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ ହେବା,  ଜିଲ୍ଲା ଖଣିଜ ପାଣ୍ଠିର ବାର୍ଷିକ ବିବରଣୀ  ଓ ଅଡିଟି ରିପୋର୍ଟ -୨୦୨୪-୨୫ ପ୍ରସ୍ତୁତି ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ଡିଏମଏଫ ପାଣ୍ଠି ଉପଯୋଗ ନେଇ ରାଜ୍ୟସ୍ତରୀୟ କମିଟିର ନିଷ୍ପତ୍ତିକୁ  କାର୍ଯ୍ୟକାରୀ କରିବା  ସଂପର୍କରେ ସମୀକ୍ଷା କରାଯାଇଥିଲା । ଉନ୍ନୟନ କମିଶନର ଜିଳ୍ଲାପାଳମାନଙ୍କୁ ଦାୟିତ୍ୱର ସହ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ଏ ନେଇ ନିୟମିତ ସମୀକ୍ଷା କରିବା, ପ୍ରକଳ୍ପ କାର୍ଯ୍ୟକାରିତା ଓ ପାଣ୍ଠି ଉପଯୋଗିତା ସଂପର୍କିତ ସୂଚନା  ଅପଡେଟ୍‌ କରାଯିବା, ଡିଏମଏଫ ପାଣ୍ଠି ଉପଯୋଗରେ ଖଣି ଠାରୁ ୫ କିମି ପରିଧି ମଧ୍ୟରେ ଥିବା ଖଣି ପ୍ରଭାବିତ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ସଡ଼କ ନିର୍ମାଣ ଆଦି ଅତ୍ୟାବଶ୍ୟକ ମୌଳିକ ସୁବିଧା ଉପଲବ୍ଧତା ସୁନିଶ୍ଚିତ କରାଯିବା ( ସାଚ୍ୟୁରେସନ ମୋଡରେ କରାଯିବା)  ଉପରେ ଗୁରୁତ୍ୱ ଦେଇଥିଲେ ।