୬ ବର୍ଷରେ ୮ ହଜାର ବାଲ୍ୟବିବାହ 

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭୮ବର୍ଷ ଅତିକ୍ରମ କରିସାରିଛି । ସରକାର ‘ବିକଶିତ ଓଡିଶା, ବିକଶିତ ଭାରତ’ ପାଇଁ କାମ କରୁଛନ୍ତି ବୋଲି କହୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନରେ ପରିବର୍ତ୍ତନ ହୋଇଛି । ଅତ୍ୟାଧୁନିକ ସୁବିଧା ଥିବା ସମୟରେ ପୂରାତନ ମାନସିକତା ନେଇ ରାଜ୍ୟରେ ଲକ୍ଷ ଲକ୍ଷ ଲୋକଙ୍କୁ ବଞ୍ଚିବାକୁ ପଡୁଛି । ସରକାରୀ କାଗଜପତ୍ରରେ ବିବାହ ପାଇଁ ବୟସ ସୀମା ସିନା ଧାର୍ଯ୍ୟ ହୋଇଛି, ଏହାକୁ ଠିକ୍ ଭାବେ ସବୁଠି ପାଳନ ହେଉନାହିଁ । ଫଳସ୍ୱରୂପ ବାଲ୍ୟବିବାହର ପ୍ରଥା ଏବେ ବି ରହିଛି । ଆଉ ଓଡିଶା ଭଳି ରାଜ୍ୟରେ ମଧ୍ୟ ଏହା କମିନାହିଁ । ବିଧାନସଭାର ବଜେଟ୍ ଅଧିବେଶନର ତୃତୀୟ ଦିନରେ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି ।  ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି, ଗତ ୬ ବର୍ଷରେ ରାଜ୍ୟରେ ୮ ହଜାର ୧୫୯ଟି ବାଲ୍ୟବିବାହ ହୋଇଛି । ଏହି ସମୟ ମଧ୍ୟରେ ନବରଙ୍ଗପୁରରେ ସର୍ବାଧିକ ୧୩୪୭ଟି ବାଲ୍ୟବିବାହ ହୋଇଛି । ତାଲିକାର ଦ୍ୱିତୀୟରେ ଥିବା ଗଞ୍ଜାମ ଜିଲ୍ଲାରେ ୯୬୬ଟି ବାଲ୍ୟ ବିବାହ ହୋଇଛି । କୋରାପୁଟରେ ୬୩୬ ବାଲ୍ୟ ବିବାହ ହୋଇଛି । ସମ୍ବେଦନଶୀଳ ପ୍ରସଙ୍ଗକୁ ଯଦି ଦେଖିବେ, ରାଜ୍ୟରେ ୬ ବର୍ଷ ମଧ୍ୟରେ ୩୨୮ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ବାଲ୍ୟବିବାହରେ ରୋକ ଲଗାଇବାକୁ ବ୍ଲକସ୍ତରରେ, ଅଙ୍ଗନବାଡିସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ପ୍ରତି ୩ ମାସରେ ବ୍ଲକ, ଗ୍ରାମପଞ୍ଚାୟତସ୍ତରରେ ସଚେତନତା ସଭା କରାଯାଉଛି । ୧୮ ବର୍ଷ ପୂର୍ବରୁ ବାଲ୍ୟବିବାହ ଘଟଣା ନାଇଜର, ଗୁଏନା, ବାଂଲାଦେଶ ଓ କେନ୍ଦୀୟ ଆଫ୍ରିକୀୟ ଗଣତନ୍ତ୍ରରେ ୬୦%ରୁ ଅଧିକ । ୨୦୦୩-୨୦୦୯ର ସର୍ଭେ ଅନୁସାରେ ବାଂଲାଦେଶ, ଇଥିଓପିଆ ଓ ନାଇଜରରେ ୨୦%ରୁ ଅଧିକ ବାଲ୍ୟବିବାହ ୧୫ବର୍ଷ ବୟସ ପୂର୍ବରୁ ହେଉଛି ।

ସମାଜର ସ୍ୱୀକୃତି ଭିତରେ ଦୁଇ ଆତ୍ମା, ଦୁଇ ପରିବାରର ମିଳନକୁ ବିବାହ କୁହାଯାଏ । ଉଭୟ ବର ଓ କନ୍ୟା ପରିପକ୍ୱତାର ସିଡି ଚଢି ଏକ ନିର୍ଦ୍ଦିିଷ୍ଟ ବୟସରେ ଉପନୀତ ହେଲେ ପରିବାର ବିବାହ କରିବା ପାଇଁ ଆତୁର ଥାଆନ୍ତି । କିନ୍ତୁ ବୟସ ଯଦି ବିବାହ ଉପଯୋଗୀ ନ ହୁଏ ତାକୁ ଆମେ ବାଲ୍ୟବିବାହ ବୋଲି କହୁ । କେବେ ପ୍ରଥା ଭଳି ସମାଜରେ ମାଡିଥିବା ବାଲ୍ୟବିବାହ ଆଜିର ଆଧୁନିକ ସମୟରେ ସେତେଟା ପ୍ରଭାବ ବିସ୍ତାର କରିପାରୁନଥିଲେ ହେଁ ଆଜି ବି କିଛି ଏମିତି ସ୍ଥାନ ରହିଛି ଯେଉଁଠି ବାଲ୍ୟବିବାହକୁ ସବୁଜ ସଂକେତ ମିଳୁଛି । କିଛି ସ୍ଥାନରେ ଏବେ ବି ବାଲ୍ୟବିବାହ ହେଉଛି ।