ତାମିଲନାଡ଼ୁ ରାଜକୋଷକୁ ଗଲା ଜୟଲଳିତାଙ୍କ ସମ୍ପତ୍ତି : ୨୭ କେଜି ସୁନା, ୧ ଟନ୍ ରୁପା ସରକାରଙ୍କୁ ହସ୍ତାନ୍ତର 

 ଚେନ୍ନାଇ : ସୁନା ମୁକୁଟ, ସୁନାର ଖଣ୍ଡା, ମୟୁର ଚିତ୍ର ନିର୍ମିତ ବିରାଟ ଅଣ୍ଟା ବିଛା ତା ସାଙ୍ଗକୁ ସୁନାରେ ନିର୍ମିତ ବହୁମୂଲ୍ୟ ଅଳଙ୍କାର ସହିତ ୧ ଟନ୍ରୁ ଊଦ୍ଧ୍ୱର୍ ରୁପା ଗହଣା ଓ ୧୫୦୦ରୁ ଊଦ୍ଧ୍ୱର୍ ଏକର ଜମି ଭଳି ବହୁ ଅମାପ ସମ୍ପତ୍ତିକୁ ହାତେଇଛନ୍ତି ତାମିଲନାଡ଼ୁ ସରକାର । ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ଜେ ଜୟଲଳିତାଙ୍କର ଏହି ବାଜ୍ୟାପ୍ତି ସମ୍ପତ୍ତିକୁ ବେଙ୍ଗାଲୁରୁ କୋର୍ଟଙ୍କ ନିଦେ୍ର୍ଦଶ କ୍ରମେ କର୍ଣ୍ଣାଟକ ପ୍ରଶାସନ ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରିଛି । କର୍ଣ୍ଣାଟକ ପ୍ରଶାସନ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଏହି ସମ୍ପତ୍ତି ତାଲିକା ମଧ୍ୟରେ ରହିଛି ୨୭ କେଜି ୫୫୮ ଗ୍ରାମ୍ର ସୁନା ଅଳଙ୍କାର, ୧୧୧୬ କେଜି ରୁପା ଏବଂ ୧୫୨୬ ଏକର ଜମି । ଜୟଲଳିତାଙ୍କ ମୃତୁ୍ୟ ପରେ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଘୋଷଣା ହୋଇଥିବା ବେଳେ କର୍ଣ୍ଣାଟକରେ ଜୟଲଳିତାଙ୍କ ଥିବା ଉପରୋକ୍ତ ପରିମାଣର ସମ୍ପତ୍ତିକୁ କର୍ଣ୍ଣାଟକ ବିଧାନସୌଧରେ ସୁରକ୍ଷିତ ଭାବେ ରଖାଯାଇଥିଲା । ଆଜି ବେଙ୍ଗାଲୁରୁ କୋର୍ଟଙ୍କ ନିଦେ୍ର୍ଦଶକ୍ରମେ ଏହି ସମ୍ପତ୍ତିଗୁଡ଼ିକର ଫଟୋ ଓ ଭିଡିଓ ଉତ୍ତୋଳନ କରାଯାଇ ଏସବୁକୁ ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଯାଇଛି ।
ଅପରପକ୍ଷେ ଗତ ଜୁଲାଇ ୨୦୨୩ରେ ଜୟଲଳିତାଙ୍କ ଏହି ସମ୍ପତ୍ତି ଉପରେ ନିଜର ସତ୍ୱାଧିକାର ଦାବି କରିଥିଲେ ତାଙ୍କ ଝିଆରୀ ଜେ ଦିପା ଏବଂ ପୁତୁରା ଜେ ଦୀପକ । ଜବତ ସମ୍ପତ୍ତି ଗୁଡ଼ିକ ଜୟଲଳିତାଙ୍କ ଉତ୍ତରାଧିକାରୀ ଭାବେ ଦିପା ଏବଂ ଦୀପକଙ୍କୁ ମିଳୁ ବୋଲି ଦାବି କରି ଉଭୟେ ବେଙ୍ଗାଲୁରୁ କୋର୍ଟରେ ଏକ ପିଟିସନ୍ ଦାୟର କରିଥିଲେ । କିନ୍ତୁ କୋର୍ଟ କହିଥିଲେ ଯେ, ଜବତ ସମ୍ପତ୍ତି ଗୁଡ଼ିକ ବେଆଇନ, ଯଦି ଏହା ତୁମର ବୋଲି ଦର୍ଶାଉଛ ତେଣୁ ତୁମେ ବି ଅପରାଧି ଭାବେ ପରିଗଣିତ ହେବ । ଦୁହିଁଙ୍କ ନିକଟରେ କୋର୍ଟଙ୍କ ଜବାବର ଉତ୍ତର ନଥିବାରୁ କୋର୍ଟ ଏହି ପିଟିସନ୍କୁ ଖାରଜ କରି ଦେଇଥିଲେ । ଆଉ ସମସ୍ତ ସମ୍ପତ୍ତିକୁ ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରିବାକୁ ନିଦେ୍ର୍ଦଶ ଦେଇଥିଲେ ।